ଓଡ଼ିଶାରେ ବେକାରି ହାର ସର୍ବାଧିକ: ୧୫ରୁ ଅଧିକ ବୟସ ବର୍ଗରେ ୧୫.୭%, ୧୫ରୁ ୨୯ ବର୍ଷ ବର୍ଗରେ ୩୩.୮%

ଭୁବନେଶ୍ବର: ୨୦୧୯ର ଜାନୁଆରି-ମାର୍ଚ୍ଚ ଅବଧିର ବେକାରି ରିପୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଅଧୀନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରେ ଓଡ଼ିଶାର ସ୍ଥିତି ଖରାପ ରହିଛି। ୧୫ ବର୍ଷରୁ ଊର୍ଧ୍ବ ବୟସର ବେକାରି ବର୍ଗରେ ଓଡ଼ିଶା ଶୀର୍ଷରେ ରହିଛି। ୨୦୧୯ ଜାନୁଆରି-ମାର୍ଚ୍ଚ ଅବଧିରେ ଓଡ଼ିଶାରେ ବେକାରି ହାର ୧୫.୭ ପ୍ରତିଶତ ରହିଛି। ଓଡ଼ିଶା ପଛକୁ ଉତ୍ତରାଖଣ୍ଡ ଦ୍ବିତୀୟ ଏବଂ ଜମ୍ମୁ କାଶ୍ମୀର ତୃତୀୟ ସ୍ଥାନରେ ରହିଛି। ଉତ୍ତରାଖଣ୍ଡରେ ବେକାରି ହାର ୧୪.୨ ପ୍ରତିଶତ ଥିବାବେଳେ ଜମ୍ମୁ କାଶ୍ମୀରରେ ୧୩.୮ ପ୍ରତିଶତ ରହିଛି। ଓଡ଼ିଶା ପାଇଁ ଚିନ୍ତାର ବିଷୟ ହେଲା ୨୦୧୮ର ଏପ୍ରିଲ ପରଠାରୁ ପ୍ରତି ତ୍ରୟମାସରେ ବେକାରି ହାର ବଢ଼ିଛି। ୨୦୧୮ ଏପ୍ରିଲ-ଜୁନରେ ଓଡ଼ିଶାର ବେକାରି ହାର ୯.୯ ପ୍ରତିଶତ ଥିବାବେଳେ ଜୁଲାଇରୁ ସେପ୍ଟେମ୍ବରରେ ୧୩.୬ ପ୍ରତିଶତ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୧୪.୨ ପ୍ରତିଶତ ରହିଥିବାବେଳେ ୨୦୧୯ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହା ୧୫.୭ ପ୍ରତିଶତରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଗୁଜରାଟରେ ବେକାରି ହାର ସର୍ବନିମ୍ନ ୪.୧ ପ୍ରତିଶତ ରହିଛି। ‌ଗୁଜରାଟ ପରେ କର୍ଣ୍ଣାଟକରେ ବେକାରି ହାର ୪.୩ ପ୍ରତିଶତ ରହିଥିବା ଜଣାଯାଇଛି। କିନ୍ତୁ ଯୁବବର୍ଗ ବା ୧୫ରୁ ୨୯ ବର୍ଷ ବୟସର ଲୋକଙ୍କ ବେକାରି ତଥ୍ୟକୁ ବିଶ୍ଳେଷଣ କରିଲେ ଏହା ଜଣାପଡ଼େ ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ନଥିଲେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି। ୨୦୧୯ର ଜାନୁଆରି-ମାର୍ଚ୍ଚ ଅବଧିରେ ଓଡ଼ିଶାରେ ଏହି ବର୍ଗର ୩୩.୮ ପ୍ରତିଶତ ବ୍ୟକ୍ତି ବେକାର ଅଛନ୍ତି। ତେବେ ଆଶ୍ବାସନାର ବିଷୟ ହେଲା ୨୦୧୮ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଓଡ଼ିଶାର ବେକାରି ହାର ୩୫.୭ ପ୍ରତିଶତ ରହିଥିଲା। ତେଣୁ ୨୦୧୯ ଜାନୁଆରି-ମାର୍ଚ୍ଚ ଅବଧିରେ ଏହା ହ୍ରାସ ପାଇଛି। ଏହି ବୟସର ବ୍ୟକ୍ତିଙ୍କ ବେକାରି ହାର ‌କେରଳରେ ସବୁଠୁ ଅଧିକ ଅର୍ଥାତ୍ ୩୭.୨ ପ୍ରତିଶତ ଥିବାବେଳେ ଦ୍ବିତୀୟ ସ୍ଥାନରେ ଜମ୍ମୁ କାଶ୍ମୀର (୩୪.୧ ପ୍ରତିଶତ) ରହିଛି। ତେଣୁ ଯୁବବର୍ଗର ବେକାରି କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ସର୍ବ ଭାରତୀୟ ସ୍ତରକୁ ଦେଖିଲେ ଦେଶରେ ୧୫ ବର୍ଷରୁ ଊର୍ଧ୍ବ ବୟସର ବେକାରି ହାର ଜାନୁଆରି-ମାର୍ଚ୍ଚରେ ୯.୨ ପ୍ରତିଶତକୁ ହ୍ରାସ ପାଇଛି। ଏହା ପୂର୍ବ ତ୍ରୟମାସରେ ବେକାରି ହାର ୯.୭ ପ୍ରତିଶତ ରହିଥିଲା। କିନ୍ତୁ ସର୍ବ ଭାରତୀୟ ସ୍ତରରେ ୧୫ରୁ ୨୯ ବର୍ଷ ବୟସ ବର୍ଗରେ ବେକାରି ହାର ଜାନୁଆରି-ମାର୍ଚ୍ଚ ଅବଧିରେ ୨୨.୫ ପ୍ରତିଶତକୁ କମିଛି। ଏହା ପୂର୍ବ ତ୍ରୟମାସରେ ଉକ୍ତ ବେକାରି ହାର ୨୩.୭ ପ୍ରତିଶତ ରହିଥିବା ଏନଏସଓ ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର