ରାଜଧାନୀ ପ୍ରତିଷ୍ଠା ଦିବସ : ଉନ୍ନତମାନର ପ୍ରେକ୍ଷାଳୟ ନାହିଁ, ସାହା କେବଳ ରବୀନ୍ଦ୍ର ମଣ୍ଡପ

ସସ୍ମିତା ସାହୁ
ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳାର ପ୍ରଚାରପ୍ରସାର ପାଇଁ ରାଜଧାନୀ ଭୁବନେଶ୍ବର ଉତ୍କୃଷ୍ଟ ସ୍ଥାନ। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲା ବେଳେ କଳାପ୍ରେମୀ ଦର୍ଶକଙ୍କ ସଂଖ୍ୟା ବି ଅଧିକ। କିନ୍ତୁ ଭିତ୍ତିଭୂମିର ଅଭାବ ସହରବାସୀଙ୍କୁ ମନୋରଞ୍ଜନରୁ ବଞ୍ଚିତ କରୁଛି। ଏବେ ରାଜଧାନୀରେ ଗୋଟିଏ ଜାଗାରେ ହଜାରେ ଲୋକ ଏକାଠି ବସି ମନୋରଞ୍ଜନ କରିବା ସମ୍ଭବ ହେଉନାହିଁ। ରାଜଧାନୀ ପ୍ରତିଷ୍ଠାର ୭୪ ବର୍ଷ ପରେ ଏହି ଅଭାବବୋଧ ସମ୍ପର୍କରେ ସରକାର କିମ୍ବା ବିଏମ୍‌ସି ଚିନ୍ତା ନ କରିବା ଲୋକମାନଙ୍କୁ ବ୍ୟଥିତ କରିଛି।

ରାଜ୍ୟ ସଂସ୍କୃତି ବିଭାଗ ଅଧୀନସ୍ଥ ରବୀନ୍ଦ୍ର ମଣ୍ଡପର ଉନ୍ନତମାନର ଭିତ୍ତିଭୂମି କିଛିମାତ୍ରାରେ କଳାପ୍ରେମୀଙ୍କ କଳାତୃଷ୍ଣା ମେଣ୍ଟାଇବାରେ ସଫଳ ହୋଇଛି। କିନ୍ତୁ ଏଠାରେ ମଧ୍ୟ ଏକା‌ସାଥେ ୮୦୦ ଲୋକ ହିଁ ବସି ପା‌ରିବେ। ଏହି ବିଭାଗ ଅଧୀନରେ ଉତ୍କଳ ମଣ୍ଡପ ଥିଲେ ମଧ୍ୟ ଏହା ଖୋଲା ମଞ୍ଚ ହୋଇଥିବାରୁ ସାଧାରଣ ଅନୁଷ୍ଠାନ ପକ୍ଷେ ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରିବା ବ୍ୟୟବହୁଳ। ଭଞ୍ଜକଳା ମଣ୍ଡପ ଏ ଯା‌ଏ ଉନ୍ନତମାନର ହୋଇପାରୁ ନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନ ରହିଛି। କିନ୍ତୁ ଏହି ଦୁଇଟି ପ୍ରେକ୍ଷାଳୟ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ବାଦ୍ କିଛି ସଂଗଠନ ଛୋଟ ଛୋଟ ସମ୍ମିଳନୀ କକ୍ଷ କରିଥିଲେ ବି ସେଠାରେ ପ୍ରେକ୍ଷାଳୟ ପରି ଭିତ୍ତିଭୂମି ନାହିଁ। କିଛି ଘରୋଇ ଶିକ୍ଷାନୁଷ୍ଠାନ ନିଜ ନିଜ କ୍ୟାମ୍ପସ୍‌ରେ ଉନ୍ନତମାନର ପ୍ରେକ୍ଷାଳୟ କରିଥିଲେ ବି ତାହାର ଦର ଉଚ୍ଚା ରହୁଥିବାରୁ ସେଠାରେ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହେଉ ନାହିଁ।

ବହୁ ବର୍ଷ ହେଲା ସହରରେ ସରକାରୀ ଉଦ୍ୟମରେ ଅତ୍ୟାଧୁନିକ ପ୍ରେକ୍ଷାଳୟଟିଏ ନିର୍ମାଣ ହୋଇପାରୁ ନାହିଁ। ରାଜଧାନୀରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ମନୋରଞ୍ଜନର ଭାର ଏକା ରବୀନ୍ଦ୍ର ମଣ୍ଡପ ତୁଲାଉଛି।

ସମ୍ବନ୍ଧିତ ଖବର