ସହିଦ-ନୈହାଟୀ ପ୍ରଥମ ସେମିଫାଇନାଲ୍‌ ଆଜି

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ଚତୁର୍ଥ ତଥା ଶେଷ ଦଳ ଭାବେ ସହିଦ ସ୍ପୋର୍ଟିଂ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସେମିଫାଇନାଲ୍‌ ପ୍ରବେଶ କରିଛି। ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ବୁଧବାର ଅଷ୍ଟମ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ରେ ସହିତ ସ୍ପୋର୍ଟିଂ ୪୩ ରନ୍‌ରେ କଟକର ଜୁଭେନାଇଲ୍‌ କ୍ଲବ୍‌କୁ ପରାସ୍ତ କରିଦେଇଛି। ଏଥି ସହିତ ପ୍ରତିଯୋଗିତାର ସେମିଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ଚୂଡାନ୍ତ ହୋଇଯାଇଛି। ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍‌ରେ ସହିଦର ମୁକାବିଲା ପଶ୍ଚିମବଙ୍ଗର ନୈହାଟୀ ସ୍ପୋର୍ଟିଂ ସହ ହେବାକୁ ଥିଲା ବେଳେ ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍‌ରେ ଦୁଇ ଭୁବନେଶ୍ୱର ଦଳ ପାରାମାଉଣ୍ଟ୍‌ (ଏ) ଓ ରାମେଶ୍ୱର ସ୍ପୋର୍ଟିଂ ମୁହାଁମୁହିଁ ହେବେ। ବୁଧବାର ମ୍ୟାଚ୍‌ରେ ଟସ୍‌ ଜିତି ସହିଦ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଓମ୍‌ ଶ୍ରୀରାମ ଦାସମହାପାତ୍ର (୬୧) ଓ ସୌମ୍ୟ ଶ୍ରୀଚନ୍ଦନ (୫୨)ଙ୍କ ଅର୍ଧଶତକ ସାଙ୍ଗକୁ ବିଭାସ ଚାନ୍ଦଙ୍କ ୪୭ ରନ୍‌ ବଳରେ ସହିଦ ସ୍ପୋର୍ଟିଂ ନିର୍ଧାରିତ ୪୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୧୯ ରନ୍‌ କରିଥିଲା। ଜୁଭେନାଇଲ୍‌ ପକ୍ଷରୁ ଆରିହଣ୍ଟ୍‌ ପଟ୍ଟନାୟକ ୩ ଓ ଜଗଦୀଶ ଘଡେଇ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଅରବିନ୍ଦ ମହାପାତ୍ରଙ୍କ ୪୯, ସାଇଦୀପ୍‌ ମହାପାତ୍ରଙ୍କ ୩୯ ଓ ସୋହେଲ ଖାନ୍‌ଙ୍କ ୩୪ ରନ୍‌ ସତ୍ତ୍ୱେ ଜୁଭେନାଇଲ୍‌ ୩୭.୧ ଓଭରରେ ୧୭୬ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଜୟୀ ସହିଦ ସ୍ପୋର୍ଟିଂ ପକ୍ଷରୁ ଆଶୁତୋଷ ଛୁରିଆ ୩, ଶ୍ରେଷ୍ଠ ସିଂହ ୩ ଓ ଓମ୍‌ ଶ୍ରୀରାମ ଦାସମହାପାତ୍ର ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବ୍ୟାଟିଂରେ ୫୨ ରନ୍‌ ଏବଂ ଓ୍ଵିକେଟ୍‌ ପଛରେ ୫ (୨ କ୍ୟାଚ୍‌ ଓ ୩ ଷ୍ଟମ୍ପିଂ) ସଫଳତା ଯୋଗୁଁ ସହିଦ ସ୍ପୋର୍ଟିଂର ଓ୍ଵିକେଟ୍‌ରକ୍ଷକ ସୌମ୍ୟ ଶ୍ରୀଚନ୍ଦନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଓଡ଼ିଶାର ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଶରତ ସାହୁ ଓ ଅସିତ୍‌ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସମ୍ପଦ ପଟ୍ଟନାୟକ ମ୍ୟାଚ୍‌ ରେଫରି ରହିଥିଲେ।

ସମ୍ବନ୍ଧିତ ଖବର