ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ : ‘ଓଡ଼ିଆ ଭାଷାର ସୁରକ୍ଷା ଆମ ପାଇଁ ଏକ ଆହ୍ବାନ’

ଭୁବନେଶ୍ୱର : ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଅବଦାନ ଅତୁଳନୀୟ। ଅଧୁନା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଲାଭ କରିବାର ଧାରା ବୃଦ୍ଧି ପାଉଥିବାବେଳେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାକୁ ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ। ଆମ ଭାଷାର ସୁରକ୍ଷା, ବହୁଳ ବ୍ୟବହାର ଓ ପ୍ରଚାର ପ୍ରସାର ଆଜି ସବୁବର୍ଗର ଜନସାଧାରଣଙ୍କ ପାଇଁ ଆହ୍ବାନ ହୋଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅନନ୍ତ ଦାସ କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ପ୍ରାରମ୍ଭରେ ବ୍ୟାସକବିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଅଧ୍ୟକ୍ଷତା କରି କହିଲେ, ଆମେ ଫକୀରମୋହନଙ୍କର ଯେଉଁସବୁ ଉପନ୍ୟାସ ଓ ଗଳ୍ପ ପାଠ କରୁଛୁ ତାହାର ବହୁ ଅନାଲୋଚିତ ଦିଗ ରହିଛି। ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଲେ, ଫକୀର ମୋହନ ତାଙ୍କ ଲେଖାରେ ନାରୀଶିକ୍ଷା, ନାରୀ ସ୍ବାଧୀନତା, ନାରୀମାନଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତା ଏବଂ ଏକାନ୍ନବର୍ତ୍ତୀ ପରିବାରର ସକାରାତ୍ମକ ଭାବଧାରା ପ୍ରସ୍ଫୁଟିତ ହେଉଥିଲା। ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ, ଆମେ ଓଡ଼ିଆ ଭାଷାକୁ ଭଲ ପାଇବା ସହିତ ଅଧିକରୁ ଅଧିକ ଓଡ଼ିଆ ପୁସ୍ତକ ଅଧ୍ୟୟନ କଲେ ଆମ ଭାଷା ଓ ଜାତିର ଉନ୍ନତି ହୋଇପାରିବ।

ଏହି ଅବସରରେ ବିଭାଗ ତରଫରୁ ଆୟୋଜିତ ଓଡ଼ିଆ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜଧାନୀ କଳା ନିକେତନର କଣ୍ଠଶିଳ୍ପୀମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରିଥିଲେ। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ପଞ୍ଚମ ବେଦ ଅନୁଷ୍ଠାନ ପକ୍ଷରୁ ଫକୀରମୋହନଙ୍କ ଲୋକପ୍ରିୟ ନାଟକ ‘ପେଟେଣ୍ଟ ମେଡିସିନ୍’ ପରିବେଷିତ ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ।

ଆଜି ସକାଳେ ବାଣୀବିହାରସ୍ଥିତ ବ୍ୟାସକବି ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଧାୟକ ଅନନ୍ତ ଦାସ, ବାଣୀବିହାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ପୂର୍ବତନ ବରିଷ୍ଠ ପ୍ରଶାସକ ଗୋପୀନାଥ ମହାନ୍ତି, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ, ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, କାର୍ତ୍ତିକେଶ୍ବର ପାତ୍ର, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର