ଭୁବନେଶ୍ୱର: ଭାରତରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜୟନ୍ତୀ ଅବସରରେ ‘ଶୈଶବ ଇଣ୍ଡିଆ ଫାଉଣ୍ଡେସନ’ ପକ୍ଷରୁ ମଂଗଳବାର ଜୟଦେବ ଭବନଠାରେ ‘କଲାମଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସରେ ପାଳିତ ହେଉଥିବା ‘ବିଶ୍ୱ ଛାତ୍ର ଦିବସ’କୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଲେଖକ ମନୋଜ କୁମାର ମହାପାତ୍ର କଲାମଙ୍କ ଜୀବନୀର ଉତ୍ଥାନ ପତନର ନିଚ୍ଛକ ଘଟଣା, ସରଳ ଓ ନିରାଡମ୍ବର ଜୀବନ ବିତାଇବାରେ ବିଶ୍ବାସ ରଖିଥିବା କଲାମଙ୍କ ସ୍ମୃତିଚାରଣ କରିଥିଲେ।
ଏଥିସହ ନିଜ ଅନୁଭୂତିରୁ କଲାମଙ୍କ ଜୀବନୀ ଉପରେ ଆଧାରିତ କିଛି ପୁସ୍ତକ ରଚନା କରିଥିବା କଥା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ନାଇଜରର କୁଳସଚିବ ଅଭୟ ନାୟକ ଓ ଜିଆଇଏସ୍ଟିର ନିର୍ଦ୍ଦେଶକ ଗୋବିନ୍ଦ ରଥ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କଲାମଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ଅର୍ପଣ କରିଥିଲେ। ସଂସ୍ଥାର ସଂପାଦିକା ବୀଣାପାଣି ଜୟସିଂହ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଜନଜାତି ଓ ଉପଜାତି ତଥା ସଂଖ୍ୟା ଲଘୁ ସମୁଦାୟର ଉପଦେଷ୍ଠା ମୁନ୍ନା ଖାନ୍ ସ୍ୱାଗତ ଭାଷଣ ଦେଇଥିଲେ।
ସଂସ୍ଥାର ଟ୍ରଷ୍ଟି ଚିତ୍ତରଂଜନ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କଲାମଙ୍କ ଆଦର୍ଶ ଉପରେ ଅଲୋକପାତ କରିଥିଲେ। କଲାମଙ୍କ ଏକ ଫଟୋଚିତ୍ରକୁ ସଂସ୍ଥା ତରଫରୁ ଲୋକାର୍ପଣ କରାଯାଇଥିଲା।ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ଏବଂ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ବଂଚାଇବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସମସ୍ତଙ୍କୁ କାଗଜ ବ୍ୟାଗ ବଣ୍ଟନ କରାଯାଇଥିଲା । ଶେଷରେ ୧୨ଜଣ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ‘ଏପିଜେ ଅବଦୁଲ କଲାମ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସ୍ଥାର ମୁଖ୍ୟ ଆୟୋଜକ ରଜନୀକାନ୍ତ ସାମନ୍ତରାୟ ସଭା ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଜେନା, ରାଧାରମଣ ଗୋସ୍ୱାମୀ, ଅଧୀର ନନ୍ଦ,କାମିନୀ କୁମାର ସ୍ୱାଇଁ, ଚୁମକୀ ବେହେରା, ସାଦିକ୍ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ ।