ଜବରଦଖଲ ହୋଇଛି ଭୂଦାନ ଜମି, ୧୧ ବର୍ଷ ତଳେ ଚିଠି ଲେଖି ସରକାର ବସିଯାଇଛନ୍ତି

ଭୁବନେଶ୍ବର : ରାଜ୍ୟରେ କିଛି ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଭୂଦାନ ଜମି ଜବରଦଖଲ କରିଛନ୍ତି। ଜବଦଖଲ ଉଚ୍ଛେଦ ପାଇଁ ୨୦୦୮ ମସିହା ଅଗଷ୍ଟ ମାସରେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ବିଧାନସଭାରେ ଏହି ସୂୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। କିନ୍ତୁ ଚିଠି ଲେଖାଯିବାର ୧୧ ବର୍ଷ ପରେ ଜିଲ୍ଲାପାଳମାନେ କେତେ ଜମି ମୁକୁଳାଇଲେ ଓ ଭୂଦାନ ଜମିର ବର୍ତ୍ତମାନ ସ୍ଥିତି କ’ଣ, ତାହାର ତଥ୍ୟ ସରକାରଙ୍କ ପାଖରେ ନାହିଁ। ତେବେ ଏହି ଜମିକୁ ଫେରାଇ ଆଣିବା ପାଇଁ ଭୂଦାନ ଯଜ୍ଞ ସମିତି ପକ୍ଷରୁ ବିଭିନ୍ନ ନ୍ୟାୟାଳୟରେ ମାମଲା ଦାୟର କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୂଦାନ ଯଜ୍ଞ ସମିତି ଓ ଭୂଦାନ ଜମି ସମ୍ପର୍କିତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତିନିଟି ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ଦର୍ଶାଇଛନ୍ତି, ଭୂଦାନ ଯଜ୍ଞ ସମିତିକୁ ଦାନସୂତ୍ରରେ ୬,୪୦,୫୭୫.୬୧ ଏକର ଜମି ମଳିଛି। ତାହା ମଧ୍ୟରୁ ୫,୮୨,୫୧୬.୪୦ ଏକର ଜମି ୧,୫୨,୮୫୨ ଜଣ ଭୂମିହୀନ ପରିବାରଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। କିନ୍ତୁ ୨୦୧୫ ନଭେମ୍ବର ୭ ତାରିଖରେ ରାଜସ୍ବ ବିଭାଗ ପକ୍ଷରୁ ଭୂଦାନ ଯଜ୍ଞ ସମିତିର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖାଯାଇ ଜମି ବଣ୍ଟନ ସ୍ଥଗିତ ରଖିବାକୁ କୁହାଗଲା। କାରଣ ଦର୍ଶାଗଲା ଯେ ଜମିଗୁଡ଼ିକର ରେକର୍ଡ ଠିକ୍ ଭାବେ ଯାଞ୍ଚ୍ କରା ନ ଯାଇ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଏହା ଦ୍ବାରା ଭବିଷ୍ୟତରେ ଆଇନଗତ ସମସ୍ୟା ସୃଷ୍ଟି ହେବା ସହ ହିତାଧିକାରୀମାନେ ମଧ୍ୟ ଅସୁବିଧା ଭୋଗିବେ। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜମି ବଣ୍ଟନ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଗଲା। ତାହା ପର ଠାରୁ ଆଉ ଭୂଦାନ ଜମି ବଣ୍ଟନ ହୋଇ ନାହିଁ। ଏବେ ଭୂଦାନ ଯଜ୍ଞ ସମିତି ନିକଟରେ ବଣ୍ଟନ ପାଇଁ ୫୮,୦୫୯ ଏକର ଜମି ଉପଲବ୍ଧ ଅଛି। ଏହା ମଧ୍ୟରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୪,୬୬୪.୦୨ ଏକର ଜମି ରହିଛି।

୨୦୧୦ ମାର୍ଚ୍ଚ ୨୫ ତାରିଖରେ ଭୂଦାନ ଯଜ୍ଞ ସମିତିକୁ ଦକ୍ଷ ଓ ସୁଦୃଢ଼ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନକର୍ତ୍ତା ଶ୍ରୀ ପଟ୍ଟନାୟକ ଏକ ଲିଖିତ ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜସ୍ବ ମନ୍ତ୍ରୀ ଜଣାଇଛନ୍ତି, ଏହି ନିଷ୍ପତ୍ତି ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଏହାର କାର୍ଯ୍ୟକାରିତା ଉପରେ ବିଶଦ ବିବରଣୀ ରାଜସ୍ବ ପର୍ଷଦଙ୍କୁ ପ୍ରଦାନ କରାଯିବା ପାଇଁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର