ନୂଆପଲ୍ଲୀ ପୂଜାମଣ୍ଡପ ପାର୍ଶ୍ବରେ ପାର୍କିଂ ନାଁରେ ଲୁଟ୍‌ତରାଜ: ବାଇକ୍‌ ୨୦, କାର୍‌ ୪୦‌

ଭୁବନେଶ୍ୱର: ନୂଆପଲ୍ଲୀ ପୂଜାମଣ୍ଡପ ପାର୍ଶ୍ବରେ ପାର୍କିଂ ନାଁରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ବାଇକ୍‌ ପିଛା ୨୦ ଟଙ୍କା ଓ କାର୍‌ ପିଛା ୪୦ ଟଙ୍କା ଆଦାୟ କରାଯାଉଛି। ଯିଏ ଯୁକ୍ତି କରୁଛି ତା’ର ଇଜ୍ଜତ ଯାଉଛି। ‘୪୦ ଲକ୍ଷର ଗାଡ଼ି ଚଢ଼ୁଛୁ ୪୦ ଟଙ୍କା ନାଇଁ‌‌…’ ବୋଲି ଉତ୍ତର ମିଳୁଛି। ସପରିବାର ପୂଜା ଉପଭୋଗ କରିବାକୁ ଆସିଥିବା କାର୍‌ ମାଲିକ ୪୦ ଟଙ୍କା ଦେବାକୁ ବାଧ୍ୟ ହେଉଛି। ବାଇକ୍‌ ଚାଳକର ଅବସ୍ଥା ବି ଅନୁରୂପ ହେଉଛି। ଜଣେ ଯୁକ୍ତି କଲେ ୪ରୁ ୫ ଜଣ ଯୁବକ ବାଇକ୍‌ ଚାଳକକୁ ଘେରି ଯାଉଛନ୍ତି। ତେବେ ବିଏମ୍‌ସି ଏ ବାବଦରେ ଜାଣିନଥିବା ବା ଏଠାରେ କାହାକୁ ପାର୍କିଂ ଫି ଆଦାୟ ପାଇଁ ସ୍ବୀକୃତି ଦିଆଯାଇ ନ ଥିବା ସ୍ପଷ୍ଟ କରିଛି। ପୂଜା କମିଟି ପକ୍ଷରୁ ମଧ୍ୟ କୁହାଯାଇଛି କି ଏଭଳି ବ୍ୟବସ୍ଥା କମିଟି ପକ୍ଷରୁ କରାଯାଇନାହିଁନୂ୍ଆପଲ୍ଲୀ ଥାନା ପୁଲିସ ମଧ୍ୟ ଏ ବାବଦରେ ଅଜ୍ଞ ଥିବା କହିଛି। ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଆଇଆଇସି କହିଛନ୍ତି।
ତେବେ ଘଟଣାସ୍ଥଳର ରସିଦ୍‌ ସୋସିଆଲ ମିଡିଆରେ ଘୂରି ବୁଲୁଥିଲେ ମଧ୍ୟ ପୁଲିସ ପାଖରେ କିଭଳି ଖବର ପହଞ୍ଚି ନାହିଁ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି କାରବାର ନୂଆ ନୁହେଁ ବା କେବଳ ନୂଆପଲ୍ଲୀ ପୂଜା ମଣ୍ଡପ କଡ଼ରେ ନୁହେଁ, ବରଂ ବିଭିନ୍ନ ପୂଜା ମଣ୍ଡପ କଡ଼ରେ ଏହି ବେପାର ଚାଲିଛି। ବେଆଇନ ଭାବରେ କେଉଁଠି ୧୦ ଟଙ୍କା, ୨୦ ଟଙ୍କା, କେଉଁଠି ୪୦ ଟଙ୍କା ଆଦାୟ ଚାଲିଛି। ଗୋଟିଏ ଗୋଟିଏ ଜାଗାରୁ ଦିନକୁ ୮ରୁ ୧୦ ଲକ୍ଷ ଆଦାୟ ହେଉଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର