ଆଜି ବାମରାର ପ୍ରସିଦ୍ଧ ମକର ମେଳା

ଗଡପୋଷ/ବାମରା: ବାମରା ବ୍ଲକ ମହକୁମାରେ ମକର ମେଳା ଶନିବାର ପାଳିତ ହେବାକୁ ଯାଉଛି। ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଏହି ମେଳାର ଶୁଭାରମ୍ଭ ହେବ। ହର ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ନୁନିଆମୁଣ୍ଡା, ଡୁମେରମୁଣ୍ଡା, ବାମରା ବସ୍ତି, ବସଷ୍ଟାଣ୍ଡ, ବ୍ଲକ ଛକ, ଗୁଣ୍ଡିଚା ମନ୍ଦିର ଦେଇ ୮ କିମି ରାସ୍ତା ପାରି ହୋଇ ପହଞ୍ଚିବେ ଗୋବିନ୍ଦପୁର ମକର ମେଳଣ ପଡ଼ିଆରେ। ସକାଳ ୧୦ଟାରୁ ଶୋଭାଯାତ୍ରାରେ ଭକ୍ତମାନେ ସାମିଲ ହୋଇ ରଥ ଟାଣିବେ। ଘଣ୍ଟ ବାଦ୍ୟ, ଦୁଲଦୁଲି, ଆଦିବାସୀ କିଷାନ ନୃତ୍ୟ ସମେତ ବିଭିନ୍ନ ଗାଁ’ରୁ ଆସିଥିବା ସଂପ୍ରଦା ମଣ୍ଡଳୀ, କୀର୍ତ୍ତନ ମଣ୍ଡଳୀ ଓ କୃଷ୍ଣଗୁରୁ ଦଳ ଏଥିରେ ସାମିଲ ହେବେ। ପରେ ବାମରା ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥ ମଦନ ମୋହନ ବେଶରେ ହରି ମହାପ୍ରଭୁ ରଥାରୁଢ ହୋଇ ପହଞ୍ଚିବେ ମେଳଣ ପଡ଼ିଆକୁ।

ହରିହର ମିଳନ ପରେ ଶ୍ରଦ୍ଧାଳୁମାନେ ମକର ବସିବେ। ଏହି ଯାତ୍ରା ୭ ଦିନ ଧରି ହେବାକୁ ଥିବାରୁ ବାମରା ସଂପୂର୍ଣ୍ଣ ଉତ୍ସବମୁଖର ହୋଇଉଠିଛି। ଦୈନନ୍ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହା ସହ ମେଳାକୁ ବ୍ୟବସାୟୀଙ୍କ ମଧ୍ୟ ସୁଅ ଛୁଟିଥାଏ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ଏହି ମେଳାରେ ସାମିଲ ହୁଅନ୍ତି। ଏଥି ପାଇଁ ପ୍ରାୟ ୧୫ ଶହରୁ ଅଧିକ ଷ୍ଟଲର ବ୍ୟବସ୍ଥା କରାଯାଇଛି। ପୁଲିସ, ବିଦ୍ୟୁତ, ଅଗ୍ନିଶମ ବିଭାଗ ସମେତ ଆଶୁ ଚିକିତ୍ସା ଦଳ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରେଳ ଷ୍ଟେସନରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରେଳ ବିଭାଗ ତରଫରୁ ଜିଆରପି ଓ ଆର୍‌ପିଏଫ୍‌ ମୁତୟନ କରାଯାଇଛି। ଭିଡ଼ ସମ୍ଭାଳିବା ପାଇଁ ବାମରା ଷ୍ଟେସନରେ ସମସ୍ତ ଟ୍ରେନ ରହଣି ସମୟକୁ ବୃଦ୍ଧି କରାଯିବା ପାଇଁ କମିଟି ପକ୍ଷରୁ ଡିଆର୍‌ଏମ୍‌ଙ୍କୁ ଲିଖିତ ସୂଚନା ଦିଆଯାଇଛି। ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ଚଳିତ ବର୍ଷ ଐତିହାସିକ ବାମରା ମକର ଯାତ୍ରା ୧୦୦ ବର୍ଷ ପୂର୍ତ୍ତି କରିଥିବା କମିଟିର ସଭାପତି ଦୁର୍ଗା ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ଏହି ଉପଲକ୍ଷେ ଗତ ଡିସେମ୍ବର ମାସରେ କ୍ରିକେଟ ଓ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚଳିତ ମାସ ୮ ତାରିଖ ଦିନ ବାମରା ଟିଏଫ୍‌ କଲେଜରେ କମିଟି ପକ୍ଷରୁ ୩ଟି ବର୍ଗରେ ଗୀତ, ହସ୍ତାକ୍ଷର, ବିତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୬୦ଟି ସ୍କୁଲର ୭୮୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହିପରି ୯ ତାରିଖ ଦିନ ଜଗନ୍ନାଥ ମନ୍ଦିରରୁ ମଶାଲ ଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ୧୦ ତାରିଖରେ ଆୟୋଜିତ ମାରାଥନରେ  ୧୨୯୦ ଜଣ ଭାଗ ନେଇଥିଲେ। ୧୬ କିମି ପର୍ଯ୍ୟନ୍ତ ହୋଇଥିବା ଏହି ମାରାଥନକୁ ୬୨୫ ଜଣ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ। ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର