ବିଦେଶ ମନ୍ତ୍ରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌ :ରୁଷ୍‌-ଆମେରିକା ସଂପର୍କ ତିକ୍ତ

ଓ୍ଵାସିଂଟନ: ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ପାଇଁ ରୁଷ୍‌କୁ କଡ଼ା ଭର୍ତ୍ସନା କରିଥିବା ଆମେରିକାର ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍‌ଙ୍କୁ ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ବହିଷ୍କାର କରିଛନ୍ତି। ରୁଷ୍‌ ସମଗ୍ର ବିଶ୍ୱରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରୁଛି ଏବଂ ଏହି ରାଷ୍ଟ୍ରର ଆଚରଣ ବେଳକୁ ବେଳ ଦାୟିତ୍ୱହୀନ ହୋଇଉଠୁଛି ବୋଲି ରେକ୍ସ ଟିଲରସନଙ୍କ ମନ୍ତବ୍ୟ ତାଙ୍କ ପାଇଁ ଏବେ ମହଙ୍ଗା ହୋଇଛି। ଟିଲରସନ କହିଥିଲେ ଯେ ରୁଷ୍‌ର ବିଭାଜନକାରୀ ଏବଂ ବିଧ୍ୱଂସୀ ନୀତି ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଅସ୍ଥିରତା ଲାଗି ରହିଛି ଏବଂ ଶାନ୍ତି ପ୍ରକ୍ରିୟା ଫଳପ୍ରଦ ହେଉନାହିଁ। ବ୍ରିଟେନରେ ଜଣେ ପୂର୍ବ ଗୁପ୍ତଚର ଏବଂ ତାଙ୍କ ଝିଅକୁ ବିଷ ଦେଇ ମାରିବାକୁ ହୋଇଥିବା ଉଦ୍ୟମରେ ରୁଷ୍‌ର ସଂପୃକ୍ତିକୁ ନେଇ ସେ କଡ଼ା ଭର୍ତ୍ସନା କରିଥିଲେ। ରୁଷ୍‌ରେ ଥିବା ପୂର୍ବ ଗୁପ୍ତଚର ସର୍ଗ ସ୍କ୍ରିପଲ (୬୬) ଏବଂ ତାଙ୍କ ଝିଅ ଜୁଲିଆ (୩୩)ଙ୍କୁ ଗତ ସପ୍ତାହରେ ବିଷ ଦିଆଯାଇଥିଲା। ବିଷକ୍ରିୟାରେ ଜଣେ ପୁଲିସ କର୍ମୀ ମଧ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ୩ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବ୍ରିଟିଶ୍‌୍‌ ପ୍ରଧାନମନ୍ତ୍ରୀ ଟେରିଜା ମେ କହିଛନ୍ତି ଯେ ସ୍କ୍ରିପଲଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରିବା ପଛରେ ରୁଷ୍‌ର ହିଁ ହାତ ଥିବା ସମ୍ଭାବନା ବଳବତ୍ତର ହୋଇଛି। ସେ ବ୍ରିଟେନର ବିଦେଶୀ ଗୁଇନ୍ଦା ସଂସ୍ଥାରେ କାମ କରୁଥିଲେ। ତେବେ ରୁଷ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏକ ସ୍ୱାଧୀନ ରାଷ୍ଟ୍ରରେ ଏହାର ଜଣେ ନାଗରିକଙ୍କୁ ଜଣେ ବିଦେଶୀ ରାଷ୍ଟ୍ର ଦ୍ୱାରା ଏଭଳି ହତ୍ୟା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ବୋଲି ଟିଲରସନ୍‌ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ସଂପର୍କ ତିକ୍ତ ହୋଇଉଠିଛି। ମାମଲାକୁ ପ୍ରଶମିତ କରିବା ପାଇଁ ଟ୍ରମ୍ପ୍‌ ଟିଲର୍‌ସନଙ୍କୁ ବହିଷ୍କାର କରିଛନ୍ତି। ତେବେ ଏହା ସତ୍ତ୍ୱେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି।
ଟିଲର୍‌ସନଙ୍କ ସ୍ଥାନରେ ଗୁଇନ୍ଦା ସଂସ୍ଥା ସିଆଇଏର ନିର୍ଦ୍ଦେଶକ ରହିଥିବା ମାଇକ୍‌ ପୋମ୍ପିଓଙ୍କୁ ନୂତନ ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ମାଇକ୍‌ ପୋମ୍ପିଓଙ୍କ ସ୍ଥାନରେ ଜିନା ହାସ୍‌୍‌ପେଲଙ୍କୁ ନୂତନ ସିଆଇଏ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସିଆଇଏର ପ୍ରଥମ ମହିଳା ମୁଖ୍ୟ ଭାବେ ଜିନା ହାସ୍‌୍‌ପେଲଙ୍କ ନିଯୁକ୍ତି ଚର୍ଚ୍ଚାରେ ରହିଛି। ରୁଷ୍‌ ସହ ଆମେରିକାର ସଂପର୍କ ଦିନକୁ ଦିନ ଅଧିକ ତିକ୍ତ ହେଉଥିବାରୁ ଟିଲରସନ୍‌ଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ଏଥିପାଇଁ ଦାୟୀ ବୋଲି ଟ୍ରମ୍ପ୍‌ ପ୍ରଶାସନ ଅନୁଭବ କରିଥିଲେ। ଏହା ସହିତ ଟ୍ରମ୍ପ୍‌ଙ୍କ ସହିତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଟିଲରସନଙ୍କ ଗୁରୁତର ମତଭେଦ ରହିଥିବାରୁ ତାଙ୍କୁ ବହିଷ୍କୃତ କରାଯାଇଥିବା କୁହାଯାଉଛି। ତେବେ ସିରିୟା ଓ ଅନ୍ୟ ଅନ୍ତର୍ଜାତୀୟ ସଙ୍କଟ ପାଇଁ ରୁଷ୍‌କୁ ଆମେରିକା ସିଧାସଳଖ ଦାୟୀ କରିଛି।

ସମ୍ବନ୍ଧିତ ଖବର