ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ କର୍ମକର୍ତ୍ତାଙ୍କୁ ଲେଖିଲେ ଚିଠି, ଗାନ୍ଧୀ ଜୟନ୍ତୀରେ ରାଜଧାନୀରେ ବିଶାଳ ମାନବ ଶୃଙ୍ଖଳ

ଭୁବେନଶ୍ବର : ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ଜନ ସମ୍ପର୍କ ପଦଯାତ୍ରା କରିବ । ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସବୁ କର୍ମୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି ଓ ପ୍ରମୁଖ ଦଳୀୟ ସଂଗଠନମାନଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଗାନ୍ଧୀ-୧୫୦ ସମନ୍ବୟ ଉପକମିଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଅକ୍ଟୋବର ୨ ତାରିଖରେ ଭୁବେଶ୍ବରରେ ଏକ ବିଶାଳ ମାନବ ଶୃଙ୍ଖଳ ଆୟୋଜନ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି, ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀକୁ ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ପାଳନ କରାଯିବ। ପଦଯାତ୍ରା ସମୟରେ ବିଜେଡି ଏହାର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରିବ। ବିଶେଷକରି ଯୁବକ, ଛାତ୍ର ଏବଂ ମହିଳାମାନଙ୍କୁ ଦଳରେ ଯୋଗ ଦେବା ପାଇଁ ଉତ୍ସାହିତ କରାଯିବ। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଏବଂ କ୍ରିୟାଶୀଳ କରାଇବା ପାଇଁ ୫’ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ କର୍ମୀମାନେ ଉଦ୍ୟମ କରିବେ। ଏଥିପାଇଁ ଚଳିତବର୍ଷ ଜନସମ୍ପର୍କ ପଦଯାତ୍ରା ଜିଲ୍ଲା ସ୍ତରରୁ ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ଵାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ।

ଜନସମ୍ପର୍କ ପଦଯାତ୍ରାକୁ ସଫଳ କରାଇବା ପାଇଁ ସହରାଞ୍ଚଳ ଏବଂ ପଞ୍ଚାୟତର ପ୍ରତ୍ୟେକ ଵାର୍ଡ଼ରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ, ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଂଯୋଜକ, ନିର୍ବାଚନମଣ୍ଡଳୀ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତି, ଦଳୀୟ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହି ଜନସମ୍ପର୍କ ପଦଯାତ୍ରାକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ। ଦଳର ମହିଳା, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ, ଯୁବ ଏବଂ ଛାତ୍ର ଶାଖା ସମେତ ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ସଭ୍ୟ ସଂଗ୍ରହ ଅଭିଯାନ ଓ ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେବେ। ଏ ସମସ୍ତ କାର୍ଯ୍ୟ କିଭଳି ସୁଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା, ତାର ସବିଶେଷ ବିବରଣୀ ସଭାପତିଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଇଁ ଗଠିତ ସମନ୍ବୟ ଉପକମିଟି ବୈଠକ ଆଜି ରାଜ୍ୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଥିଲା। ଉପକମିଟିର ଅଧ୍ୟକ୍ଷ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇବର୍ଷ ବ୍ୟାପୀ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ସୂଚନା ଦେଇଥିଲେ। ଚଳିତବର୍ଷ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ମହାତ୍ମାଗାନ୍ଧୀଙ୍କର ଏକ ବିଶାଳକାୟ ପ୍ରତିମୂର୍ତ୍ତି ରାଜଧାନୀରେ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ବୈଠକରେ ସମନ୍ବୟ ଉପକମିଟିର ଅନ୍ୟତମ ସଦସ୍ୟ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମହାତ୍ମାଙ୍କ ଏହି ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କିଭଳି ଠିକ୍ ଭାବରେ ରୂପାୟନ ହୋଇପାରିବ ସେ ନେଇ ଗୁରୁତ୍ବ ଦେଇଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଗାନ୍ଧୀ ଗସ୍ତ କରିଥିବା କାଦୁଅ ଆଶ୍ରମକୁ ଗାନ୍ଧୀ ସ୍ମାରକୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ସଦସ୍ୟ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ଅଶ୍ବିନୀ କୁମାର ପାତ୍ର, ସଦସ୍ୟ ସଂଗ୍ରାମ ପାଇକରାୟ ପ୍ରମୁଖ ପ୍ରସ୍ତାବ ଦେଇ କହିଥିଲେ ଯେ, ଗାନ୍ଧୀ ଜୟନ୍ତୀ ପୂର୍ବରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଫଟୋ ଲଗାଯାଉ।

ନିଷ୍ପତ୍ତି ମୁତାବକ, ଓଡ଼ିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଚିହ୍ନଟ ହେବ। ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାଳରେ ଅବସ୍ଥାନ କରିଥିବା ଗୃହ ଗୁଡ଼ିକର ବିକାଶ କରାଯିବ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସବୁ ସରକାରୀ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଫଟୋ ଲାଗିବ। ସ୍ବତନ୍ତ୍ରଭାବେ ଶିକ୍ଷାନୁଷ୍ଠାନରେ ଆଲୋଚନା, ସହର ଓ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ, ଗାନ୍ଧୀ ରଚନାବଳୀ ପ୍ରକାଶନ, ଗାନ୍ଧୀ ସର୍କିଟର ବିକାଶ ପାଇଁ ପଦକ୍ଷେପ ନିଆଯିବ। ଉପକମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅଭିଲେଖାଗାର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଓ ସଂସ୍କୃତି ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର