ନାଗରିକତା ସଂଶୋଧନ ବିଲ୍ ମାମଲା: ସୁଧୁରୁଛି ଆସାମ, କର୍ଫ୍ୟୁ କୋହଳ
ଗୌହାଟିରେ ଗଣ ଆମରଣ ଅନଶନ ଆରମ୍ଭ, ସୁପ୍ରିମ୍ କୋର୍ଟରେ ଆବେଦନ କଲା ଆଇଏମ୍ଏଲ୍
ପଶ୍ଚିମବଙ୍ଗ: ରେଳ ଷ୍ଟେସନ୍ ଜାଳିଦେଲେ
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଆସାମରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ନିୟନ୍ତ୍ରଣକୁ ଆସିଛି ଏବଂ ସ୍ଥିତିରେ ଦ୍ରୁତ ଉନ୍ନତି ହେଉଥିବାରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଆଗକୁ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଉପଦ୍ରବକାରୀଙ୍କୁ ରୋକିବା ପାଇଁ ଆଜି ଅଧିକ ସଂଖ୍ୟାରେ ସେନା ଯବାନ ଗୌହାଟି ପହଞ୍ଚିଛନ୍ତି। ଗତକାଲି ଗୌହାଟିରେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଆସାମର କୌଣସି ସ୍ଥାନରୁ ହିଂସା ସଂକ୍ରାନ୍ତ ରିପୋର୍ଟ ମିଳି ନଥିବା ବେଳେ ଗୌହାଟିରେ ଗଣ ଆମରଣ ଅନଶନ ଆରମ୍ଭ ହୋଇଛି। ହଜାର ହଜାର ଜନତା ଏଥିରେ ସାମିଲ ହୋଇଛନ୍ତି। ସେହିପରି ଆଜି ପଶ୍ଚିମବଙ୍ଗରେ ମଧ୍ୟ ସିଏବି ବିରୋଧରେ ବ୍ୟାପକ ଆନ୍ଦୋଳନ ହୋଇଛି। ମୁର୍ସିଦାବାଦ୍ ଜିଲ୍ଲାରେ ଏକ ରେଳ ଷ୍ଟେସନ୍ରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି। ପ୍ଲାଟଫର୍ମ ସହ ୨-୩ଟି କୋଠା ଏବଂ ରେଳ ଷ୍ଟେସନ୍ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଆସାମରେ ସ୍ଥିତି ସୁଧୁରୁ ଥିଲେ ମଧ୍ୟ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିଛି। ଆଜି ତିନ୍ସୁକିଆ, ଦିବ୍ରୁଗଡ଼ ଏବଂ ଶିବସାଗର ଏବଂ ଜୋରହାଟ ଅଂଚଳରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ଦୁଇ ଦିନ ହେଲା ଏହି ଅଂଚଳରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ବିଭିନ୍ନ ସଂଗଠନକୁ ଶାନ୍ତି କାଏମ ରଖିବା ପାଇଁ ନିବେଦନ କରିବା ସହ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ନକରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉତ୍ତରପୂର୍ବ ବାସିନ୍ଦା ନାଗରିକତା ସଂଶୋଧନ ବିଲ୍କୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଆଜି ମାମଲା ରୁଜୁ ହୋଇଛି। ଇଣ୍ଡିଆନ୍ ମୁସ୍ଲିମ ଲିଗ୍ (ଆଇଏମ୍ଏଲ୍)ର ୪ ଜଣ ସାଂସଦ ଏହି ବିଲ୍ ବିରୋଧରେ ଆବେଦନ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ ଭାରତର ସମ୍ବିଧାନ ଧର୍ମ ଆଧାରରେ ଏଭଳି ପଦକ୍ଷେପ ନେବାକୁ ଅନୁମତି ଦେଉନଥିବା ବେଳେ ସରକାର ବେଆଇନ ଭାବେ ଏ ସଂକ୍ରାନ୍ତ ଆଇନ କାର୍ଯ୍ୟକାରୀ କରିଛନ୍ତି। ନାଗରିକତା ସଂଶୋଧ ବିଲ୍ ସମ୍ବିଧାନର ଧାରା ୧୪ର ଖୋଲା ଉଲ୍ଲଂଘନ କରୁଥିବା ଏଥିରେ ଦର୍ଶାଯାଇଛି।
ମେଘାଳୟରେ ହିଂସାତ୍ମକ ଆନ୍ଦୋଳନ, ଇଣ୍ଟରନେଟ୍ ବନ୍ଦ
ସିଲଂ: ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଆନ୍ଦୋଳନ ଜୋର୍ ଧରିଛି। ଗତ ରାତିରେ କେତେକ ସ୍ଥାନରେ ହିଂସା ହୋଇଥିବାରୁ ଆଜି ୪୮ ଘଣ୍ଟା ପାଇଁ ଏଠାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅର୍ଦ୍ଧସାମରିକ ବାହିନୀ ଯବାନ ସିଲଂ ପହଞ୍ଚିଛନ୍ତି ଏବଂ ସକାଳୁ କର୍ଫ୍ୟୁ ଲାଗୁ ହୋଇଛି। ହିଂସାକୁ ଉସୁକାଇବା ପାଇଁ କେତେକ ସଂଗଠନ ଷଡ଼ଯନ୍ତ୍ର କରୁଥିବା ଖବର ମିଳିବା ପରେ ସେମାନଙ୍କ ଉପରେ ସତର୍କ ନଜର ରଖାଯାଇଛି।