ରାକେଶ ଷଡ଼ଯନ୍ତ୍ରର ଶିକାର:ରାଜ୍ୟଗୋଷ୍ଠୀ ଜିମ୍ନାଷ୍ଟିକ୍ସ ଦଳରେ ପାଇବେ ନାହିଁ ସୁଯୋଗ

ଭୁବନେଶ୍ୱର: ସେ ବିଶ୍ୱକପ୍‌ରେ ଚତୁର୍ଥ ସ୍ଥାନ ପାଉଛନ୍ତି କିନ୍ତୁ ଭାରତୀୟ ରାଜ୍ୟଗୋଷ୍ଠୀ ଦଳରେ ସୁଯୋଗ ପାଉନାହାନ୍ତି। ଏହାଠାରୁ ବଡ଼ ବିଡ଼ମ୍ବନା କିଛି ହୋଇ ନପାରେ। ଏହା ଘଟିଛି ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ରଙ୍କ କ୍ଷେତ୍ରରେ। ଆସନ୍ତା ମାସରେ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟ୍‍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଜିମ୍ନାଷ୍ଟ ଦଳ ଘୋଷିତ ହୋଇନାହିଁ। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜିମ୍ନାଷ୍ଟିକ୍ସ ସଂଘ ଏକ ୭ ଜଣିଆ ତାଲିକା ପ୍ରସ୍ତୁତ କରି ସାରିଛି ଯେଉଁଥିବରେ ରିଙ୍ଗସ ଓ ପାରାଲେଲ୍‌ ସ୍ପେଶାଲିଷ୍ଟ୍‍ ରାକେଶ ପାତ୍ରଙ୍କ ନାମ ରଖାଯାଇନାହିଁ। କାରଣ ଗତ ମାସରେ ମେଲବର୍ନ ବିଶ୍ୱକପ୍‌ରେ ରାକେଶ ଜାପାନ ଓ ଚାଇନିଜ୍‌ଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନ ପାଇଥିଲେ। ରିଙ୍ଗ୍‌ସ ଏବଂ ପାରାଲେଲ୍‌ ଇଭେଣ୍ଟ୍‌ରେ ଫାଇନାଲରେ ପହଞ୍ଚିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାପାନ ଓ ଚାଇନିଜ୍‌ ପ୍ରତିଯୋଗୀ ସାମିଲ ନ ଥିବାରୁ ରାକେଶ ଯଦି କେବଳ ତାଙ୍କ ବିଶ୍ୱକପ୍‌ ପ୍ରଦର୍ଶନ ଦୋହରାନ୍ତି ତେବେ ଗୋଲ୍‌ଡ କୋଷ୍ଟ୍‍ରେ ରୌପ୍ୟ ପଦକ ଜିତିବାର ଉଜ୍ୱଳ ସମ୍ଭାବନା ରହିଛି। ରାକେଶଙ୍କୁ ସାମିଲ ନ କରିବା ଲାଗି ଏକ ଗୋପନ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏଥି ଲାଗି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଏକ ଚୟନ ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ରାକେଶ ରିଙ୍ଗ୍‌ସ ଓ ପାରାଲେଲ୍‌ରେ ପ୍ରଥମ ସ୍ଥାନରେ ରହିବା ସହିତ ହରାଇଜଣ୍ଟାଲ୍‌ରେ ତୃତୀୟ ହୋଇଥିଲେ। କିନ୍ତୁ ଅନ୍ୟ ୩ଟିରେ ଭାଗ ନେଇନଥିଲେ। ଏହା ବାଧ୍ୟତାମୂଳକ ନ ଥିବାବେଳେ ପରବର୍ତୀ ସମୟରେ ଏହାକୁ ଆଳ କରି ରାକେଶଙ୍କୁ ଏଡ଼ାଇଯିବାକୁ ମସୁଧା ହୋଇଛି। ଏଭଳି ଖବର ପରେ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘର ସମ୍ପାଦକ ଅଶୋକ ସାହୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌, ଭାରତୀୟ ଅଲିମ୍ପିକ୍‌ ସଂଘ ଏବଂ ଭାରତୀୟ ଜିମ୍ନାଷ୍ଟିକ୍ସ ସଂଘକୁ ପତ୍ର ଲେଖି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସାଇରେ ଭେଦଭାବ କାରଣରୁ ଏଭଳି କରାଯାଉଛି ବୋଲି ରାକେଶ ଅଭିଯୋଗ କରିଛନ୍ତି। ଏପରିକି ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ତଥା ଚୟନ ସମିତି ସଦସ୍ୟ ବିଏସ୍‌ ବାଓ୍ଵାଙ୍କ ନିକଟରେ ଚୟନ ପ୍ରକ୍ରିୟା ନେଇ କୌଣସି ସୂଚନା ନଥିବା ପ୍ରକାଶ କରିବା ଭଳି ହାସ୍ୟାସ୍ପଦ ଘଟଣା ନଜରକୁ ଆସିଛି। ବାଓ୍ଵା ନିଜେ ମଧ୍ୟ ଭାରତର ପଦକ ଜିତିବା ସମ୍ଭାବନା ନାହିଁ ବୋଲି କେତେକ ଗଣମାଧ୍ୟମକୁ କହିଛନ୍ତି। ଅଲରାଉଣ୍ଡ୍‌ ପ୍ରଦର୍ଶନକୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଉଥିବା କଥାକୁ ରାକେଶଙ୍କୁ ସ୍ପଷ୍ଟ ଭାବେ କୁହାଯାଇନଥିଲେ ମଧ୍ୟ ଏବେ ଏହି ଆଧାରରେ ତାଙ୍କୁ ବାଦ୍‌ ଦେବାକୁ ଯୋଜନା ହୋଇଛି। ଚୟନ ପ୍ରକ୍ରିୟା ତଥା ନୀତି ନିୟମ ସମ୍ପର୍କରେ କୌଣସି ଘୋଷଣା କରାଯାଇନଥିଲା ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଅଶୋକ ମିଶ୍ର। ଏବେ ଶେଷ ତାରିଖ (ମାର୍ଚ ୭) ପର୍ଯ୍ୟନ୍ତ ଦଳ ଘୋଷଣା ନ କରି ପରିବର୍ତନର ସୁଯୋଗକୁ ସୀମିତ କରିଦେବାକୁ ହୀନ ଚକ୍ରାନ୍ତ ହେଉଥିବା ରାକେଶଙ୍କ ଆଦ୍ୟ ଗୁରୁ ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ଅଶୋକ ମିଶ୍ର ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୦ରେ ଆଶିଷ କୁମାର ଏବଂ ୨୦୧୪ରେ ଦୀପା କର୍ମକାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବା ପରେ ରାକେଶ ଏଥର ଦୃଢ଼ ଦାବିଦାର ଥିଲେ। କିନ୍ତୁ ଫେବ୍ରୁଆରି ୧୪ ତାରିଖରୁ ଚୟନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ମନୋନୀତ ୭ ଜଣିଆ ଦଳକୁ ଘୋଷଣା କରାନଯିବା ପଛରେ ନିଶ୍ଚିତ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କ୍ରମେ ସ୍ପଷ୍ଟ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର