୨୦୦ କୋଟିର ଘେରି ବନ୍ଧ ଯୋଜନା କେବେ? ଏମାନଙ୍କ ପାଇଁ ଦୁଃଖ ପାଲଟିଛି ମହାନଦୀ

ଆଉ ମିଳୁନି ପ୍ରସିଦ୍ଧ ପଟଣା ବାଇଗଣ, କୂଳ ଖାଇ ଚାଲିଛି ନଈ

କଟକ/ବିଦ୍ୟାଧରପୁର : ଯେଉଁଠି ଦିନେ ମହାନଦୀର ୧୦୦ ମିଟରରୁ କିଛି ଅଧିକ ଥିଲା, ସେଠି ‌ଏବେ ଚଉଡ଼ା ୧ କିଲୋମିଟରରୁ ଅଧିକ ହୋଇସାରିଲାଣି। କୂଳ ଖାଇ ମହାନଦୀ ଏକର ଏକର ଚାଷ ଜମିକୁ ନିଜ ଗର୍ଭକୁ ନେଇସାରିଲାଣି। ଏହାସହିତ ନଈ କୂଳରେ ଗଢ଼ି ଉଠିଥିବା କେଶବଧାମ ସ୍କୁଲ, ବସୁନ୍ଧରା ଅସହାୟ ଥଇଥାନ କେନ୍ଦ୍ର ଏବଂ ଶହେରୁ ଅଧିକ ପରିବାର ପାଇଁ ଦୁର୍ଗତି ଆଣିଛି ମହାନଦୀ। ଅଞ୍ଚଳର ସୁରକ୍ଷା ପାଇଁ ୨ଶହ କୋଟି ଟଙ୍କା ବ୍ୟୟରେ ଘେରି ବନ୍ଧ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ। କିନ୍ତୁ ସେ ଘୋଷଣା କେବଳ ‌ଘୋଷଣାରେ ରହି ଯାଇଛି। ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ପଟଣା ବାଇଗଣ ଏବେ ବଜାରରେ ମିଳିବା କଷ୍ଟ ହୋଇ ପଡ଼ିଥିବା ବେଳେ ଅଞ୍ଚଳବାସୀଙ୍କ ଭବିଷ୍ୟତ ପ୍ରତି ବି ବିପଦ ସୃଷ୍ଟି କରିଛି।

ଗତିରାଉତପାଟଣା ନଦୀବନ୍ଧ ତଳେ ଦିନେ ଯେଉଁଠି ଏକର ଏକର ଜମିରେ ଚାଷ କରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେଠାରେ ଏବେ ମହାନଦୀର ସୁଅ ବୋହୁଛି। ନଈ ପାଣିରେ ହଜାର ହଜାର ହେକ୍ଟର ଚାଷ ଜମିରେ ବାଲି ମାଡ଼ିଯାଇଛି। ବନ୍ଧ ତଳକୁ ନଦୀପଠାରେ ଶହଶହ ଘର ଗଢି ଉଠିଥିଲାବେଳେ ବନ୍ୟା ସମୟରେ ସମସ୍ତେ ପାଣି ଘେରରେ ରହୁଛନ୍ତି। ୧୦୦ ରୁ ଅଧିକ ପରିବାର ଏଥିରେ ପ୍ରଭାବିତ ହେଉଥିଲା ବେଳେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଏହି ପଠାରେ ଥିବା ସରସ୍ବତୀ ବିଦ୍ୟା ମନ୍ଦିର (କେଶବ ଧାମ)। ଏହି ବିଦ୍ୟାଳୟରେ ପାଖାପାଖି ୬୦୦ ଛାତ୍ରଛାତ୍ରୀ ରହୁଥିବାବେଳେ ବନ୍ୟା ସମୟରେ ସେମାନଙ୍କୁ ଉଦ୍ଧାର କରିବା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହେଉଛି। ଗୋଟିଏ ପଟେ ନଦୀପଠାରେ ରହିଥିବା ଚାଷଜମିରେ ସ୍ଥାୟୀ ନିର୍ମାଣର ଅନୁମତିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଏ କ୍ଷେତ୍ରରେ ପ୍ରଶାସନର ଭୂମିକା କି ବିବାଦର କାରଣ ହୋଇଛି। ଏତେ ଲୋକଙ୍କ ବାସସ୍ଥାନ ପାଲଟି ଥିବା ଏହି ଅଞ୍ଚଳ ମହାନଦୀ ବଢିଲେ ବିପଦ ମୁହଁକୁ ଚାଲି ଯାଉଛି। ପ୍ରତିବର୍ଷ ସରକାରୀ ଅଧିକାରୀମାନେ ଏହି ଅଞ୍ଚଳ ବିଷୟରେ ଅବଗତ ହେଉଛନ୍ତି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଆଗଭର ହେଉ ନାହାନ୍ତି। ଗୋଟିଏ ପଟେ ଆବାସିକ ଅଞ୍ଚଳ ଗଢି ଉଠିବା ବେଳେ ନିଷ୍କ୍ରିୟ ରହିବା ଏବଂ ‌ଏବେ ସୁରକ୍ଷାକୁ ନଜର ଅନ୍ଦାଜ କରିବା ଲୋକଙ୍କ ପ୍ରତିକ୍ରିୟାର କାରଣ ହୋଇଛି। ଏଭଳି ସ୍ଥିତିରେ ପୂର୍ବତନ ମନ୍ତ୍ରୀଙ୍କ ଘେରିବନ୍ଧ ଘୋଷଣା କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ଭଗବାନ ଦଳାଇଙ୍କ କହିବା ଅନୁଯାୟୀ, ପୂର୍ବରୁ ମହାନଦୀ ଗର୍ଭରେ ଶାରଗୁଣା, ଡାଆଣିମଲା, ମୁଗଭଙ୍ଗା ନାମରେ ପଠାଗୁଡ଼ିକ ରହିଥିଲାବେଳେ ସେଠାରେ ଭଲ ଚାଷ ହେଉଥିଲା। ନଦୀର ଏପଟ-ସେପଟ ଅତି ନିକଟତର ଥିଲା। ମାତ୍ର ୫୦ରୁ ୧୦୦ ମିଟର ଭିତରେ ନଦୀ ଜଳ ପ୍ରବାହିତ ହେଉଥିଲା। ଲୋକମାନେ ଅନ୍ୟଦିନମାନଙ୍କରେ ଚାଲିଚାଲି ନଦୀ ପାର‌୍‌ ହୋଇଯାଉଥିଲେ। ପଟଣା ବାଇଗଣ କଟକ ସହିତ ଭୁବନେଶ୍ବର, ଜଗତସି˚ହପୁର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ ବି ବେଶ୍‌ ପରିଚିତ ଥିଲା। ହେଲେ ମହାନଦୀ କୂଳ ଖାଇ ଚାଲିବାରୁ ଏବେ ଜମିରେ ଚାଷ କରିବା ଅସମ୍ଭବ ହୋଇପଡ଼ିଲାଣି। ଚାଷ ଭଲ ନହେବାରୁ ଜମିଗୁଡିକୁ କିଛି ଚାଷୀ ବିକ୍ରି କରିଦେଇଛନ୍ତି। ଜମି କିଣୁଥିବା ବ୍ୟକ୍ତିମାନେ କିଛିବର୍ଷ ପରେ ତହସିଲ କାର୍ଯ୍ୟାଳୟରେ ଏହାର କିସମ ପରିବର୍ତ୍ତନ କରି ଘର ତିଆରି କରିଥିଲେ। କିନ୍ତୁ, ଏବେ ମହାନଦୀରେ ବନ୍ୟା ଆସିଲେ ଗତିରାଉତପାଟଣା ପଠାରେ ପାଣିମାଡ଼ିଯିବା ଏବେ ସ୍ବଭାବିକ ଘଟଣା ହୋଇଗଲାଣି।

