ଜାପାନ ଓପନ୍‌: ବିଜୟରୁ ପ୍ରଣୀତଙ୍କ ଅଭିଯାନ

ଟୋକିଓ: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇ ପ୍ରଣୀତ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ସୁପର ୭୫୦ ଜାପାନ ଓପନ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଅଣମାନ୍ୟତାପ୍ରାପ୍ତ ପ୍ରଣୀତ ୪୨ ମିନିଟ୍‌ ସଂଘର୍ଷ ପରେ ଜାପାନୀ ପ୍ରତିଦ୍ବନ୍ଦ୍ବୀ କେଣ୍ଟୋ ନିଶିମଟୋଙ୍କୁ ସିଧାସଳଖ ୨୧-୧୭ ଓ ୨୧-୧୩ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହି ରାଉଣ୍ଡରେ ତାଙ୍କର ମୁକାବିଲା ଅନ୍ୟତମ ଜାପାନୀ ତାରକା କାଣ୍ଟା ସୁନେୟାମାଙ୍କ ସହ ହେବ। ବୁଧବାର ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଯଥାକ୍ରମେ ମହିଳା ଓ ପୁରୁଷ ଏକକରେ ଅଭିଯାନ ଆରମ୍ଭ କରିବେ। ପଞ୍ଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚୀନ୍‌ର ୟୁ ହାନ୍‌ଙ୍କୁ ଏବଂ ଶ୍ରୀକାନ୍ତ ନିଜ ଦେଶର ଏଚ୍‌ଏସ୍‌ ପ୍ରଣୟଙ୍କୁ ଭେଟିବେ। ସେହିପରି ମିଶ୍ରିତ ଯୁଗଳରେ ସାତ୍ତ୍ବିକ୍‌ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ଯୋଡ଼ି ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ଜର୍ମାନି ଯୋଡ଼ି ମାର୍ଭିନ୍‌ ସିଡେଲ୍‌ ଓ ଲିଣ୍ଡା ଏଫଲର୍‌ଙ୍କୁ ୨୧-୧୪ ଓ ୨୧-୧୯ ସିଧା‌ସଳଖ ଗେମ୍‌ରେ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର