ଟ୍ରାକ୍ଟର ଓଲଟି ଜଣେ ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ପଞ୍ଚାୟତ ଅନ୍ତର୍ଗତ ହର୍ଲାଗୁଡା ଗାଁ ନିକଟରେ ଗୋଟିଏ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ବଡାମୁଣ୍ଡି ଗାଁର କେଶବ ଶବର ବୋଲି ସୂଚନା ମିଳିଛି। ସେହିପରି ଅନ୍ୟ ୩୫ଜଣ ଆହତ ହୋଇଛନ୍ତି। ଉକ୍ତ ଟ୍ରାକ୍ଟର ଗୋବିନ୍ଦପୁରରୁ ଲୋକଙ୍କୁ ନେଇ ଫେରିବା ବେଳେ ଭାରସାମ୍ୟ ଓଲଟି ପଡିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ବଡାମୁଣ୍ଡି ଗ୍ରାମର ପ୍ରାୟ ୪୫ଜଣ ଆଜି ବିବାହ ଭୋଜି ଖାଇବା ପାଇଁ ଗୋବିନ୍ଦପୁର ଗ୍ରାମକୁ ଯାଇଥିଲେ। ଭୋଜି ଖାଇସାରି ଗୋଟିଏ ଟ୍ରାକ୍ଟରରେ ସେମାନେ ପୁଣି ଗାଁକୁ ଫେରୁଥିଲେ। କିନ୍ତୁ ହର୍ଲାଗୁଡା ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ବଡାମୁଣ୍ଡି ଗ୍ରାମର କେଶବ ଶବରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚନ୍ଦ୍ରବତୀ ଶବର, ଗୋବର୍ଦ୍ଧନ ଶବର, ପୂର୍ଣ୍ଣଚନ୍ଦ୍ର ଶବର, ମୁରଲୀ ଶବର, ସୁମିତ୍ରା ଶବର, ନନ୍ଦିନୀ ଶବର, ସବିତା ଶବର ଗୁରୁତର ଆହତ ହୋଇଥିବାରୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଅନ୍ୟ ଆହତ କେନ୍ଦୁଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ପଦ୍ମପୁର ଦମକଳ କେନ୍ଦ୍ର ଅଧିକାରୀ ସୁଶାନ୍ତ କୁମାର ସେଠୀ ଅଗ୍ନିଶମ କର୍ମଚାରୀଙ୍କ ସହ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରିବା ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର