ଅଭିଜିତଙ୍କ ଅଭିନବ ଗବେଷଣାକୁ ସ୍ବୀକୃତି, ଦାରିଦ୍ର୍ୟ ହ୍ରାସ ପାଇଁ କରିଛନ୍ତି ଉନ୍ନତ ଗବେଷଣା

ଷ୍ଟକହୋମ୍‌: ଅର୍ଥନୀତିରେ ଅନେକ ଉନ୍ନତି ହୋଇଥିଲେ ମଧ୍ୟ ବିଶ୍ବରୁ ଦାରିଦ୍ର୍ୟ ହ୍ରାସ କରିବା ଏବେ ବି ଅର୍ଥନୀତିଜ୍ଞଙ୍କ ପାଇଁ ଏକ ବଡ଼ ଆହ୍ବାନ ହୋଇ ରହିଛି। ବିଶ୍ବରେ ବର୍ତ୍ତମାନ ୭୦ କୋଟିରୁ ଅଧିକ ଲୋକ ନାମ ମାତ୍ର ଆୟରେ ଜୀବନ ନିର୍ବାହ କରୁଛନ୍ତି। ୫ ବର୍ଷରୁ କମ୍ ବୟସର ପ୍ରାୟ ୫୦ ଲକ୍ଷ ଶିଶୁ ରୋଗରେ ପଡ଼ି ପ୍ରତିବର୍ଷ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଶ୍ବର ପ୍ରାୟ ଅଧାଅଧି ଶିଶୁ ଏବେ ବି ମୌଳିକ ଶିକ୍ଷା ଏବଂ ଗଣିତ ଜ୍ଞାନ ନ ପାଇ ବିଦ୍ୟାଳୟ ଛାଡ଼ୁଛନ୍ତି। ଏବେ ବିଶ୍ବରୁ ଦାରିଦ୍ର୍ୟ ଦୂର କରିବା ଦିଗରେ ପ୍ରୟୋଗାତ୍ମକ ଗବେଷଣା କରିଥିବା ୩ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ, ତାଙ୍କ ପତ୍ନୀ ଇସ୍ତର ଡୁ‌ଫ୍‌ଲୋ ଏବଂ ମାଇକେଲ କ୍ରେମରଙ୍କୁ ଅର୍ଥନୀତିରେ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଛି। ବିଶ୍ବରୁ ଦାରିଦ୍ର୍ୟ ଦୂର କରିବା ପାଇଁ ଏମାନେ ନୂଆ ଚିନ୍ତାଧାରା ଆଧାରରେ କ୍ଷେତ୍ରଭିତ୍ତିକ ଗବେଷଣା କରିଛନ୍ତି। ତାହାକୁ ନୋବେଲ ପୁରସ୍କାର ଚୟନ କମିଟି ସ୍ବୀକୃତି ଦେଇଛି। ଏହି ଗବେଷଣା ବିଶ୍ବରୁ ଦାରିଦ୍ର୍ୟ ଦୂର କରିବା ପାଇଁ ମୁଳଦୂଆ ସ୍ଥାପନ କରିବ ବୋଲି ନୋବେଲ କମିଟି କହିଛି। ବିଶ୍ବର ଦାରିଦ୍ର୍ୟ ସମସ୍ୟାକୁ ଛୋଟ ଛୋଟ ଭାଗରେ ବିଭକ୍ତ କରାଯାଇ ତାହାର ସମାଧାନ କରାଯାଇ ପାରିବ ବୋଲି ଏମାନେ ଗବେଷଣାରେ ଦର୍ଶାଇଛନ୍ତି। ବିକାଶମୂଳକ ଅର୍ଥନୀତିର ଗବେଷଣାକୁ ଏମାନେ ଏକ ନୂଆ ଦିଗ ଦେଖାଇଛନ୍ତି। ଏହି ନୂଆ ଗବେଷଣା ବାସ୍ତବ ଫଳ ମଧ୍ୟ ପ୍ରଦାନ କରୁଛି। ଦାରିଦ୍ର୍ୟ ହ୍ରାସରେ ଏହା ସହାୟକ ହେଉଛି ବୋଲି କମିଟି କହିଛି। ଏମାନଙ୍କ ଗବେଷଣା ମାନବ ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛି। ଶିକ୍ଷା ସହ ଯୋଡ଼ି ଦାରିଦ୍ର୍ୟକୁ କିଭଳି ମୁକାବିଲା କରାଯାଇ ପାରିବ ତାହା ଉପରେ ଏମାନେ ଅଧ୍ୟୟନ କରିଛନ୍ତି। ଭାରତର ଦୁଇଟି ସହର ମୁମ୍ବାଇ ଏବଂ ଭଦୋଦରାରେ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ଟ୍ୟୁଟୋରିଆଲ କାର୍ଯ୍ୟକ୍ରମ କିଭଳି ସହାୟକ ହୋଇଛି ତାହାକୁ ବାନାର୍ଜୀ, ଡୁଫ୍‌‌ଲୋ ଏବଂ ଅନ୍ୟ ଗବେଷକମାନେ ଅଧ୍ୟୟନ କରିଛନ୍ତି। ଭାରତ ଏବଂ କେନିଆରେ ଏହି ଗବେଷକମାନେ କରିଥିବା ଗବେଷଣାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗବେଷକମାନେ ସ୍ବାସ୍ଥ୍ୟ, ଋଣ ସୁବିଧା ଏବଂ ନୂଆ ପ୍ରଯୁକ୍ତିର ବ୍ୟବହାର ଆଦି କ୍ଷେତ୍ରକୁ ସମ୍ପ୍ରସାରିତ କରିଛନ୍ତି।

ନୋବେଲ ଦମ୍ପତି ସୁରଟରେ ଆରମ୍ଭ କରିଛନ୍ତି ପ୍ରଦୂଷଣ ନିୟନ୍ତ୍ରକ ‘ଇଟିଏସ୍‌’
ସୁରାଟ: ଚଳିତବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ବିଜେତା ଅଭିଜିତ୍‌ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଇସ୍ତର ଡୁଫ୍‌ଲୋ ମିଳିତ ଭାବେ ଗୁଜରାଟର ସୁରଟଠାରେ ଏକ ପ୍ରଦୂଷଣ ନିୟନ୍ତ୍ରଣକାରୀ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଥିଲେ। ମାସକ ପୂର୍ବରୁ ଏହି ଦମ୍ପତି ‘ଜାମିଲ୍‌ ପର୍ଭଟି ଆକ୍ସନ ଲ୍ୟାବ (ଜେ ପାଲ୍‌) ଜରିଆରେ ଏକ ଅଭିନବ ‘ଏମିସନ୍‌ ଟ୍ରେଡିଂ ସ୍କିମ୍‌’ (ଇଟିଏସ୍) ସୁରଟରେ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ସୁରଟ ଶିଳ୍ପାଞ୍ଚଳରେ ୧୫୫ ୟୁନିଟ୍‌ରେ ଇଟିଏସ୍‌ର ପ୍ରୟୋଗ କରାଯାଇଛି, ଯାହା କଳକାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ନିର୍ଗମନକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି। ଏହା ଫଳରେ ଗୁଜରାଟରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଦମ୍ପତି ଆଶା ରଖିଛନ୍ତି।

କଂଗ୍ରେସର ‘ନ୍ୟାୟ’ ଯୋଜନା ଥିଲା ବାନାର୍ଜୀଙ୍କ ପରିକଳ୍ପନା
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ବହୁ ଚର୍ଚ୍ଚିତ ‘ନ୍ୟୂନତମ ଆୟ ୟୋଜନା’ (ନ୍ୟାୟ) ଚଳିତବର୍ଷର ନୋବେଲ୍‌ ପୁରସ୍କାର ବିଜେତା ପ୍ରଫେସର ଅଭିଜିତ୍‌ ବାନାର୍ଜୀଙ୍କ ପରିକଳ୍ପନା ଥିଲା ବୋଲି କୁହାଯାଉଛି। ‘ନ୍ୟାୟ’ ଯୋଜନାର ରୂପରେଖ ପ୍ରସ୍ତୁତିରେ ପ୍ରଫେସର ବାନାର୍ଜୀ ମୁଖ୍ୟ ଭୂମିକା ନେଇଥିଲେ। ଏଣୁ ନୋବେଲ୍‌ ପୁରସ୍କାର ଘୋଷଣା ହେବା ମାତ୍ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଫେସର ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ସାଂପ୍ରତିକ ଅର୍ଥନୀତିର କଡ଼ା ସମାଲୋଚନା କରି ରାହୁଲ ପ୍ରଫେସର ବାନାର୍ଜୀଙ୍କ ପରିକଳ୍ପନାର ଉଚ୍ଚ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ‘ନ୍ୟାୟ’ ଯୋଜନାରେ ପ୍ରତି ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କା ଯୋଗାଇ ଦେବା ବ୍ୟବସ୍ଥା ରହିଥିଲା। କିନ୍ତୁ ଭୋଟର୍‌ଙ୍କ ମଧ୍ୟରେ ଏହା ବିଶେଷ ଆଗ୍ରହ ସୃଷ୍ଟି କରିପାରି ନଥିଲା।

ସମ୍ବନ୍ଧିତ ଖବର