ସାଙ୍ଗରେ ସୁରତ ଯିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀର ଆତ୍ମହତ୍ୟା

ବୁଗୁଡ଼ା: ସାଙ୍ଗରେ ମିଶି ସୁରତ ଯିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀର ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଖୋଳଖାଳି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଜଣକ ହେଲେ, ଏହି ଗ୍ରାମର ପାଇକସାହିର ନାରାୟଣ ପ୍ରଧାନଙ୍କ ସାନ ପୁଅ ସୂର୍ଯ୍ୟ ପ୍ରଧାନ (୩୨)। ଆଜି ମଧ୍ୟାହ୍ନରେ ସୁବୁଦ୍ଧିପଲ୍ଲୀ ଗାଁ କେନାଲ୍ ନିକଟସ୍ଥ କାଜୁତୋଟାରୁ ତାଙ୍କ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି।

ସୂର୍ଯ୍ୟ ସୁରତରେ ରହି କାମ କରୁଥିବା ବେଳ‌େ ପତ୍ନୀ ବର୍ଷେ ହେଲା ଖୋଳଖାଳି ଗ୍ରାମରେ ଶାଶୂଶ୍ବଶୁରଙ୍କ ପାଖରେ ରହୁଥିଲେ। ପ୍ରାୟ ୧୨ ଦିନ ତଳେ ସ‌େ ନିଜ ଘର ଖୋଳଖାଳି ଗ୍ରାମକୁ ଆସିଥିଲେ। ତେବ‌େ ଚରିତ୍ରକୁ ସନ୍ଦେହ କରି ସୂର୍ଯ୍ୟ ମାରଧର୍ କରୁଥିବା ନେଇ ଅଭିଯୋଗ ଆଣି ପତ୍ନୀ ଥାନାର ଦ୍ବାରସ୍ଥ ହୋଇଥି‌ଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରିବା ସହ ଉଭୟ ପକ୍ଷକୁ ଥାନାକୁ ଡାକି ଆପୋସ ସମାଧାନ କରିଥିଲା। ଉଭୟ ପକ୍ଷ ଲିଖିତନାମା ମଧ୍ୟ ଦେଇଥିଲେ।
ଆଉ ସୂର୍ଯ୍ୟଙ୍କ ସାଙ୍ଗରେ ସୁରତ ପଳାଇବାକୁ ପତ୍ନୀଙ୍କୁ ପରାମର୍ଶ ଦିଆଯାଇଥିଲା।

ତେବ‌େ ସୂର୍ଯ୍ୟ ମାରଧର୍ କରୁଥିବା ଦର୍ଶାଇ ପତ୍ନୀ ଯିବାକୁ ରାଜି ହୋଇ ନଥିଲେ। ଫଳରେ ଉଭୟଙ୍କୁ ଚିନ୍ତା କରିବାକୁ ସମୟ ଦେଇ ଘରକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି। କିନ୍ତୁ ସୂର୍ଯ୍ୟ ମାନସିକ ଭାବେ ଭାଙ୍ଗି ପଡ଼ି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ କାଜୁତୋଟାରେ ଥିବା ଗଛରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ଏନେଇ କେସ୍ ନମ୍ବର ୨୪ ଅନୁସ‌ାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ସମ୍ବନ୍ଧିତ ଖବର