ଟାର୍ଗେଟରେ ଯୁବପିଢ଼ି, ଅନ୍ ଲାଇନ୍ ତାଲିମ ଦେଉଛି ଜମତରା ଗ୍ୟାଙ୍ଗ୍‌

ଭୁବନେଶ୍ବର : କୁଖ୍ୟାତ ସାଇବର୍‌ ଠକ ଗ୍ୟାଙ୍ଗ୍‌ ‘ଜମତରା’ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ଆପରାଧିକ ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି। ସେମାନଙ୍କୁ ସାଇବର୍‌ ଠକେଇର କୌଶଳ ଶିଖାଇବା ସହ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଉଛନ୍ତି। ବିଭିନ୍ନ ରାଜ୍ୟର ପୁଲିସ୍‌ ଜମତରା ଗ୍ୟାଙ୍ଗ୍‌ର ପୂରା ନେଟ୍‌ୱର୍କକୁ ଧ୍ବସ୍ତ କରିବା ପାଇଁ ଜୋରସୋର୍‌ରେ ଲାଗି ପଡ଼ିଥିବାରୁ ସେମାନେ ଏବେ ଏ ନୂଆ କୌଶଳ ଆପଣାଇଛନ୍ତି। ବିଭିନ୍ନ ରାଜ୍ୟର ଆପରାଧିକ ଗୋଷ୍ଠୀକୁ ଚିହ୍ନଟ କରିବା ସହ ସେମାନଙ୍କୁ ଅନ୍‌ ଲାଇନ୍‌ରେ ସାଇବର୍‌ ଠକେଇର କୌଶଳ ଶିଖାଉଛନ୍ତି ଓ ଏହା ପ୍ରତିବଦଳରେ ସେମାନଙ୍କଠାରୁ କମିସନ୍‌ ନେଉଛନ୍ତି। ସିମ୍‌ କ୍ଲୋନିଂଠାରୁ ଆରମ୍ଭ କରି ନଗ୍ନ ଭିଡିଓ, ଏଡିଟ୍‌ ଫଟୋ ପଠାଇ ଲୋକଙ୍କୁ ବ୍ଲାକମେଲ୍‌ କରିବାର କୌଶଳ ମଧ୍ୟ ଶିଖାଉଛନ୍ତି।

ଏହି କାର୍ଯ୍ୟରେ ଜମତରା ଗ୍ୟାଙ୍ଗ୍‌କୁ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗର ଏକ ଗୋଷ୍ଠୀ ଅନ୍ୟ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ସେମାନେ ଜମତରା ଗ୍ୟାଙ୍ଗକୁ ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଯୋଗାଉଛନ୍ତି। ସେମାନେ ଯୋଗାଉଥିବା ସିମ୍ ଓ ମୋବାଇଲ୍‌ଗୁଡ଼ିକୁ ଟ୍ରାକିଂ କରିବା ବି କଷ୍ଟକର।

ଫଳରେ ସେମାନେ ସାଇବର ଅପରାଧ ଘଟାଇ ସହଜରେ ପୁଲିସକୁ ଚକ୍‌ମା ଦେଇପାରି‌ବେ। ଜଣାପଡ଼ିଛି ଯେ ଜମତରା ଗ୍ୟାଙ୍ଗର ସଦସ୍ୟମାନେ ବେକାର ଯୁବଗୋ‌ଷ୍ଠୀ ନିକଟରେ ବ୍ୟାପକ ଭାବରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଗୋଷ୍ଠୀର ସହାୟତା ନେଉଛନ୍ତି। ଟେଲିଗ୍ରାମ, ହ୍ବାଟ୍ସ-ଆପ୍‌, ମେସେଞ୍ଜର ଭଳି ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି। ବିଭିନ୍ନ ଚାକିରିର ଲୋଭ ଦେଖାଇ ସେମାନଙ୍କୁ ଜାଲ‌ରେ ପକାଉଛନ୍ତି। ସେହିପରି ଲୋକଙ୍କୁ ଲଟେରି, କ୍ରେଡିଟ୍‌କାର୍ଡ, ବ୍ୟାଙ୍କରେ ଋଣ ମିଳିବାର ଲୋଭ ଏଭଳି ବିଭିନ୍ନ ସ୍କିମ୍‌ର ଲୋଭ ଦେଖାଇ ଲିଙ୍କ ପଠାଉଛନ୍ତି। ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଲୋକ ସାଇବର ଲୁଟେରାଙ୍କ ଜାଲରେ ଫସି ଲୁଟ୍‌ର ଶିକାର ହେଉଛନ୍ତି। ଏହାଛଡ଼ା ଲୋକଙ୍କୁ ସୁନ୍ଦର ସୁନ୍ଦର ଯୁବତୀଙ୍କ ପାଲରେ ପକାଇ ସେମାନଙ୍କର ଅଶ୍ଳୀଳ ଭିଡିଓ, ଫଟୋ କରି ବ୍ଲାକମେଲିଂ କରୁଛନ୍ତି। ଟଙ୍କା ନଦେଲେ ଅଶ୍ଳୀଳ ଫଟୋ ଓ ଭିଡିଓକୁ ପୋଷ୍ଟକରି ଭୟ ସୃଷ୍ଟି କରୁଛନ୍ତି। ପୂର୍ବରୁ ଓଡ଼ିଶାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ନେଇ ଅନେକ ଠକେଇ ମାମଲାର ନଜିର ରହିଛି। କେତେକ ସାଇବର ଠକେଇ ମାମଲାରେ କମିସନରେଟ୍‌ ପୁଲିସ ବି ଜମତରା ଗ୍ୟାଙ୍ଗର କେତେକ ସହଯୋଗୀଙ୍କୁ ଗିରଫ କରିଛି। ବର୍ତ୍ତମାନ ଏହି ଗ୍ୟାଙ୍ଗ ପୁଣି ସକ୍ରିୟ ହେବା ରାଜ୍ୟ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର