କିନ୍ନରଙ୍କ ପାଇଁ ଓମଫେଡ ପାର୍ଲର ଖୋଲିଲେ ଗଜପତି ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା

ଗଜପତି: ରାସ୍ତାଘାଟରେ ଭିକ୍ଷା ବୃତ୍ତି ନ କରି କ୍ଷୀର ଦହି ବିକ୍ରି କରି ନିଜ ପେଟ ପୋଷିବେ କିନ୍ନର । ସେମାନେ ପରିଚାଳନା କରିବେ ଓମଫେଡ ପାର୍ଲର । ଏଭଳି ଏକ ଅଭିନବ ଯୋଜନା ନେଇ କିନ୍ନରଙ୍କୁ ଥଇଥାନ କରିବା ପାଇଁ ଆଗକୁ ଆସିଛନ୍ତି ଗଜପତି ଜିଲ୍ଲାର ଏସପି ସାରା ଶର୍ମା । ଆଗରୁ ଅନେକ ଲୋକାଭିମୁଖୀ ଯୋଜନା କରି ଚର୍ଚ୍ଚାକୁ ଆସିଥିବା ଏହି ମହିଳା ଅଧିକାରୀ ଏଥର କିନ୍ନରଙ୍କ ପାଇଁ ସୁରଭି ଓମଫେଡ୍ ପାର୍ଲର ଯୋଜନା ଆଣିଛନ୍ତି । କିନ୍ନରମାନେ ଓମଫେଡ ପାର୍ଲର ଜରିଆରେ ବ୍ୟବସାୟ କରି ସ୍ବାବଲମ୍ବୀ ହେବେ।  ସେମାନଙ୍କ ବ୍ୟବସାୟ ଆଗକୁ ନେବା ପାଇଁ ବିଧାୟକଙ୍କ ପାଣ୍ଠିରୁ ୩ ଲକ୍ଷ ଓ ସାଂସଦଙ୍କ ପାଣ୍ଠିରୁ୨ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

କିନ୍ନରମାନେ ରାସ୍ତାକଡରେ ଠିଆ ହୋଇ କାହାକୁ ହାତ ପତେଇବେ ନାହିଁ କି କାହା ଅଟ୍ଟହାସ୍ୟର ଶିକାର ହେବେ ନାହିଁ । ସ୍ୱାଭିମାନ ଓ ସମ୍ମାନର ସହ ଜିଇଁବେ ତୃତୀୟ ଲିଙ୍ଗୀ । କିନ୍ନରଙ୍କ ସମସ୍ୟା ବୁଝି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ଦାୟିତ୍ବ ଉଠାଇଛନ୍ତି ଗଜପତି ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ସୁରଭି ଓମଫେଡ ପାର୍ଲର ଯୋଗାଇ ଦେଇଛନ୍ତି ଗଜପତି ଏସପି।

ବର୍ତ୍ତମାନ ଏହି ପାର୍ଲରରେ ୮ ଜଣ କିନ୍ନର କାମ କରୁଛନ୍ତି । ସେମାନେ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ କ୍ଷୀର, ଦହି ଓ ଓମଫେଡ୍ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଓ ଗରମ ପାଣି ଯୋଗାଇ ଦେବେ । ଗଜପତି ଭଳି ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ କିନ୍ନରମାନଙ୍କୁ ଥଇଥାନ କରାଯାଇଛି । ମାଲକାନଗିରିରେ କିନ୍ନରମାନେ ଡାକ୍ତରଖାନାରେ ବିଭିନ୍ନ ଦାୟିତ୍ୱରେ ଅଛନ୍ତି।

ସମ୍ବନ୍ଧିତ ଖବର