ନିଜ ମାଟିର ମୋହରେ ଭିନ୍ନତା ରହିଛି, ନିଜ ମାଟିର ଆକର୍ଷଣ ନିଆରା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଲେ- ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ ଓଡ଼ିଶା, ଏହି ସମୟ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ। ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା କହିଛନ୍ତି। ରାଷ୍ଟ୍ରପତି ‘ଜୟ ଜଗନ୍ନାଥ’  କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି। ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ଏଥିସହ ରାଷ୍ଟ୍ରପତି କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କର ନୁହନ୍ତି, ସେ ଭାରତ ଓ ବିଶ୍ବବାସୀଙ୍କର ଆରାଧ୍ୟ । ତେଣୁ ବିଶ୍ବର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି। ଦାତାପଣରେ ଜଗନ୍ନାଥଙ୍କ ସମକକ୍ଷ କେହି ହୋଇପାରିବେ ନାହିଁ। ପୁରୀରେ ଏଏସ୍ଆଇର କାର୍ଯ୍ୟାଳୟ ଖୋଲିବା ନେଇ ଦାବି ହୋଇଥିଲା। ପୁରୀରେ ନୂଆ ସର୍କଲ ଅଫିସ ଖୋଲାଯାଇଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଉଛି।

ଭାରତର ପ୍ରତି ପ୍ରଦେଶ ମୋର ବେଶ ଆପଣାର ହୋଇପାରିଛି। ଭାରତର ମାଟି ସୁନା ଭଳି। ଭାରତର ପ୍ରତି ବୃକ୍ଷ କଳ୍ପବଟ। ଭାରତର ଯେଉଁଠି ଥିଲେ ବି ତାହା ମୋର ଘର। ଉତ୍କଳମଣି ଗୋପବନ୍ଧୁଙ୍କ ଲେଖା ମୋତେ ଅନୁପ୍ରାଣିତ କରିଛି। ନିଜ ଅଞ୍ଚଳର ସବୁକିଛି ନିଆରା। ଓଡ଼ିଶା ଆସି ବହୁତ ଖୁସି ଲାଗୁଛି। ଚିଳିକା ପରି ହ୍ରଦ, ଶିମିଳିପାଳ ଭଳି ବୃହତ ଜୈବବିବିଧତାର ଓଡ଼ିଶାର ଭୂଗୋଳକୁ ବଡ଼ ଅବଦାନ ରହିଛି। ଅହିଂସାର ସ୍ବର ଓଡ଼ିଶା ମାଟିରୁ ଶୁଭିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହା ପୂର୍ବରୁ ରାଷ୍ଟ୍ରପତି ଦୟାନଦୀ କୂଳରେ ଘଟିଥିବା ରକ୍ତପାତ ଘଟଣା, ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଓ ଓଡ଼ିଶାର ନୌବାଣିଜ୍ୟ ପରଂପରାକୁ ମନେ ପକାଇଥିଲେ। ସେ କହିଥିଲେ ଭାଷାଭିତ୍ତିକ ଭାବେ  ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ବ୍ରିଟିଶ ବିରୋଧୀ ଆନ୍ଦୋନଳ ଓଡ଼ିଶାରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହରେ ଓଡ଼ିଶା ସାମିଲ ହୋଇଥିଲା। ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ରମାଦେବୀ, ମାଳତୀ ଦେବୀ ଓ ସରଳା ଦେବୀ ସ୍ବାଧୀନତା ସଂଗ୍ରାମକୁ ଆହୁରି ବଳ ଦେଇଥିଲେ। ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ମଧ୍ୟ ସକ୍ରିୟ ଥିଲା। ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଭଦ୍ରକ ଜିଲ୍ଲାର ରକ୍ତତୀର୍ଥ ‘ଇରମ’ରେ ୨୯ ଜଣ ସହିଦ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଡ ହରେକୃଷ୍ଣ ମହତାବଙ୍କ ଅବଦାନକୁ ଭୁଲିହେବ ନାହିଁ।

ଭାରତର ୮ଟି ଶାସ୍ତ୍ରୀୟ ସଂଗୀତ ମଧ୍ୟରୁ ଓଡ଼ିଶୀ ଅନ୍ୟତମ। ସେହିପରି ଦେଶର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଓଡ଼ିଶାର ଆଞ୍ଚଳିକ ଗୀତ ଦେଶର ନୃତ୍ୟକୁ ମଧ୍ୟ ସମୃଦ୍ଧ କରିଛି। ଭାରତର ଭାସ୍କର୍ଯ୍ୟକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ଓଡ଼ିଶା ଆଉ ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ। ତେଣୁ ଏହି ସମୟ ଗୁରୁତ୍ବପୂର୍ଣ୍ଣ।

ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ କହିଥିଲେ, ଏହା ହେଉଛି ଓଡ଼ିଶା ମାଟି। ଏହି ମାଟିରେ ଆପଣଙ୍କର ଜନ୍ମ। ଆପଣ ବାରମ୍ବାର ଓଡ଼ିଶା ମାଟିକୁ ଆସନ୍ତୁ ଏହା ଆମର ଆଶା। ସ୍ବାଗତ ଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏ ମାଟିର କନ୍ୟା ଆମ ସମସ୍ତରଙ୍କର ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି। ପ୍ରଥମ ଓଡ଼ିଆ ଝିଅ ଓ ଜନଜାତି ସଂପ୍ରଦାୟରୁ ରାଷ୍ଟ୍ରପତି ହୋଇ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏଥି ପାଇଁ ଆମେ ଗର୍ବ ଅନୁଭବ କରୁଛେ। ରାଷ୍ଟ୍ରପତି ହେଲା ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି। ରାଜ୍ୟବାସୀ ଏଥି ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି। ରାଇରଂଗପୁରରୁ ରାଇସିନା ହିଲ ପହଞ୍ଚିଛନ୍ତି। ସ୍ବପ୍ନକୁ ବଡ଼ କରିଛନ୍ତି। ଶିକ୍ଷାର ଆରମ୍ଭରୁ ବହୁତ ସଂଘର୍ଷ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଆପଣଙ୍କର ସହିତ ରହିଛି। ମୁଁ ଆପଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି।

ସମାରୋହରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ବର୍ଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ବୋଇତ ବନ୍ଦାଣର ସ୍ମାରକୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ଚକ୍ର, ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଆଦିବାସୀ ନୃତ୍ୟର ସ୍ମାରକୀ, ମୁଖ୍ୟ ବିଚାରପତି ଏସ୍ ମୁରଲୀଧରନ ସ୍ବତନ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ‘ସଉରା ଚିତ୍ରକଳା’, ବିଏମସି ମେୟର ସୁଲୋଚନା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମାଣ୍ଡିଆ ଚାଷୀ ଶ୍ରୀମତୀ ସୁବାସ ମହାନ୍ତ, ସୁସାହିତ୍ୟିକା ଡା. ପ୍ରତିଭା ରାୟ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପୂର୍ଣ୍ଣିମା କିଞ୍ଚାଇ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଡା. ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁରୀ ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଉର୍ଦ୍ଦୁ କବି ଖୱାର ନକ୍ଭୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଓ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲ ପୁରସ୍କାର ପ୍ରାପ୍ତ ପ୍ରେମଲତା ବାରିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା।  ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋଟ୍ର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ମେୟର ସୁଲୋଚନା ଦାସ ମଂଚାସୀନ ଥିଲେ।

ସମ୍ବନ୍ଧିତ ଖବର