ଆସନ୍ତାକାଲି ସକାଳ ୭ଟାରେ ଭୁବନେଶ୍ୱର ପହଂଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଆ ଝିଅ ତଥା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ରବିବାର ସକାଳ ୭ଟାରେ ଭୁବନେଶ୍ୱରରେ ପହଂଚିବ। ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଶନିବାର ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଳ୍ପନାଙ୍କ ମରଶରୀର ଆଜି ରାତିରେ ପହଂଚିବାର ଥିଲା କିନ୍ତୁ ଦିଲ୍ଲୀରେ ଭୁବନେଶ୍ୱର ପାଇଁ ବିମାନ ଉପଲବ୍ଧ ନହେବାରୁ ପର୍ବତାରୋହୀଙ୍କ ମରଶରୀର ଆଜି ଆସିପାରି ନାହିଁ। କଳ୍ପନାଙ୍କ ମରଶରୀରକୁ ଗୁରୁବାର ବେସ୍‌ କ୍ୟାମ୍ପ-୪ରୁ ସ୍ୱତନ୍ତ୍ର ହେଲିକପ୍ଟଟ ଯୋଗେ ନେପାଳର ରାଜଧାନୀ କାଠମାଣ୍ଡୁକୁ ଅଣାଯାଇଥିଲା। ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଦିଲ୍ଲୀ ଅଣାଯାଇଥିଲା। କଳ୍ପନାଙ୍କ ପାର୍ଥିବ ଶରୀର ରବିବାର ଅନ୍ତିମ ସଂସ୍କାର ହୋଇପାରେ।

ସୂଚନାଯୋଗ୍ୟ ଗତ ୨୩ ତାରିଖରେ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିଲା। କଳ୍ପନା ନିଜର ଶେଷ ନିଶ୍ୱାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଥିଲେ। ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍‌ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଏହି ଖବରକୁ ସ୍ପଷ୍ଟ କରିଥିଲେ। ସେ ହିମାଲୟନ୍‌ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଏହି ଖବର ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ଵାଟସଆପ୍‌ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଥିଲେ। ଏହି ଖବର ଓଡ଼ିଶା ଦୁଃସାହସିକ କ୍ରୀଡ଼ା ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି।

SheThePeople

ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ୍‌ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିଲେ। ୨୦୦୪ ଏବଂ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଏହି ଢେଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହାସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର