ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ଏଆଇଟିୟୁସି ସହବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍‌ ଏଗ୍ରିକଲଚର୍‌ ଆଣ୍ଡ୍‌ ବିଲ୍‌ଡିଂ କନ୍‌ଷ୍ଟ୍ରକସନ୍‌ ୱାର୍କରସ୍‌ ୟୁନିୟନ୍‌ ତରଫରୁ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ନିର୍ମାଣ ଶ୍ରମିକ ଭୁବନେଶ୍ୱର ରେଳଷ୍ଟେସନ୍‌ଠାରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସ୍ଥଳରେ ୟୁନିୟନ୍‌ର ସଭାପତି ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୟୁନିୟନର ସାଧାରଣ ସମ୍ପାଦକ ବିଜୟ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ଯଥା : ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ଭାଟ୍‌ ବିଲ୍‌ ପ୍ରଥା ଉଚ୍ଛେଦ ଉପରେ କଲ୍ୟାଣ ବୋର୍ଡ ନେଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା, ୫୦୦ ଟଙ୍କା ପେନସନ୍‌ ପ୍ରଦାନ ନିମନ୍ତେ କଲ୍ୟାଣ ବୋର୍ଡ଼ର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ୍‌, ଜୁଲାଇ ୩୦, ୨୦୧୬ ସୁଦ୍ଧା ବିଭିନ୍ନ ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ଆବେଦନ ଫର୍ମର ତୁରନ୍ତ ପଞ୍ଜୀକରଣ, ନିର୍ମାଣ ଶ୍ରମିକ ସହାୟତା ରାଶି ନିୟମାନୁସାରେ ପ୍ରଦାନ, ସହାୟତା ରାଶି ପ୍ରଦାନ ନିମନ୍ତେ ଗଠିତ କମିଟିଗୁଡ଼ିକୁ ବାତିଲ କରିବା, ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ, କଲ୍ୟାଣ ବୋର୍ଡର ଅର୍ଥକୁ ଅନାବଶ୍ୟକ ଖର୍ଚ ବନ୍ଦ କରିବା, ଗୃହ ନିର୍ମାଣର ସହାୟତା ରାଶି ପ୍ରଦାନରେ ଜଟିଳତା ବନ୍ଦ କରିବା, ଯେଉଁମାନେ ଭୂମିହୀନ ନିର୍ମାଣ ଶ୍ରମିକ, ସେମାନଙ୍କୁ ଘରଡିହ ଯୋଗାଇବା ସହ ଗୃହ ନିର୍ମାଣ ସହାୟତା ରାଶି ପ୍ରଦାନ, ନିର୍ମାଣ ବୋର୍ଡର ଆବଶ୍ୟକ ଭିତ୍ତିଭୂମି ଗଠନ ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଆଦି ଦାବି ଉପରେ ଏକ ପ୍ରତିନିଧି ମଣ୍ଡଳୀ ଏକ ଦାବିପତ୍ର ଶ୍ରମ କମିସନର୍‌ଙ୍କୁ ପ୍ରଦାନ କରଥିଲେ। ଏହା ଉପରେ ଏକ ମାସ ମଧ୍ୟରେ ସମାଧାନ ନ କଲେ ସମଗ୍ର ରାଜ୍ୟରେ ଶ୍ରମ କାର୍ଯ୍ୟାଳୟଗୁଡ଼ିକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଅନୁଷ୍ଠିତ ସଭାରେ ପ୍ରବୀଣ ଦାସ, ଇନ୍ଦ୍ରଜିତ୍‌ ତାଣ୍ଡି, ଶିଶିର ମଲ୍ଲିକ, ତପନ ସିଟ୍‌, ତୈ୍ରଲୋକ୍ୟ ନାଥ, ଗଦାଧର ସାହୁ, ମଙ୍ଗରାଜ ମହାପାତ୍ର, କାହ୍ନଚରଣ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ନିର୍ମାଣ ଶ୍ରମିକଙ୍କ ନ୍ୟାୟା ଦାବି ମାନିନେବାକୁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର