ଭତ୍ତା ପାଇଁ ସକାଳ ୭ରେ ଡାକିଦେଲେ: ୪୧ଂ ଖରାରେ ବରିଷ୍ଠ ନାଗରିକ କଲବଲ

କଟକ-ବିଦ୍ୟାଧରପୁର: ଦିନ ୯ଟା ବାଜିଲା ବେଳକୁ ଖରା ଅସମ୍ଭାଳ ହେଉଛି। ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ସରକାର ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି। କଟକ ସହରରେ ତିନି ଦିନ ହେଲାଣି ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। କିନ୍ତୁ ଆଜି ୧୫୦ରୁ ଅଧିକ ବରିଷ୍ଠ ନାଗରିକ ଭତ୍ତା ପାଇଁ ଆସି ସକାଳ ୭ରୁ ଦିନ ୧୧ଟା ଯାଏଁ ଖରାରେ ଆଉଟୁପାଉଟୁ ହେବା ଘଟଣା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ‌କରିଛି। କଟକ ପୌର ନିଗମରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଏଭଳି ଚରମ ଅବ୍ୟବସ୍ଥା ଆଜି ସାମନାକୁ ଆସିଛି। କଟକ ପୌର ନିଗମ ୱାର୍ଡ ନମ୍ବର ୫୧ରେ ଆଜି ସିଏମ୍‌ସି ପକ୍ଷରୁ ସକାଳ ୭ଟା ବେଳେ ଭତ୍ତା ଦିଆଯିବ ବୋଲି ହିତାଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ୫୧ ନମ୍ବର ୱାର୍ଡ ସାର୍ତ୍ତୋଳ ମଲ୍ଲିକ ସାହି ଗ୍ରାମ ଭାଗବତ ଯୁବକ ସଂଘ ଗୃହରେ ଭତ୍ତା ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁଯାୟୀ ସକାଳ ୭ଟା ବେଳକୁ ୱାର୍ଡର ପାଖାପାଖି ୧୫୦ ବରିଷ୍ଠ ନାଗରିକ ଭାଗବତ ଯୁବକ ସଂଘ ଘର ଅଗଣାରେ ବସି ରହିଥିଲେ। ଖରା ବଢୁଥିବା ବେଳେ ବରିଷ୍ଠ ନାଗରିକମାନେ ଡହଳବିକଳ ହୋଇ ଏଣେତେଣେ
ଛାଇର ଆଶ୍ରା ଖୋଜୁ ଥିଲେ। ସେଠାରେ ସେମାନଙ୍କ ପାଇଁ ପାଣି ଅଥବା ଶୌଚାଳୟର ବି ବ୍ୟବସ୍ଥା ନଥିଲା।

ଭତ୍ତା ପାଇଁ ସକାଳ
୭ରେ ଡାକିଦେଲେ
ସିଓ ଆସିଲେ ୧୧ଟାରେ
ବସିବାକୁ ଜାଗା ନାହିଁ, ପିଇବାକୁ ପାଣି ବି ନାହିଁ

ଦିନ ୧୧ଟା ବେଳକୁ ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା ସିଓ ସସ୍ମିତା ନନ୍ଦ କର୍ମଚାରୀଙ୍କୁ ଧରି ଭତ୍ତା ବାଣ୍ଟିବାକୁ ପହଞ୍ଚିଲେ। ସିଓଙ୍କୁ ଏସଂପର୍କରେ ପଚାରିବାରୁ ସେ ଏଭଳି ଘଟଣାକୁ ନେଇ କୌଣସି ପ୍ରକାର ଦୁଃଖ ପ୍ରକାଶ କରିବା ବଦଳରେ ତାଙ୍କର ସକାଳୁଆ ଅଫିସ ନୁହେଁ ବୋଲି କହିଥିଲେ। ସେ କହିଥିଲେ ଯେ ତାଙ୍କ ଅଫିସ ସମୟ ଦିନ ସାଢେ ଦଶରୁ ଏଗାର। ସେ ଆସିଲା ବେଳେ ରେଳବାଇ ଫାଟକ ବନ୍ଦ ଥିଲା। ତେଣୁ ତାଙ୍କର ଆସିବା ଡେରି ହୋଇଗଲା। କିନ୍ତୁ ବରିଷ୍ଠ ନାଗରିକଙ୍କୁ ସକାଳ ୭ଟାରୁ କାହିଁକି ଡକାଯାଇଥିଲା ବୋଲି ପଚାରିବାରୁ ସେ ତାହାର ଉତ୍ତର ଦେଇ ନଥିଲେ। ସକାଳୁ ଆସି ହନ୍ତସନ୍ତ ହେଉଥିବା ହିତାଧିକାରୀ ଦିବାକର ଜେନା, ବଟକୃଷ୍ଣ ଛାଟୋଇ, ଗଙ୍ଗାଧର ବେହେରା, ରାମଚନ୍ଦ୍ର ସାମଲ, ଦର୍ଶନ ସାମଲ, ସୁରତୀ ସ୍ବାଇଁ ପ୍ରମୁଖଙ୍କୁ ଏ ସଂପର୍କରେ ପଚାରିବାରୁ ସେମାନେ ସମସ୍ତେ କହିଥିଲେ ଯେ ସକାଳ ୭ଟାରେ ଭତ୍ତା ଦିଆଯିବ ବୋଲି ସେମାନଙ୍କୁ ଡକାଯାଇଥିଲା। ସେମାନେ ଆସିବା ପରେ ଘର ତାଲା ପଡିଥିଲା। ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା ତ ନଥିଲା, ପାଣି ଟୋପାଏ ପିଇବା ପାଇଁ ବି ବ୍ୟବସ୍ଥା ହୋଇ ନଥିଲା। ସେମାନଙ୍କୁ ଖରାରେ ଏଭଳି ଡାକି ଏଭଳି କଲବଲ କରାଯାଉଛି ବୋଲି ହିତାଧିକାରୀମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର