ଜଳୁଛି ଓଡ଼ିଶା, ୪୦ ଡିଗ୍ରି ଉପରେ ୧୧ ସହର, ସୋନପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଆଜି ବି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସୋନପୁର ଜିଲ୍ଲାରେ ଆଜି ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ କରାଯାଇଛି। ତାଳଚେର ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ତେବେ ଆସନ୍ତା ୨ଦିନ ଭିତରେ ରାଜ୍ୟରେ କିଛି ସ୍ଥାନରେ ସାମାନ୍ୟ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ପୁରୀ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସେହିପରି ବୁଧବାର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା କିମ୍ବା ଘଡ଼ଘଡ଼ି ସିହିତ ବର୍ଷା‌ ହୋଇପାରେ। ଏହି ସମୟରେ ୩୦/୪୦ କି.ମି ବେଗରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ପରବର୍ତୀ ଦିନଗୁଡ଼ିକରେ ପାଗରେ ପରିବର୍ତନ ଆସିବ। ବିଶେଷକରି ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ମାଲକାନାଗିରିର ଜିଲ୍ଲାର ଏକାଧିକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବାନ ରହିଛି। ତେବେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ରାୟଗଡ଼ା, କନ୍ଧମାଳ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବରେ ଏହାର ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ।

ସମ୍ବନ୍ଧିତ ଖବର