ଜଗା-ବଳିଆଙ୍କୁ ବିଦା କରିବେ ଏମ୍ସ କର୍ତ୍ତୃପକ୍ଷ, ସମ୍ମତିପତ୍ରର ଭିଡିଓଗ୍ରାଫି କଲେ
ନୂଆଦିଲ୍ଲୀ : ଜଗା-ବଳିଆଙ୍କୁ ବିଦା କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷ ଏକପ୍ରକାର ବିବାଦ ଗ୍ରହଣ କରିଛନ୍ତି। ଏଥିପାଇଁ ବିଧିବଦ୍ଧ ଉଦ୍ୟମ ମଧ୍ୟ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଜଗା-ବଳିଆ ବାପାମା’ଙ୍କ ସମ୍ମତିପତ୍ରର ଭିଡିଓଗ୍ରାଫ୍ କରାଯାଇଛି। ଏହି ଭିଡିଓଗ୍ରାଫି ସହ ସମସ୍ତ ତଥ୍ୟ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ସହାୟତାରେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହି ଦୁଇଜଣଙ୍କ ମୁଣ୍ଡକୁ ମଧ୍ୟ ଅପରେସନ୍ ପରେ ଅଲଗା କରାଯାଇଛି। ଜଗା ଓ ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଗତ ଜୁଲାଇ ୨୦ ତାରିଖ ଦିନ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଏମ୍ସ ଗସ୍ତ କରି ଦୁହିଁଙ୍କୁ ଆଉ ୬ ମାସ ରଖିବା ପାଇଁ ଅନୁରୋଧ କରିଥିଲେ। ମାତ୍ର, ଏମ୍ସ କର୍ତ୍ତୃପକ୍ଷ ଜଗା ବଳିଆଙ୍କୁ ଆଉ ଅଧିକଦିନ ଏମ୍ସରେ ରଖି ଚିକିତ୍ସା ସପକ୍ଷରେ ନାହାନ୍ତି। ପ୍ରାଇଭେଟ୍ ଓ୍ଵାର୍ଡରେ ବେଡ୍ ସଂଖ୍ୟା କମ୍ ଅଛି। ଅନେକ ରୋଗୀମାନେ ବେଡ୍ ଅପେକ୍ଷାରେ ଅଛନ୍ତି। ସମସ୍ତଙ୍କ ପାଇଁ ନ୍ୟାୟ ହେବା ଦରକାର। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସେମାନେ ଡିସ୍ଚାର୍ଜ ପାଇଁ ଫିଟ୍ ହୋଇ ଯାଇଥିବାରୁ ସେମାନଙ୍କୁ ଦୀର୍ଘଦିନ ଧରି ରଖାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି।
ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଜଗା ବଳିଆଙ୍କ ଅସ୍ତ୍ରୋପଚାରରେ ସାମିଲ୍ ଥିବା ୩ ଜଣ ବରିଷ୍ଠ ଡାକ୍ତରୀ ଦଳ ଜଗା ବଳିଆଙ୍କ ବାପା ମା’ଙ୍କ ସହ ଡିସଚାର୍ଜ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଜଗା ବଳିଆଙ୍କ ବାପା ମା’ ମଧ୍ୟ ଡାକ୍ତରଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ଏବଂ ପ୍ରମାଣ ସ୍ୱରୂପ ସେମାନେ କାଗଜରେ ଦସ୍ତଖତ ମଧ୍ୟ କରିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩ ଜଣ ଡାକ୍ତରଙ୍କ ଜଗା ବଳିଆଙ୍କ ବାପା ମା’ଙ୍କ ସମ୍ମତି ପତ୍ର ସହ ଭିଡିଓଗ୍ରାଫି କରାଯାଇଥିଲା। ଏହି ଭିଡିଓଗ୍ରାଫି ସହ ସମସ୍ତ ତଥ୍ୟ ମଧ୍ୟ ଡାକ୍ତରମାନେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଜଗା ବଳିଆଙ୍କ ବାପା ମା’ ସମ୍ମତି ପତ୍ରରେ ଦସ୍ତଖତ କରିଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ବଳିଆର ସ୍ୱାସ୍ଥ୍ୟ ଠିକ୍ ନାହିଁ। ଗତ ଦୁଇଦିନ ହେବ ବଳିଆକୁ ଜ୍ୱର ହୋଇଛି। ଏପରିସ୍ଥଳେ, କେବେ ଜଗାବଳିଆଙ୍କୁ ଡିସ୍ଚାର୍ଜ କରାଯିବ ସେ ନେଇ ନିଷ୍ପତ୍ତି ହୋଇନଥିବା ଜଗା ବଳିଆଙ୍କ ବାପା ଭୂୟାଁ କଅଁର କହିଛନ୍ତି।