କୁଖ୍ୟାତ ବେଲିଆ ସହଯୋଗୀ ସନ୍ତୋଷ ଗିରଫ, ୩୦୦ ଗ୍ରାମ୍ ବ୍ରାଉନସୁଗାର ଜବତ

୨.୧୫ ଲକ୍ଷ ଟଙ୍କା ଓ ୫ ମୋବାଇଲ୍‌ ଜବତ, ରିମାଣ୍ଡ୍‌ରେ ନେବ ଖୋର୍ଧା ପୁଲିସ

ଖଣ୍ଡଗିରି: ଗତ ୪ ତାରିଖ ଭୋର୍‌ରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିବା କୁଖ୍ୟାତ ବେଲିଆ ମାଝୀର ସହଯୋଗୀ ଦୁର୍ଦାନ୍ତ ସନ୍ତୋଷ ପଣ୍ଡା ଆଜି ପୁଲିସ ପଞ୍ଝା‌ରେ ପଡ଼ିଛି। ସ୍ଥାନୀୟ କଳିଙ୍ଗନଗର ବଗ ପାର୍କ ନିକଟରୁ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଖଣ୍ଡଗିରି ପୁଲିସ ମିଳିତ ଭାବେ ତାକୁ କାବୁ କରିଛନ୍ତି। ତା’ ନିକଟରୁ ୩୦୦ ଗ୍ରାମ୍ ବ୍ରାଉନସୁଗାର, ୨.୧୫ଲକ୍ଷ ଟଙ୍କା ଟଙ୍କା, ‌୫ଟି ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି। ବାଲେଶ୍ବରରୁ ମାଲ୍ ଆଣି ଘାଟିକିଆ, ଭରତପୁର, ଖଣ୍ଡଗିରି ଅଞ୍ଚଳର ଖୁଚୁରା ବେପାରୀଙ୍କୁ ଦେବାକୁ ଅପେକ୍ଷା କରିଥିବା ବେଳେ ପୁଲିସ ଟିମ୍‌ ତାକୁ ମାଡ଼ି ବସିଛନ୍ତି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ। ତେବେ ଖୋର୍ଧା ଓ ବଳଙ୍ଗା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସନ୍ତୋଷକୁ ଖୋର୍ଧା ପୁଲିସ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

କାମ ଦେଲା ବେଲିଆ, ଚନ୍ଦୁ ଓ ସାକୁଲ୍‌ ସୂଚନା
ଧୂର୍ତ ସନ୍ତୋଷ ୫ଟି ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲା। ଖୁଚୁରା ବେପାରୀମାନେ ସନ୍ତୋଷର କୌଣସି ଗୋଟିଏ ନମ୍ବର ହିଁ ଜାଣିଥିଲେ। ସେ ସମସ୍ତଙ୍କୁ ସବୁ ନମ୍ବର ଦେଉନଥିଲା। ତେବେ ୮ ତାରିଖରେ ଖଣ୍ଡଗିରି ପୁଲିସ ହାବୁଡ଼ରେ ପଡ଼ିଥିବା ବ୍ରାଉନସୁଗାର ବେପାରୀ ଚନ୍ଦୁ ଓ ସାକୁଲ୍‌ ସନ୍ତୋଷ ବାବଦରେ କିଛି ସୁରାକ୍ ଦେଇଥିଲେ। ସେହିଭଳି ପୁଲିସ ମଧ୍ୟ ବେଲିଆଠାରୁ ଏହି ସବୁ ସୂଚନା ହାସଲ କରିଥିଲା। କିଛି ଦିନ ହେଲା ସ୍ପେସାଲ୍‌ ସ୍କ୍ବାଡ୍‌ ସନ୍ତୋଷର ସବୁ ନମ୍ବରକୁ ଟ୍ରାକିଂ କରି ଆଜି ତାକୁ ଠାବ କରିଥିଲା।

ପାରୋଲ୍‌ରେ ଆସି ଫେରାର୍‌ ଥିଲା
ସୂଚନାନୁସାରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ବିଦ୍ୟାଧରପୁରର ସନ୍ତୋଷ ପଣ୍ଡା ୨୦୧୧ ମସିହାରୁ ବେଲିଆ ମାଝୀ ଗ୍ୟାଙ୍ଗ ସହ ମିଶି ଖୋର୍ଧା ଅଞ୍ଚଳରେ ବିଭିନ୍ନ ଅପରାଧ ଘଟାଇ ଚାଲିଥିଲା। ୨୦୧୧ ମସିହାରେ ଖୋର୍ଧାରେ ଏକ ଡକାୟତି ମାମଲାରେ ବେଲିଆ ଖସି ଯାଇଥିବା ବେଳେ ସନ୍ତୋଷ ଗିରଫ ହୋଇଥିଲା ଓ ତାକୁ ଏହି ମାମଲାରେ ମାନ୍ୟବର ଅଦାଲତ ୫ ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲେ। କିନ୍ତୁ ୨୦୧୪ ମସିହାରେ ସେ ପାରୋଲ୍‌ର ଆସି ଆଉ ଫେରିନଥିଲା। ପାରୋଲ୍‌ରେ ଥାଇ ସେ ଓ ବେଲିଆ ସେହି ବର୍ଷ ଜୁନ୍‌ ମାସରେ ଖୋର୍ଧା ଟାଙ୍ଗୀ କଇଁଥାପଲ୍ଲୀ ଛକରେ ଏସ୍‌ବିଆଇ ଗାଡ଼ିକୁ ଅଟକାଇ ସୁରକ୍ଷାକର୍ମୀଙ୍କୁ ଗୁଳି ମାଡ଼ ମାରି ୬୦ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ସେହିଭଳି ୨୦୧୮ ମସିହାରେ ଖୋର୍ଧା ପଲ୍ଲା ଛକରେ ବବୁଲ୍‌କୁ ଗୁଳି ମାଡ଼ କରି ବେଲିଆ ଓ ସନ୍ତୋଷ ଫେରାର୍ ହୋଇ ଯାଇଥିଲେ। ଏହାପରେ ସେମାନେ ଖୋର୍ଧା ତାପଙ୍ଗ ଅଞ୍ଚଳରେ ଖଣି ମାଫିଆମାନଙ୍କ ସହ ମିଶିବା ସହ ବ୍ରାଉନ୍ ସୁଗାର କାରବାରରେ ପଶିଥି‌ଲେ। ଖୋର୍ଧାରେ ଏସ୍‌ଟିଏଫ୍‌ ଚଢ଼ଉ ହେବା ପରେ ବେଲିଆ ଓ ସନ୍ତୋଷ ରାଜଧାନୀରେ ଡେରା ପକାଇଥିଲେ। ଖୋର୍ଧାର ବଡ଼ ବଡ଼ ବ୍ରାଉନ୍ ସୁଗାର ବେପାରୀ ଏସ୍‌ଟିଏଫ୍‌ ଜାଲରେ ପଡ଼ିବା ପରେ ସନ୍ତୋଷ ଓ ବେଲିଆ ଏହି ଧଳା ଜହର କାରବାରକୁ ସମ୍ଭାଳିଥିଲେ। ସେମାନେ ମୁଖ୍ୟତଃ ରାଜଧାନୀର ଖଣ୍ଡଗିରି ଓ ତମାଣ୍ଡୋ ଥାନା ଅଞ୍ଚଳକୁ ସେମାନଙ୍କ ବିଷ ବେପାରର ପେଣ୍ଠ କରି ନେଇଥିଲେ। ଏହି ଖବର କମିସନରେଟ୍‌ ପୁଲିସ ନିକଟରେ ପହଞ୍ଚିବା ପରେ ସ୍ପେସାଲ ସ୍କ୍ବାଡ୍‌ ସକ୍ରିୟ ହୋଇଥିଲାଓ ସେମାନଙ୍କ ପିଛା କରିଥିଲା। ତେବେ ଗତ ୪ ତାରିଖ ରାତିରେ ବେଲିଆ ଖଣ୍ଡଗିରି ଥାନା ପୁଲିସ ଟିମ୍‌ ହାବୁଡ଼ରେ ପଡ଼ିଥିଲା ଓ ଖସି ପଳାଇବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇବାରୁ ତାକୁ ଏନ୍‌କାଉଣ୍ଟରର ଶିକାର ହେବାକୁ ପଡ଼ିଥିଲା। ଗତକାଲି ପୁଲିସ ବେଲିଆକୁ ହସ୍ପିଟାଲରୁ ଆଣି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର