ନିଟ୍‌ ପାଇଁ ଡ୍ରେସ୍‌କୋଡ୍‌ : ଜୋତା ଓ ଫୁଲ୍‌ ସାର୍ଟ ମନା

ଓଡ଼ିଶାର ୭ଟି ସହରରେ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୬ରେ ଅନୁଷ୍ଠିତ ହେବ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)। ସର୍ବଭାରତୀୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାରେ କପି ରୋକିବା ଲାଗି ଏଥର ବି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ (ସିବିଏସ୍‌ଇ) କର୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରୀକ୍ଷାର୍ଥୀ ଯେପରି କେନ୍ଦ୍ରରେ କପି ନ କରନ୍ତି ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଜୋତା ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ପୋଷାକ ଉପରେ ମଧ୍ୟ ଲାଗିଛି ଲଗାମ। ହାଲ୍‌କା ରଙ୍ଗର ହାଫ୍‌ ସାର୍ଟ ପିନ୍ଧି ଆସିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି। ଗତବର୍ଷ କେତେକ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା। ତାହାକୁ ଦୃଷ୍ଟିରେ ରଖି ଏଥର ନିୟମରେ କିଛିଟା କୋହଳ କରିଛନ୍ତି ସିବିଏସ୍‌ଇ କର୍ତୃପକ୍ଷ। ଯେଉଁ ପରୀକ୍ଷାର୍ଥୀ ପରମ୍ପରା ସହ ଜଡ଼ିତ ପୋଷକ ପିନ୍ଧି ଆସିଥିବେ ସେମାନଙ୍କୁ ଅନୁମତି ଦିଆଯିବ। ହେଲେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିିବାର ଏକ ଘଣ୍ଟା ପୂର୍ବରୁ ପହଞ୍ଚି ଏ ସମ୍ପର୍କରେ ଅବଗତ କରିବେ। ଫଳରେ ପରୀକ୍ଷାର୍ଥୀଙ୍କ ଯାଞ୍ଚ ଠିକ୍‌ ଭାବେ ହୋଇପାରିବ।

ପରୀକ୍ଷାର୍ଥୀ ଯେଉଁ ହାଲ୍‌କା ରଙ୍ଗର ହାଫ୍‌ ସାର୍ଟ ପୋଷାକ ପିନ୍ଧିବେ ସେଥିରେ ବଡ଼ ବଟମ୍‌, ପିନ୍‌, ଫୁଲ ଆଦି ଲାଗି ନ ଥିବା ଆବଶ୍ୟକ। ସାଲଓ୍ଵାର/ପାଇଜାମା ପରିଧାନ କରିପାରିବେ। ଜୋତା ପିନ୍ଧିବାକୁ ବାରଣ ହୋଇଛି। କିନ୍ତୁ କମ୍‌ ହିଲ୍‌ ଥିବା ଚପଲ, ସ୍ଲିପର୍‌ ଆଦି ପିନ୍ଧି ଆସିପାରିବେ। ଜ୍ୟାମିତି/ପେନ୍‌ସିଲ୍‌ ବାକ୍ସ, ହ୍ୟାଣ୍ଡବ୍ୟାଗ୍‌, ବେଲ୍‌ଟ, ଟୋପି, ଅଳଙ୍କାର, ଘଣ୍ଟା ପରି ସମଗ୍ରୀ ପିନ୍ଧିବା ଉପରେ ବି କଟକଣା ଜାରି କରାଯାଇଛି।

ମେ’ ୬ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ପୂର୍ବାହ୍ନ ୯ଟା ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏଥିପାଇଁ ଗତ ଏପ୍ରିଲ ୧୭ରୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଛି। ପରୀକ୍ଷା ଲାଗି ଓଡ଼ିଶାର ୭ଟି ସହରରେ କେନ୍ଦ୍ର କରାଯିବ। ଅନୁଗୁଳ ସମେତ ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ କେନ୍ଦ୍ରଗୁଡ଼ିକ ରହିବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର