ପ୍ରଶାସନ ସହ ମୁହାଁମୁହିଁ: ବିଡିଓଙ୍କୁ ମାଡ଼!

ଫାଇଲ୍‌ରେ ଦସ୍ତଖତକୁ କେନ୍ଦ୍ର କରି ଉତ୍ତେଜନା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓଙ୍କୁ ମାଡ଼! ଉନ୍ନୟନ ପ୍ରକଳ୍ପ ଫାଇଲ୍‌ରେ ଦସ୍ତଖତ କଲେନି ବୋଲି ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସନ୍ତା ମାଡ଼ କରିଥିବା ଅଭିଯୋଗ ହୋଇଛି। ଥାନାରେ ବିଡିଓ ଶ୍ରୀମେହେର ଦେଇଥିବା ଏତଲା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ନିଜ କାର୍ଯ୍ୟାଳୟରେ ବସିଥିଲେ। ଏହିସମୟରେ ପାଲିଆ ଗ୍ରାମର ପବିତ୍ର ସନ୍ତା, ରମେଶ ହରିଜନ ଏବଂ ଅଭୟ ସ୍ୱାଇଁ ହଠାତ୍‌ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇ ପାଲିଆ ପଞ୍ଚାୟତର ୪ଟି ଫାଇଲ୍‌ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଯାହାକୁ ବିଡିଓ ପ୍ରତ୍ୟାଖ୍ୟାନ କରିବା ସହ ଫାଇଲ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବୋଲି କହିଥିଲେ। ଏଥିରେ ପବିତ୍ର ଉତ୍‌କ୍ଷିକ୍ତ ହୋଇ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ସହ ମାଡ଼ ମାରିଥିଲେ।

ଅନ୍ୟପକ୍ଷରେ, ପବିତ୍ର ସାନ୍ତା ମଧ୍ୟ ଜାତିଆଣ ଗାଳିଗୁଲଜ ନେଇ ବିଡିଓଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ, ପାଲିଆ ପଞ୍ଚାୟତର ୪ଟି ଫାଇଲରେ ଦସ୍ତଖତ କରିବା ପାଇଁ ବିଡିଓଙ୍କ ନିକଟକୁ ଯାଇଥିଲେ। ଦସ୍ତଖତ କରିବାକୁ କହିବାରୁ ୨ପ୍ରତିଶତ ପିସି ଦେଲେ ହିଁ ଦସ୍ତଖତ କରିବେ ବୋଲି ବିଡିଓ କହିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଫାଇଲରେ ଦସ୍ତଖତ କରିବେ ନାହିଁ ବୋଲି କହି ଗାଳିଗୁଲଜ ଆରମ୍ଭ କରିଥିଲେ। ଏଭଳି ବ୍ୟବହାର କରିବାର କାରଣ ପଚାରିବାରୁ ତାଙ୍କୁ ଏବଂ ପତ୍ନୀଙ୍କୁ ଗାଳି କରିଥିବା ପବିତ୍ର ଅଭିଯୋଗ କରିଛନ୍ତି। ତେବେ, ବିଡିଓଙ୍କୁ ଆକ୍ରମଣ ଘଟଣାରେ ରମେଶ ହରିଜନଙ୍କୁ ଥାନାରେ ଅଟକ ରଖାଯାଇଥିବା ତଦନ୍ତକାରୀ ଅଧିକାରୀ ପି.କେ ଖଣ୍ଡୁଆଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର