ଜଗତପୁରରେ ନକଲି ତେଲ କାରଖାନା

କର୍ମଚାରୀ ଗିରଫ, ମାଷ୍ଟରମାଇଣ୍ଡ ଫେରାର

କଟକ-ଜଗତପୁର: ଜଗତପୁରରେ ଦୀର୍ଘ ଦିନରୁ ଚାଲିଥିବା ନକଲି ତେଲ କାରଖାନା ଠାବ କରାଯାଇଛି। ଆଜି ଭୋର ସମୟରେ ଏହି ନକଲି କାରଖାନାରେ ଜଗତପୁର ଥାନା ପୁଲିସ ଚଢ଼ଉ କରିଛି। କାରଖାନାର ଦାୟିତ୍ୱରେ ଥିବା ମଙ୍ଗଳାବାଗ ଖଣ୍ଡାୟତ ସାହିର ଅନାଦି ଚରଣ ବେହେରା(୫୩)ଙ୍କୁ ପୁଲିସ ଗିରଫ କରିଛି । କାରଖାନା ଚଳାଉଥିବା ମାଷ୍ଟର୍‌ମାଇଣ୍ଡ କିନ୍ତୁ ପୁଲିସ ହାବୁଡ଼ରୁ ଖସିଯାଇଛି। ତାକୁ ଗିରଫ କରିବାକୁ ପୁଲିସ ରାତିରେ ଚଢ଼ଉ ଜାରି ରଖିଛି। ମାଷ୍ଟରମାଇଣ୍ଡ ସମେତ ଏଥିରେ ଆହୁରି ୩ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ସୂଚନା ପାଇଛି । ସେହି କାରଖାନାରୁ ଆଜି ୧୫ଶହ ଲିଟର ରିଫାଇନ୍‌ ଓ ସୋରିଷତେଲ ଜବତ କରାଯାଇଛି । ଏହା ବ୍ୟତୀତ ୫୮ଟି ଟିଣ, ୧୩ଟି ପ୍ଲାଷ୍ଟିକ୍‌ ଜାର୍‌, ବିଭିନ୍ନ ବ୍ରାଣ୍ଡ୍‌ର ଲୋଗୋ ଥିବା ୪ଟି ଜରି ପ୍ୟାକେଟ୍‌, ୧୩ଟି ଖାଲି ବୋତଲ୍‌, ଓଜନ୍‌ ମେସିନ୍‌ ଜବତ କରାଯାଇଛି । ଜଗତପୁର ଗୋଲେଇ ଛକସ୍ଥିତ ଟ୍ରକ ଟର୍ମିନାଲ୍‌ ନିକଟରେ ଚାଲିଥିବା ଏହି ନକଲି ଖାଇବା ତେଲ କାରଖାନାରେ ପୁଲିସ୍‌ ଚଢ଼ଉ କରିଥିଲା । ଏହି କାରଖାନାଟି ପାଖାପାଖି ଏକ ବର୍ଷ ହେବ ଚୋରାରେ ଚାଲୁଥିବା ପୁଲିସ ଜାଣିବାକୁ ପାଇଥିଲା । କାରଖାନା ଭିତରେ ବିଭିନ୍ନ ବ୍ରାଣ୍ଡର ପ୍ୟାକିଂ ହୋଇଥିବା ସୋରିଷ ତେଲ, ରିଫାଇନ୍‌ ତେଲ, କଞ୍ଚାମାଲ ଏବଂ ତେଲ ପ୍ରସ୍ତୁତିରେ ବ୍ୟବହୃତ ଏସେନ୍ସ(ତେଲରେ ବ୍ୟବହୃତ ସୁଗନ୍ଧିତ ଅର୍କ), ଜାର୍‌, ଟିଣ ଇତ୍ୟାଦି ମିଳିଥିଲା। ପୁଲିସ କାରଖାନାରେ ପାଖାପାଖି ୮ ଘଣ୍ଟା କାଳ ଚଢ଼ଉ ଜାରି ରଖିଥିଲା। ଅନାଦିକୁ ପୁଲିସ ଜେରା କରିବା ପରେ ସେ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗରୁ ଅଳ୍ପ ଦାମ୍‌ରେ ତେଲ, ପୋଡ଼ା ମୋବାଇଲ୍‌ ଏବଂ ଏସେନ୍ସ ଆଣୁଥିବା ସୂଚନା ଦେଇଥିଲା। ଜଗତପୁରରେ ଥିବା କାରଖାନାରେ ଦାମୀ କମ୍ପାନିର ଲୋଗୋ ଲଗାଇ ବଜାରରେ ଲିଟର୍‌ ପିଛି ୧୦୦ ଟଙ୍କାରେ ବିକ୍ରି କରୁଥିଲା । ବଜାରରେ ଓରିଜିନାଲ୍‌ ତେଲର ମୂଲ୍ୟ ଲିଟର୍‌ ପିଛା ୧୫୦ ଟଙ୍କା ଥିବାରୁ ଅଳ୍ପ ଦାମ୍‌ରେ ମିଳୁଥିବା ତେଲ ଅଧିକ ପରିମାଣରେ ଖୁଚୁରା ଦୋକାନୀ କିଣୁଥିଲେ। ଅନ୍ୟପଟେ ଅନାଦି ନଖରା ନିକଟରେ ଏକ ତେଲ କମ୍ପାନିରେ କାମ କରୁଥିବା ବେଳେ ଭେଜାଲ୍‌ ତେଲ ପ୍ରସ୍ତୁତ କରିବା କୌଶଳ ଶିଖିଥିଲା। ପରେ ଜଗତପୁରରେ ଖୋଲିଥିବା କମ୍ପାନିରେ କୌଶଳ ବ୍ୟବହାର କରିଥିବା ପୁଲିସକୁ ସୂଚନା ଦେଇଛି। ପୁଲିସ ଅଭିଯୁକ୍ତ ଅନାଦି ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି । ଚଢ଼ଉରେ ଏସିପି ତ୍ରିନାଥ ମିଶ୍ରଙ୍କ ସମେତ ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଏବଂ ଥାନାର ଏକାଧିକ ଅଫିସର ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର