ହକି ପ୍ରୋ ଲିଗ୍‌ ଲାଗି ଭାରତୀୟ ଦଳ: ଓଡ଼ିଶାରୁ ବୀରେନ୍ଦ୍ର, ଅମିତ

ସୁମିତ, ଚିଙ୍ଗଲ୍‌ସାନା ଫେରିଲେ

ଭୁବନେଶ୍ବର: ହକି ଇଣ୍ଡିଆ ସୋମବାର ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଭାରତୀୟ ଦଳ ଘୋଷଣା କରିଛି। ମନ୍‌ପ୍ରୀତ ସିଂହଙ୍କ ନେତୃତ୍ବାଧୀନ ୨୦ ଜଣିଆ ଦଳରେ ଓଡ଼ିଶାରୁ ଦୁଇ ଜଣ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଆହତ ହୋଇ ଦଳରୁ ଦୂରେଇ ରହିଥିବା ମଧ୍ୟଭାଗ ଖେଳାଳି ଚିଙ୍ଗଲ୍‌ସାନା ସିଂହ ପ୍ରାୟ ଗୋଟିଏ ବର୍ଷ‌ ପରେ ଫେରିଛନ୍ତି। ଗତ ଫେବ୍ରୁଆରିରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତା ଫାଇନାଲ୍‌ରେ ତାଙ୍କ ପାଦରେ ଆଘାତ ଲାଗିଥିଲା। ଫଳରେ ସେ ଏହା ପରଠୁ ହକିରୁ ଦୂରେଇ ରହିଥିଲେ। ସେହିପରି ଗତ ଜୁନ୍‌ରେ ଭୁବନେଶ୍ବରରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ ବେଳେ ଆହତ ହୋଇଥିବା ସୁମିତଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ଉପଅଧିନାୟକ ଦାୟିତ୍ବ ହରମନପ୍ରୀତ ସିଂହଙ୍କୁ ମିଳିଛି।

ପ୍ରୋ ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଭୁବନେଶ୍ବରସ୍ଥିତ କଳିଙ୍ଗ ହକି କମ୍ପ୍ଲେକ୍ସଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଖେଳାଯିବ। ଏଥିରେ ଘରୋଇ ଦଳ ଭେଟିବ ବିଶ୍ବ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ନେଦରଲାଣ୍ଡକୁ। ଉଭୟ ଦଳ ଭୁବନେଶ୍ବରରେ ଅନୁଷ୍ଠିତ ପୁରୁଷ ବିଶ୍ବକପ୍‌ କ୍ବାର୍ଟର୍‌ରେ ମୁହାଁମୁହିଁ ହୋଇଥିଲେ। ସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚ୍‌‌କୁ ନେଦରଲାଣ୍ଡ ୨-୧ରେ ଜିତି ସେମିଫାଇନାଲ୍‌‌ ସ୍ଥାନ ପକ୍କା କରିଥିଲା ଏବଂ ଏହିଠାରେ ଭାରତର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଥିଲା। ଫଳରେ ପୁଣି ଥରେ ଓଡ଼ିଶା ଦର୍ଶକ ଆଉ ଏକ ଚମତ୍କାର ହକି ଲଢ଼େଇ କଳିଙ୍ଗରେ ଦେଖିବାକୁ ପାଇବେ। ସେହିପରି ଘରୋଇ ଦଳ କଳିଙ୍ଗରେ ଏହି ପ୍ରତିଯୋଗିତା ଅନ୍ତର୍ଗତ ପରବର୍ତୀ ମ୍ୟାଚ୍‌ ଫେବ୍ରୁଆରି ୮ ଓ ୯ରେ ବେଲ୍‌ଜିୟମ ଏବଂ ୨୧ ଓ ୨୨ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ।‌ ଚଳିତ ସାପ୍ତହର ଶେଷରେ ପ୍ରୋ ଲିଗ୍‌ ଅନ୍ତର୍ଗତ ଉଦ୍‌ଘାଟନୀ ମୁକାବିଲାରେ ଆମ ଦଳ କଳିଙ୍ଗରେ ନେଦରଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଲାଗି ଆମେ ଅଭିଜ୍ଞ ଓ ଯୁବ ଦଳ ‌ଚୟନ କରିଛୁ। ବରୁଣ କୁମାର ଆହତ ଥିବାରୁ ତାଙ୍କ ନାମ ଚୟନ ପ୍ରକ୍ରିୟାକୁ ନେଇ ନଥିଲୁ। ଆହତ ପାଇଁ ଗୋଟିଏ ବର୍ଷ ଦଳରୁ ବାଦ୍‌ ପଡ଼ିଥିବା ଚିଙ୍ଗଲସାନାଙ୍କୁ ସୁଯୋଗ ଦେଇଛୁ ଏବଂ ସୁମିତ ମଧ୍ୟ ୬ ମାସ ପରେ ଦଳକୁ ଫେରିଛନ୍ତି। ଉଭୟ ଭଲ ଅଭ୍ୟାସ କରିବା ସହ ସୁସ୍ଥ ଅଛନ୍ତି। ଗୁରଜାଣ୍ଟ ଅଭ୍ୟାସରେ ଭଲ କରିବାରୁ ଦଳରେ ନିଜ ସ୍ଥାନ ପକ୍କା କରିଥିଲେ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ‌ରିଡ୍‌। ପ୍ରୋ ଲିଗ୍‌ରେ ଆରମ୍ଭରୁ ଶ୍ରେଷ୍ଠ ୩ ଦଳରେ ବିପକ୍ଷରେ ଖେଳିବାକୁ ଯାଉଛୁ। ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଜୟ ଲାଗି ଯୋଜନା କରିଛୁ ଏବଂ ଅଲିମ୍ପିକ୍ସକୁ ନଜରରେ ରଖି ଖେଳାଳି ଚୟନ କରାଯାଇଛି ବୋଲି ରିଡ୍‌ ସୂଚନା ଦେଇଛନ୍ତି।

ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ, କ୍ରିଷନ ବାହାଦୁର ପାଠକ, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ରୁପୀନ୍ଦର ପାଲ ସିଂହ, ମନପ୍ରୀତ ସିଂହ (ଅଧିନାୟକ), ବିବେକ ସାଗର ପ୍ରସାଦ, ଚିଙ୍ଗଲସାନା ସିଂହ, ନୀଳକାନ୍ତ ଶର୍ମା, ସୁମିତ, ଗୁରଜାଣ୍ଟ ସିଂହ, ଏସ୍‌ଭି ସୁନୀଲ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ଆକାଶଦୀପ ସିଂହ, ଗୁରସାହିବଜିତ ସିଂହ, କୋଥାଜିତ ସିଂହ ଖଡ଼ଙ୍ଗବାମ।

ସମ୍ବନ୍ଧିତ ଖବର