ନୂଆଦିଲ୍ଲୀରେ ଜୈବ ଇନ୍ଧନ ସମ୍ମିଳନୀ : ଅନ୍ନଦାତା ଚାଷୀଙ୍କୁ ଉର୍ଜାଦାତା କରାଯିବ – ଧର୍ମେନ୍ଦ୍ର

ଭୁବନେଶ୍ବର : ସିଆଇଆଇ ପକ୍ଷରୁ ନୂଆଦିଲ୍ଲୀରେ ଜୈବ ଇନ୍ଧନ ସମ୍ମିଳନୀ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଦେଶରେ ଅନ୍ନଦାତା ଚାଷୀଙ୍କୁ ଉର୍ଜାଦାତା କରାଯିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ୍‌ ପ୍ରସ୍ତୁତି ଆମକୁ ପେଟ୍ରୋଲ, ଡିଜେଲ୍‌ ପରି ଫସିଲ୍‌ ଉର୍ଜା ଆମଦାନିକୁ କମ୍ କରିବାରେ ସହାୟକ ହେବ। ଏହା ଦ୍ବାରା ଆମର ଆମଦାନି କମ୍ ହୋଇ ଅର୍ଥନୀତି ମଜବୁତ୍‌ ହେବା ସହ ଚାଷୀମାନଙ୍କର ମଧ୍ୟ ଆର୍ଥିକ ବିକାଶ ହେବ।

ଶ୍ରୀ ପ୍ରଧାନ କହିଲେ, ବିଶ୍ବରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ରଠାରୁ ଭିନ୍ନ। ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଓ ସୁସ୍ଥ ଇନ୍ଧନ ପହଞ୍ଚାଇବା‌ ଦିଗରେ କାମ କରୁଛନ୍ତି। ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତ ବିଶ୍ବର ଏକ ନମ୍ବର ଉର୍ଜା ବ୍ୟବହାରକାରୀ ଦେଶ ହେବ। ଆମେରିକା ପରି ଇଥା‌ନଲ୍‌, ୨ଜି ଇଥାନଲ୍‌, ବାୟୋଡିଜେଲ୍‌ ଓ କମ୍ପ୍ରେସଡ୍‌ ବାୟୋ ଗ୍ୟାସ୍‌କୁ ନେଇ ଆମେ ଦୁନିଆର ଭୌଗଳିକ ସ୍ଥିତିକୁ ବଦଳାଇପାରିବା। ମୋଦୀ ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟ୍‌ରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି। ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍‌ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସର‌େର କେନ୍ଦ୍ର ମନ୍ତ୍ରୀ ‘ଫାର୍ମ ଟୁ ଫୁଏଲ୍‌’କୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର