ଆର୍‌ଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଂଗ‌ : ସରକାରଙ୍କୁ ତିନି ମାସ ସମୟ

କଟକ : ଆର୍‌ଟିଓ ଏଜେଣ୍ଟଙ୍କୁ ଥଇଥାନ ପ୍ରସଙ୍ଗରେ ୨୦୧୯ ନଭେମ୍ବର ୧୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାରଙ୍କୁ ତିନିମାସ ସମୟ ମିଳିଛି। ଗତ ନଭେମ୍ବର ୧୫ରେ ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଜେଣ୍ଟ୍‌ଙ୍କ ଥଇଥାନ ପ୍ରକ୍ରିୟା ୨ ମାସ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଥିପାଇଁ ଅଧିକ ସମୟ ଲୋଡ଼ି ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ତିନିମାସ ଭିତରେ ନଭେମ୍ବର ୧୫ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆଉ ଅଧିକ ସମୟ ପ୍ରଦାନ କରାଯିବ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ସଂଶୋଧିତ ମଟରଯାନ ଆଇନ ଆସିବା ପରେ ଆରଟିଓରୁ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ନୂଆ ଆଇନ କାର୍ଯ୍ୟକାରୀ ପରେ ଆରଟିଓରେ ଭିଡ଼ ବଢିଥିବା ବେଳେ ଏଜେଣ୍ଟ ଓ ମଧ୍ୟସ୍ଥିଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା। ଲୋକଙ୍କୁ ଶୋଷଣ ଅଭିଯୋଗ ହୋଇଥିଲ। ୨୦୧୯ ସେପ୍ଟେମ୍ବର ୨୭ରେ ଏ ନେଇ ପରିବହନ କମିସନର ନିର୍ଦ୍ଦେଶନାମା ଜାରି କରିଥିଲେ। ପରିବହନ କାର୍ଯ୍ୟାଳୟ ପରିସରକୁ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଏହାପରେ ଏଜେଣ୍ଟଙ୍କୁ ଆରଟିଓ ସାମ୍ନାରୁ ହଠାଇ ଦିଆଯାଇଥିଲା। କେତେକ ଏଜେଣ୍ଟଙ୍କୁ ପୁଲିସ ମଧ୍ୟ ଗିରଫ କରିଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ଚାଲେଞ୍ଜ କରି କେତେକ ଏଜେଣ୍ଟ ଓ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦୀର୍ଘବର୍ଷ ହେବ ଆରଟିଓକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେଇ ନିଜ ଜୀବିକା ନିର୍ବାହ କରୁଥିବା ଏଜେଣ୍ଟ ଏବେ ମଧ୍ୟ ଲୋଡ଼ା। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ‌ଏଜେଣ୍ଟମାନେ ନିଜ ଜୀବିକା ହରାଇଛନ୍ତି ବୋଲି ଦର୍ଶାଯାଇଥିଲା। ୨୦୧୯ ନଭେମ୍ବର ୧୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଆରଟିଓ ‌ଏଜେ‌ଣ୍ଟଙ୍କୁ ଥଇଥାନ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଆରଟିଓ ନିୟମିତ ଭାବେ ଏଜେଣ୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତାଲିକା ଦାଖଲ କରିବେ ଓ ଏହି ଆଧାରରେ ପରିବହନ ସଚିବ ତାଲିକା ପ୍ରସ୍ତୁତ କରିବେ। ସବୁ ଆରଟିଓ କାର୍ଯ୍ୟାଳୟରେ ସରକାର ଇ-କିଓସ୍କ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପୂର୍ବରୁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏପରି ଇ-କିଓସ୍କରେ ନିୟୋଜିତ କରାଯାଇ ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯିବ। ବିଭିନ୍ନ ଆରଟିଓରେ କାର୍ଯ୍ୟଭାର ଦେଖି ଇ-କିଓସ୍କ ପ୍ରତିଷ୍ଠା କରାଯିବ। ଇ-କିଓସ୍କ ପ୍ରତିଷ୍ଠା କାର୍ଯ୍ୟ ୬ ସପ୍ତାହ ଭିତରେ ଶେଷ କରାଯିବ। ଇ-କିଓସ୍କଗୁଡିକ କଭଳି ସ୍ବାଭାବିକ୍ ଭାବେ କାର୍ଯ୍ୟ କରିବ ତାହା ସୁନିଶ୍ଚିତ କରାଯିବ। ଏପରି ଇ-କିଓସ୍କଗୁଡିକ ଚିହ୍ନଟ କରାଯିବାକୁ ଥିବା ଏଜେଣ୍ଟ ମାଧ୍ୟମରେ ପରିଚଳାନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ପ୍ରକ୍ରିୟା ୨ ମାସ ଭିତରେ ଶେଷ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର