ଫସଲ ବୀମା ଓ ମରୁଡ଼ି ଘୋଷଣା ଦାବି : ସମ୍ବଲପୁରରେ ଚାଷୀ ଆନ୍ଦୋଳନ, ୧୭ଟି ସ୍ଥାନରେ ଚକା ଜାମ୍

ସମ୍ବଲପୁର : ଫସଲ ବୀମା ଓ ମରୁଡ଼ି ଘୋଷଣା ଦାବିରେ ଆଜି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ନେତୃତ୍ବରେ ଏକ ବଡ଼ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ଏହି ଆନ୍ଦୋଳନରେ ୪୦ଟି ସଂଗଠନ ସାମିଲ୍‌ ହୋଇଥିବାବେଳେ ୧୭ଟି ସ୍ଥାନରେ ଆନ୍ଦୋଳନକାରୀମାନେ ଚକାଜାମ୍‌ କରିଛନ୍ତି। ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ସମ୍ବଲପୁର ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ଚାଷୀମାନେ ୩ ଘଣ୍ଟା ପାଇଁ ବନ୍ଦ କରି ଦେଇଥିଲେ।

ଦିନ ୧୦ଟାରୁ ଚାଷୀମାନଙ୍କ ଆନ୍ଦୋଳନ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ଫଳରେ ଜିଲ୍ଲା ଦେଇ ଯାଇଥିବା ୫୩ ଓ ୫୫ ନମ୍ବର ଜାତୀୟ ରାଜପଥ, ପୁରୁଣା ରାଞ୍ଚି ରୋଡ୍, ୧୦ ଓ ୧୫ ନମ୍ବର ରାଜ୍ୟ ରାଜପଥ, ବିଜୁ ଏକ୍ସପ୍ରେସ୍ ୱେ’ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହି ଚକାଜାମ୍ ଆନ୍ଦୋଳନରେ ଜିଲ୍ଲାର ସମସ୍ତ ଚାଷୀ ସଂଗଠନର ୩ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ।

୪ ଦଫା ଦାବି ନେଇ ଚାଷୀମାନେ ଏହି ଆନ୍ଦୋଳନ କରିଥିଲେ। ସେଗୁଡ଼ିକ ହେଲା ବୀମା କ୍ଷତିପୂରଣ ପାଇ ନଥିବା ୩୩ଟି ପଞ୍ଚାୟତର ଚାଷୀଙ୍କୁ କ୍ରପ୍‌କଟିଂ ରିପୋର୍ଟ ଆଧାରରେ ବୀମା କ୍ଷତିପୂରଣ ଦେବା, ପ୍ରଧାନମନ୍ତ୍ରୀ ବୀମା ଯୋଜନାରୁ ଘରୋଇ କମ୍ପାନିଙ୍କୁ ବାଦ ଦେବା, ଗତ ବର୍ଷର ଇନ୍‌ପୁଟ୍ ସବ୍‌ସିଡି ପାଇ ନଥିବା ଚାଷୀଙ୍କୁ ତୁରନ୍ତ ପ୍ରଦାନ କରିବା, ସମ୍ବଲପୁର ଜିଲ୍ଲାକୁ ତୁରନ୍ତ ମରୁଡ଼ିଗ୍ରସ୍ତ ଘୋଷଣା କରିବା, ଓଡ଼ିଶା ଚାଷୀଙ୍କୁ ଗୋଟିଏ ଥର ପାଇଁ କୃଷି ଋଣ ସଂପୂର୍ଣ୍ଣ ଛାଡ଼ କରିବା।

ଚାଷୀନେତା ଅଶୋକ ପ୍ରଧାନ କହିଛନ୍ତି ଯେ, ‘ଆନ୍ଦୋଳନର ତୁରନ୍ତ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଆନ୍ଦୋଳନ ଚାଲିଥିବା ସମୟରେ ହିଁ ଖୁବ୍ ଶୀଘ୍ର ସରକାର, ଚାଷୀ ସଂଗଠନ ଓ ବୀମା କମ୍ପାନି ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ। ଏ ନେଇ ସରକାରଙ୍କ ତରଫରୁ ଫୋନ୍‌ ଯୋଗେ ଚାଷୀ ସଂଗଠନକୁ ଜଣାଇ ଦିଆଯାଇଛି।’

ସମ୍ବନ୍ଧିତ ଖବର