ନୂଆଦିଲ୍ଲୀ: ଦେଶର ଅର୍ଥନୀତି ପ୍ରତି ବିଶେଷ ଗୁରୁତ୍ବ ରଖୁଥିବା ଆଠଟି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅଗଷ୍ଟ ମାସରେ ୦.୫% ଭଳି ନିମ୍ନ ସ୍ତରକୁ ଖସିଯାଇଛି। ଅଗଷ୍ଟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ୍ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସେଥିପାଇଁ ଶିଳ୍ପ କାରଖାନା ଉତ୍ପାଦନ ଅଭିବୃଦ୍ଧି ସାଢ଼େ ତିନି ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ସରକାରଙ୍କ ପାଇଁ ଆଶ୍ବାସନାର ବିଷୟ ହେଉଛି ଚଳିତ ବର୍ଷ ଅଗଷ୍ଟରେ ସାର ଉତ୍ପାଦନ ୨.୯% ବଢ଼ିଥିବା ବେଳେ ଇସ୍ପାତ ଉତ୍ପାଦନ ୫% ବୃଦ୍ଧି ପାଇଛି। ଯେଉଁ ଆଠଟି କ୍ଷେତ୍ରର ଅଭିବୃଦ୍ଧିକୁ ସରକାର ଗୁରୁତ୍ବ ଦେଇଥାନ୍ତି ତାହା ହେଉଛି କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ବିଶୋଧିତ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ୍ ଓ ବିଦ୍ୟୁତ ଶକ୍ତି। ଗତବର୍ଷ ଅଗଷ୍ଟରେ ଏହି ସବୁ କ୍ଷେତ୍ରର ମିଳିତ ଅଭିବୃଦ୍ଧି ୪.୭% ଥିଲା। ଶେଷ ଥର ପାଇଁ ୨୦୧୫ ନଭେମ୍ବରରେ ଶିଳ୍ପ ଅଭିବୃଦ୍ଧି -୧.୩% ଭଳି ନିମ୍ନ ସ୍ତରକୁ ଖସିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷର ଅଗଷ୍ଟରେ କୋଇଲା କ୍ଷେତ୍ରର ଅଭିବୃଦ୍ଧି ୮.୬%, ଅଶୋଧିତ ତେଲର ୫.୪%, ପ୍ରାକୃତିକ ଗ୍ୟାସର ୩.୯%, ସିମେଣ୍ଟ୍ର ୪.୯% ଓ ବିଦ୍ୟୁତ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ୨.୯%କୁ ହ୍ରାସ ପାଇଛି। ବିଶୋଧିତ ସାମଗ୍ରୀ ଉତ୍ପାଦନ ୨.୬% ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ପୂର୍ବବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଏହି ସବୁ ପ୍ରକାର ସାମଗ୍ରୀର ଉତ୍ପାଦନ କମିଛି। ୨୦୧୯ ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ଆଠଟି ଗୁରୁତ୍ବପୂର୍ଣ୍ଣ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୨.୪% ରହିଛି ଯାହା ୨୦୧୮ରେ ଯଥେଷ୍ଟ ଅଧିକ ୫.୮% ସ୍ତରରେ ଥିଲା। ଗତ ଜୁଲାଇରେ ଶିଳ୍ପ ଉତ୍ପାଦନରେ ବୃଦ୍ଧି ଦେଖାଦେଇଥିଲା। ଦେଶର ଅର୍ଥନୀତିରୁ ମାନ୍ଦାବସ୍ଥାର ଦୂର ହେଉଥିବାର ସଙ୍କେତ ଭାବେ ତାହାକୁ ବିଚାର କରାଯାଇଥିଲା। ଗାଡ଼ି କଂପାନିଗୁଡ଼ିକ ସେମାନଙ୍କ କାରଖାନାରେ ଉତ୍ପାଦନ ବନ୍ଦ କରିବା କିଛି ମାସ ତଳେ ଏକ ବଡ଼ ପ୍ରସଙ୍ଗ ଥିଲା। ଜୁଲାଇରେ କିନ୍ତୁ ସ୍ଥିତି ସୁଧୁରିଥିଲା। ଅଗଷ୍ଟରେ ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ଆଠଟି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହ୍ରାସ ପାଇଥିବାରୁ ଅର୍ଥନୀତିରୁ ମାନ୍ଦାବସ୍ଥାର ପ୍ରଭାବ ହଟିନାହିଁ ବୋଲି କୁହାଯାଇପାରିବ। ମାନ୍ଦାବସ୍ଥା ପ୍ରଭାବକୁ ଦୂର କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘନ ଘନ ବୈଠକ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ପ୍ୟାକେଜ୍ ଓ ପ୍ରୋତ୍ସାହନ ଘୋଷଣା କରୁଛନ୍ତି।