ଅବହେଳିତ ମହାପୁରୁଷ

ସଫା ହେଉନି କି ରଙ୍ଗ ଲାଗୁନି, ଖାଲି ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀ‌ରେ ମନେପଡ଼ନ୍ତି

ଭୁବନେଶ୍ବର :ରାଜଧାନୀରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ବିକୃତ ହୋଇଗଲାଣି। କେଉଁଠି ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ି ଗଲାଣି ତ କେଉଁଠି ଧୂଳିର ଆସ୍ତରଣ ପରସ୍ତ ପରସ୍ତ ଉଚ୍ଚରେ ବସିଛି। ନା ନିୟମିତ ସଫା ହେଉଛି, ନା ରକ୍ଷଣାବେକ୍ଷଣ। କେବଳ ମହାପୁରୁଷଙ୍କ ଜୟନ୍ତୀ କି ଶ୍ରାଦ୍ଧବାର୍ଷିକୀ ଆସିଲେ ପ୍ରତିମୂର୍ତ୍ତିକୁ ଧୋଇ ଫୁଲ ମାଳଟିଏ ପକାଇ ଦିଆଯାଉଛି। ବର୍ଷତମାମ୍ ଏହା ଉପରେ ଚଢ଼େଇ ଝାଡ଼ା ବସନ୍ତୁ କି ଧୂଳିରେ ପୋତି ହୋଇଯାଉ କେବେ ସଫା ହେଉନି। ଏପରିକି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ସ୍ଥାନଗୁଡ଼ିକ ସଂଧ୍ୟା ପରେ ନିଶାଡ଼ିଆଙ୍କ ଆଡ଼ାସ୍ଥଳୀ ପାଲଟୁଛି। ଖାଲି ଏତିକି ନୁହେଁ, ଅଧିକାଂଶ ସ୍ଥାନରେ ପ୍ରତିମୂର୍ତ୍ତିଗୁଡ଼ିକ ବିଦ୍ୟୁତ ତାରରେ ଜାଲ ଭଳି ଛନ୍ଦି ହୋଇ ରହିଛି। ଫଳରେ ଏହାକୁ ସଫା କରିବା ତ ଦୂରର କଥା ଏହା ନିକଟକୁ କେହି ଯିବାକୁ ଡରୁଛନ୍ତି।

ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିଥିବା ବେଳେ ବିଏମ୍‌ସିର ଏଥିପ୍ରତି ନିଘା ନାହିଁ। ସମସ୍ତ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ସହ ନିୟମିତ ସଫା କରିବା ପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ସଂସ୍ଥାକୁ ତିନି ମାସ ହେଲା ନିୟୋଜିତ କରାଯାଇଛି। ଭୁବନେଶ୍ବରରେ ଯାନ୍ତ୍ରିକ ସଫେଇ କରୁଥିବା ପଞ୍ଜାବର ପ୍ରୋ-ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ଏବ˚ ଝାଡ଼ଖଣ୍ତର ୟୁନାଇଟେଡ୍‌ ଏୟାର ଏକ୍ସପ୍ରେସ୍ ସଂସ୍ଥାକୁ ସମସ୍ତ ପ୍ରତିମୂର୍ତ୍ତି ନିୟମିତ ସଫେଇ କରିବାକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଚାରି ମାସ ମଧ୍ୟରେ ଏହି ସଂସ୍ଥା କୌଣସି ପ୍ରତିମୂର୍ତ୍ତି ସଫା କରୁନାହାନ୍ତି କି ଏହାର ରକ୍ଷଣାବେକ୍ଷଣ କରୁନାହାନ୍ତି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଯାନ୍ତ୍ରିକ ସଫେଇ କରୁଥିବା ସଂସ୍ଥାଗୁଡ଼ିକୁ ନିୟମିତ ପ୍ରତିମୂର୍ତ୍ତି ସଫେଇ କରିବାକୁ କୁହାଯାଇଛି। ଏବେ ହେଉନି ବୋଲି ଆମେ ଜାଣିଛୁ। ଖୁବ୍ ଶୀଘ୍ର ସମସ୍ତ ସଂସ୍ଥାକୁ ଏନେଇ ନିର୍ଦ୍ଦେଶାବଳୀ ଜାରି କରିବୁ।

ସମ୍ବନ୍ଧିତ ଖବର