ରକ୍ତଭଣ୍ଡାର କର୍ମଚାରୀ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଥିବା ଓଡ଼ିଶା ରକ୍ତଭଣ୍ଡାର କର୍ମଚାରୀ ସଂଘର ଆନ୍ଦୋଳନ ସ୍ଥଗିତ ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ପରେ ସଂଘ ଆନ୍ଦୋଳନରୁ ଓହରି ଯାଇଛି। ଆସନ୍ତା ୧ମାସ ମଧ୍ୟରେ ସଂଘର ଦାବି ପୂରଣ ନ ହେଲେ ନଭେମ୍ବର ୧ରୁ ପୁଣିଥରେ ସଂଘ ଆନ୍ଦୋଳନକୁ ଓହ୍ଲାଇପାରେ ବୋଲି ସୂଚନା ମିଳିଛି। ସଂଘରୁ ମିଳିଥିବା ସୂଚନା ଅନୁସାରେ, ଆଜି ରକ୍ତଭଣ୍ଡର କର୍ମଚାରୀ ସଂଘର କର୍ମକର୍ତାଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହର ପଟ୍ଟନାୟକ ଓ ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦେଶକ ଡା.ଦୀପକ କୁମାର ଦାସମହାପାତ୍ରଙ୍କ ଆଲୋଚନା ହୋଇଥିଲା। ଆସନ୍ତା ୩ତାରିଖରେ ସ୍ବାସ୍ଥ୍ୟ ବିଭାଗର ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ସଂଘର ରହିଥିବା ଦାବି ଉପରେ ଆଲୋଚନା ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଯଦି ଚଳିତମାସ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ କର୍ମଚାରୀମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର ଜଣେ କର୍ମକର୍ତା କହିଛନ୍ତି।

ସମ୍ବନ୍ଧିତ ଖବର