ପଠା ଭିତରେ ଗଢି ଉଠିଥିବା ସରସ୍ବତୀ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ବିନୋଦ ଦାସଙ୍କ କହିବା ଅନୁସାରେ, ପାଣି ପଠାକୁ ମାଡ଼ି ଆସିବାରୁ ବାହାର ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି। ବିଦ୍ୟାଳୟକୁ ଆସୁଥିବା ରାସ୍ତା ଉପରେ ପୁରୁଷେ ଉଚ୍ଚର ପାଣି ଚାଲିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶାସନ ସହାୟତାରେ ଉଦ୍ଧାର କରାଯାଇ ଘରକୁ ପଠାଇ ଦିଆଯାଉଛି। ପୁଣି ପାଣି ଛାଡ଼ିବା ପରେ ସେମାନଙ୍କୁ ବିଦ୍ୟାଳୟ ପରିସରକୁ ଅଣାଯାଉଥିବା ସେ ସୂଚନା ଦେଇଛନ୍ତି। ତେବେ ଏଭଳି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପୂର୍ବରୁ ଥରେ ଯୋଜନା ହୋଇଥିଲା। ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଥିବା ସମୟରେ ୨୦୦ କୋଟି ଟଙ୍କା ବ୍ୟୟରେ ଏକ ଘେରି ବନ୍ଧ ନିର୍ମାଣ ପାଇଁ ଘୋଷଣା କରିଥିଲେ। କିନ୍ତୁ ସେହି ଘୋଷଣା କାର୍ଯ୍ୟକାରୀ ହୋଇ ନଥିଲା। ଏହି ଘୋଷଣା କାର୍ଯ୍ୟକାରୀ ହୋଇଥିଲେ ହୁଏତ ଗତିରାଉତପାଟଣା ଅଞ୍ଚଳର ଚାଷ ଜମିଗୁଡ଼ିକ ରକ୍ଷା ପାଇ ଯାଇପାରିଥାନ୍ତା। ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସରକାରଙ୍କ ଉଦ୍ୟମକ୍ରମେ ପଥର ପ୍ୟାକି˚ ଓ ୭ଟି ବୁରୁଜ ନିର୍ମାଣ କରାଯାଇଥିବାରୁ ଗାଁ ପ୍ରତି ବଡ଼ ବିପଦ ଟଳି ଯାଉଥିବା ଗ୍ରାମର ଚାଷୀ ନିର˚ଜନ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର