ଆରମ୍ଭ ହେଲା ବିଧାନସଭା ଅତିଥି ଗୃହ କାମ : ପରିଷ୍କାର ହେଲା ପରିସର, ତିଆରି ହେଲା ରାସ୍ତା

ପୁରୀ : ବିଧାନସଭା ସମ୍ପତ୍ତି ଲୁଟ୍‌ ନେଇ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପରେ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ପୁରୀ ବିଧାନସଭା ଅତିଥି ଗୃହର ନବକଳେବର ଆରମ୍ଭ କରିଛନ୍ତି। ଜଙ୍ଗଲ ପାଲଟିଥିବା ବିଧାନସଭ ଅତିଥି ଗୃହ ପରିସରର ସଫାସୁତୁରା କରିଛନ୍ତି। ଭାଙ୍ଗି ପଡ଼ିଥିବା ରାସ୍ତାକୁ ସଜାଡ଼ିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି।

ଶ୍ରୀକ୍ଷେତ୍ରକୁ ମନ୍ତ୍ରୀ, ବିଧାୟକଙ୍କ ଆଗମନକୁ ନଜରରେ ରଖି ୨୦୦୯ ମସିହାରେ ପୁରୀ ତାଳବଣିଆଠାରେ ବିଧାନସଭା ଅତିଥି ଗୃହ ନିର୍ମାଣ କରାଯାଇଥିଲା। ତାଳବଣିଆଠାରେ ୨ ଏକରରୁ ଅଧିକ ଜାଗାରେ ଅତ୍ୟାଧୁନିକ ଶୈଳୀରେ ବିଧାନସଭାର ଏହି ଅତିଥି ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ଗୃହରେ ବିଧାୟକ କି ମନ୍ତ୍ରୀ, କେହି ଥରୁଟିଏ ବି ପାଦ ଦେଇ ନଥିଲେ। ଫଳରେ ଏହି ଗୃହ ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ି ରହିଥିଲା। କେବଳ ସେତିକି ନୁହେଁ, ଏଠାରେ ଲାଗିଥିବା ଏସି, ଟିଭି, ଝରକା ଦୁର୍ବୃତ୍ତମାନେ ତାଡ଼ି ନେଇଥିଲେ। ଏ ନେଇ ଖବର ସମ୍ବାଦରେ ବିସ୍ତୃତ ଭାବେ ପ୍ରକାଶ ପାଇବା ପରେ ବିଧାନସଭାରେ ଏ ଉପରେ ପ୍ରଶ୍ନ ଉଠିଥିଲା। ବିଧାନସଭାରେ ଏହାକୁ ନେଇ ହୋହଲ୍ଲା ପରେ ଗତ ୧୧ ତାରିଖରେ ବାଚସ୍ପତି ଏହା ଉପରେ ବୈଠକ ଡାକିଥିଲେ। ବୈଠକକୁ ତତ୍କାଳୀନ ବାଚସ୍ପତି ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ଅନ୍ୟମାନଙ୍କୁ ଡକାଯାଇଥିଲା। ବୈଠକରେ ବିସ୍ତୃତ ଆଲୋଚନା ପରେ ପୁଣିଥରେ ଏହି ଅତିଥି ଭବନର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର