ପଥର ଖାଦାନରେ ବୁଡ଼ି ଯୁବକ ମୃତ

ବରଙ୍ଗ/ମେଣ୍ଢାଶାଳ: ଚନ୍ଦକା ଥାନା ଅଧୀନ କଣ୍ଟାବାଡ଼ ପଞ୍ଚାୟତ ଭଗବତୀପୁର ବସ୍ତିରେ ଥିବା ଏକ ପଥର ଖାଦାନରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ସୁମନ ନାଏକ(୨୦)। ଘର ପିପିଲି ଥାନା ଅନ୍ତର୍ଗତ ଖୋରାପଦା ଗ୍ରାମରେ। ମା’ ଜୟନ୍ତୀଙ୍କ ସହ ଭଗବତୀପୁରସ୍ଥିତ ମଉସା ପ୍ରକାଶ ନାୟକଙ୍କ ଘରକୁ ସେ ବୁଲି ଆସିଥିଲେ। ତାଙ୍କର ବାତ ରୋଗ ଥିବାରୁ ସେ ଯୁଆଡ଼େ ଗଲେ ଜୟନ୍ତୀ ତାକୁ ଜଗୁଥିଲେ। ତେବେ ଆଜି ସକାଳେ ସେ ମା’ଙ୍କୁ କିଛି ନକହି ନିକଟସ୍ଥ ପଥର ଖାଦାନକୁ ଶୌଚ ହେବାକୁ ଚାଲି ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ପଥର ଖାଦାନରେ ଥିବା ଜଳାଶୟରେ ସେ ବୁଡ଼ି ଯାଇଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଣ୍ଢାଶାଳ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦକା ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସୁମନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର