ପିଙ୍କ୍‌ ଅଟୋକୁ ଖୋଜୁଛି ପୁଲିସ: ପ୍ରବାସୀ ଭାରତୀୟଙ୍କଠୁ ଲୁଟ୍‌ ଘଟଣା

ପୁରୁଣା ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପ୍ରବାସୀ ଭାରତୀୟଙ୍କୁ ଲୁଟ୍‌ ଘଟଣାରେ ପୁଲିସ ସିସିଟିଭି ଯାଞ୍ଚ କରି ସନ୍ଦିଗ୍ଧ ମହିଳାଙ୍କୁ ଖୋଜୁଛି। ମହିଳା ଜଣଙ୍କ ଏକ ପିଙ୍କ୍‌ ଅଟୋରେ ଫେରାର ହୋଇଯାଇଥିବା ଜଣା ପଡ଼ିବା ପରେ ପୁଲିସ ଏବେ ପିଙ୍କ ଅଟୋକୁ ମଧ୍ୟ ଖୋଜୁଛି। ପ୍ରକାଶ ଯେ, ଘାନାରେ ରହୁଥିବା ନିରଜ ଚନ୍ଦନ, ତାଙ୍କ ପତ୍ନୀ ଆଲ୍‌ଫା ଚନ୍ଦନ, ପୁଅ ଓ ଝିଅଙ୍କ ସହ ଓଡ଼ିଶା ବୁଲିବାକୁ ଆସିଥିଲେ। ବିମାନବନ୍ଦରରେ ସେ ରାତି ପ୍ରାୟ ୮ଟାରେ ଓହ୍ଲାଇଥିଲେ। ପରେ ତାଙ୍କ ଲଗେଜ୍‌କୁ ସେ ଟର୍ମିନାଲ୍‌ଠାରେ ଥିବା ଟ୍ରଲିରେ ରଖି ବାହାରକୁ ଆସି ସାଙ୍ଗମାନଙ୍କ ସହ କଥା ହେଉଥିଲେ। ଏତିକି ବେଳେ ପତ୍ନୀ ଆଲ୍‌ଫାଚନ୍ଦନଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲଗେଜ୍‌ ଟ୍ରଲିରେ ଥିବା ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିଲା। ସେ ଟର୍ମିନାଲ୍‌ରେ ଯେତେ ଖୋଜା ଖୋଜି କରିଥିଲେ ମଧ୍ୟ ବ୍ୟାଗ୍‌ର ସନ୍ଧାନ ପାଇ ନଥିଲେ। ସେଥିରେ ତାଙ୍କର ୩ହଜାର ଡଲାର, ୩ଟି ମୋବାଇଲ୍‌, ପରିବାରର ସମସ୍ତଙ୍କ ଭିସା ଓ ପାସପୋର୍ଟ ଆଦି ଥିଲା। ଲୁଟ୍‌ ଘଟଣାରେ ପୁଲିସ ସିସିଟିଭି ଯାଞ୍ଚ କରି ସନ୍ଦିଗ୍ଧ ମହିଳାଙ୍କୁ ଠାବ କରିଥିଲା। ତେବେ ସେ ଏକ ପିଙ୍କ୍‌ ଅଟୋରେ ଫେରାର ହୋଇଯାଇଥିବା ଜଣା ପଡ଼ିବା ପରେ ପୁଲିସ ଉକ୍ତ ଅଟୋକୁ ଏବେ ଖୋଜୁଛି।

ସମ୍ବନ୍ଧିତ ଖବର