କାଳିଆ ଯୋଜନା ସମୀକ୍ଷା କଲେ ମୁଖ୍ୟ ସଚିବ : ଜାନୁଆରି ୨୦ରେ ଚାଷୀ ତାଲିକା

ନାମ ସାମିଲ ପାଇଁ ସବୁଜ ରଙ୍ଗ ଆବେଦନ ଫର୍ମ, ବାଦ ପାଇଁ ନାଲି ରଙ୍ଗ ଆବେଦନ ଫର୍ମ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ସାମିଲ୍ ହେବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ପଞ୍ଚାୟତ ଓ ପ୍ରାଥମିକ ସମବାୟ ସମିତି ଜରିଆରେ କରାଯାଉଛି। ପ୍ରାଥମିକ ତାଲିକା ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତି ଅଫିସ ଆଗରେ ପ୍ରକାଶ କରାଯାଇଛି। ଚାଷୀମାନଙ୍କ ନାମ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛି କି ନାହିଁ, ସେମାନେ ଯାଞ୍ଚ୍ କରିପାରିବେ। ଆବଶ୍ୟକ ସ୍ଥଳେ ସେମାନଙ୍କ ନାମ ତାଲିକାଭୁକ୍ତ କରାଇପାରିବେ। ଚଳିତ ମାସ ୨୦ ତାରିଖରେ ହିତାଧିକାରୀ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ନୂଆ ବର୍ଷରୁ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ପାଇଁ ସଚିବାଳୟରେ ଯୋଜନାର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନାମ ପଞ୍ଜିକରଣ କରିବା କାର୍ଯ୍ୟକୁ ତ୍ବାରାନ୍ବିତ କରିବାକୁ ପଦକ୍ଷେପ ନିଆଯାଉଛି। କାଳିଆ ଯୋଜନାର ୫ଟି ସର୍ତ୍ତାବଳୀ ଅନୁଯାୟୀ ଯେଉଁ ଚାଷୀମାନେ ଆୟକରଦାତା, ସରକାରୀ କର୍ମଚାରୀ କିମ୍ବା ଯାହାର ଜମି ପରିମାଣ ୫ ଏକରରୁ ଅଧିକ ହୋଇଥିବ ସେସବୁ ଚାଷୀ ନାଲି ରଙ୍ଗ ଫର୍ମ ଆବେଦନ କରି ନିଜ ନାମ ତାଲିକାରୁ ବାଦ ଦେଇପାରିବେ। ନଚେତ୍ ସେସବୁ ଚାଷୀ ପୂର୍ବରୁ ଏହି ଯୋଜନାରେ ନେଇଥିବା ଆର୍ଥିକ ସହାୟତା ଫେରସ୍ତ କରିବା ସହ ଆର୍ଥିକ ଜରିମାନାରେ ଦଣ୍ଡିତ ହେେବ। ସେହିପରି ଯେଉଁ ଚାଷୀମାନଙ୍କର ତାଲିକାରେ ନାମ ନ ଥିବ ସେମାନେ ସବୁଜ ରଙ୍ଗର ଫର୍ମରେ ଆବେଦନ କରି ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ପଞ୍ଚାୟତ ଅଫିସରେ ଦାଖଲ କରିପାରିବେ। ଉଭୟ ସବୁଜ ଓ ନାଲି ରଙ୍ଗ ଫର୍ମ ପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିମାନଙ୍କ ପାଖରେ ଉପଲବ୍ଧ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନାମ ଯୋଡ଼ିବା ଓ ବାଦ ଦେବା ପାଇଁ ଆବେଦନ କରିବାର ସମୟସୀମା ଚଳିତ ମାସ ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସମୀକ୍ଷା ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ, ପଞ୍ଚାୟତ ରାଜ ସଚିବ, ସମବାୟ ସଚିବଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର