ଆଜି ଦ୍ବିତୀୟ ଦିନିକିଆ: ଭାରତ ପାଇଁ ‘କର ବା ମର’

ଅକଲାଣ୍ଡ୍‌: ପ୍ରଥମ ଦିନିକିଆରେ ନିଜ ଦୁର୍ବଳତାକୁ ପଦାରେ ପକାଇଥିବା ଭାରତ ଶନିବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ଲାଗି ‘କର ବା ମର’ ସ୍ଥିତିରେ ରହିଛି। ମ୍ୟାଚ୍‌ ହାରିଗଲେ ଶୃଙ୍ଖଳା ପରାଜୟ ବି ଲଭିବ କୋହଲି ବାହିନୀ। ଟି-୨୦ ଶୃଙ୍ଖଳାକୁ ୫-୦ରେ ମୂଳପୋଛ କରିଥିବା ଭାରତ କିନ୍ତୁ ଏହାକୁ ଦିନିକିଆରେ ଦୋହରାଇବା ସମ୍ଭାବନା ନାହିଁ। ବୁଧବାର ସେଡନ୍ ପାର୍କରେ ନ୍ୟୁଜିଲାଣ୍ଡ୍‌ ଦିନିକିଆ ଇତିହାସରେ ସବୁଠାରୁ ସର୍ବୋଚ୍ଚ ପଶ୍ଚାତଧାବନ (୩୪୭) ବିଜୟ ହାସଲ କରିଥିବାରୁ ଆତ୍ମବିଶ୍ବାସକୁ ମଧ୍ୟ ବଢ଼ାଇଛି। ଶନିବାର ଇଡେନ୍‌ ପାର୍କରେ ନିଶ୍ଚିତ ଟସ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଦ୍ବିତୀୟରେ ବ୍ୟାଟିଂ କରିବା ଦଳ ନିଶ୍ଚିତ ଫାଇଦାରେ ରହିବ। ନିକଟ ଅତୀତରେ ଭାରତ ଯେଉଁ ୩ଟି ଦିନିକିଆ ହାରିଛି ସେସବୁରେ ଭାରତୀୟ ବୋଲରମାନେ ମଝିଓଭର ଗୁଡିକରେ ୱିକେଟ୍ ନେଇ ପାରିନଥିଲେ। ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍‌ଠୁ, ମୁମ୍ବାଇରେ ଅଷ୍ଟ୍ରେଲିଆଠାରୁ ହାରିଥିବା ଭାରତ ଏବେ ହାମିଲଟନ୍‌ ପରାଜୟ ପରେ ଦୁର୍ବଳତାର ଆତ୍ମଚିନ୍ତନ କରିଛି। କୋହଲିଙ୍କୁ ୱିକେଟ୍ ଆବଶ୍ୟକ ପଡୁଥିବା ବେଳେ ପ୍ରତି ଥର ସେ ବୁମରାଙ୍କ ନିକଟକୁ ଯାଇଥାନ୍ତି। ଏଭଳି ମାତ୍ରାଧିକ ନିର୍ଭରଶୀଳତା ଦଳ ପାଇଁ ଏକ ସମସ୍ୟା ହୋଇଥିବାରୁ ଖେଳାଳିଙ୍କ ସମନ୍ବୟ ନେଇ ବିଚାର କରାଯିବାର ବେଳ ଆସିଛି। ଭାରତୀୟଙ୍କ କ୍ଷେତ୍ରରକ୍ଷଣ ବି ନଜରରେ ରହିଛି। ଚେନ୍ନାଇ, ମୁମ୍ବାଇ ଏବଂ ହାମିଲଟନ୍‌ ପରାଜୟ ବେଳେ ବ୍ୟକ୍ତିଗତ ଉତ୍କର୍ଷ ରହିଥିଲେ ମଧ୍ୟ କ୍ଷେତ୍ରରକ୍ଷଣ ହିଁ ଦଳକୁ ହରାଇ ଦେଇଥିଲା। ବାଂଲାଦେଶ ବିପକ୍ଷ ଶୃଙ୍ଖଳାଠାରୁ ଦଳର କ୍ଷେତ୍ରରକ୍ଷଣ ସ୍ତର ନିମ୍ନମୁଖା ହୋଇଛି।

ଶୁକ୍ରବାର ଭାରତୀୟ ଦଳର ଅଭ୍ୟାସ ସେସନ୍‌ରେ ସାମିଲ ରହିଥିଲେ ମଧ୍ୟ ନଭଦୀପ ସୈନି ଏବଂ ଶାର୍ଦୁଲ ଠାକୁର ବୋଲିଂ କରିନଥିଲେ। ଠାକୁରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହୁନଥିବାରୁ ‌ସୈନି ତାଙ୍କ ବଦଳରେ ଖେଳିପାରନ୍ତି। ସ୍ପିନ୍ ବିଭାଗରେ କୁଲଦୀପଙ୍କ ବଦଳରେ ଚହଲ ଖେଳିବା କଥା ବିଚାର କରାଯାଉଛି। କେଦାର ଯାଦବ ଗୋଟିଏ ବି ଓଭର ବୋଲିଂ ନ କରିବା ମଧ୍ୟ କୋହଲିଙ୍କ ଚୟନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଛୋଟ ବାଉଣ୍ଡରି କାରଣରୁ ତାଙ୍କୁ ବୋଲିଂ ଦିଆଯାଇନଥିବା କୁହାଯାଉଛି। ଶିଭମ ଦୁବେ କିମ୍ବା ମନୀଷ ପାଣ୍ଡେଙ୍କୁ ବି ଖେଳାଇବାର ଆବଶ୍ୟକତା ପଡ଼ିଛି। ନୂଆ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ବୀ ସ’ ଭଲ କରିଥିବାରୁ ତାଙ୍କୁ ବଦଳାଇବା ଆଶଙ୍କା କମ୍। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଏହାର କାମଚଳା ଅଧିନାୟକ ଟମ୍ ଲଥାମଙ୍କ ସହିତ ହେନରି ନିକୋଲ୍‌ସ, ମାର୍ଟିନ ଗପ୍ଟିଲ୍‌ ଏବଂ ଅଭିଜ୍ଞ ରସ୍ ଟେଲରଙ୍କ ‌ବିସ୍ଫୋରକ ବ୍ୟାଟିଂ ବଳରେ ବୁଧବାର ବଳିୟାନ ହୋଇଥିଲା। ଏମାନେ ଶନିବାର ମଧ୍ୟ ଦଳ ପାଇଁ ସେଭଳି ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ନ୍ୟୁଜିଲାଣ୍ଡ୍ ଲେଗ୍ ସ୍ପିନର୍‌ ଈଶ ସୋଢ଼ିଙ୍କ ବଦଳରେ ୬ ଫୁଟ ୮ ଇଞ୍ଚ ଲମ୍ବାର ଦ୍ରୁତ ବୋଲର କାଇଲ୍‌ ଜାମିସନ୍‌ ନିଜ ଘରୋଇ ପଡ଼ିଆରେ ପଦାର୍ପଣ ଦିନିକିଆ ଖେଳିବାକୁ ଯାଉଛନ୍ତି। ଫ୍ଲୁ ଆକ୍ରାନ୍ତ ଥିବାରୁ ଦ୍ରୁତ ବୋଲର ସ୍କଟ୍‌ କଗ୍‌ଲିନ୍‌ ଖେଳିବା ନେଇ ସନ୍ଦେହ ରହିଛି।

ଭାରତୀୟ ଦଳ (ସମ୍ଭାବ୍ୟ ୧୧): ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟରକ୍ଷକ), ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଦେଜା, ନଭଦୀପ ସୈନି/ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା।

ନ୍ୟୁଜିଲାଣ୍ଡ୍‌ ଦଳ (ସମ୍ଭାବ୍ୟ ୧୧): ମାର୍ଟିନ ଗପ୍ଟିଲ୍‌, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍‌, ରସ୍ ଟେଲର୍‌, ଟମ୍ ଲଥାମ୍ (ଅଧିନାୟକ, ୱିକେଟରକ୍ଷକ), କଲିନ୍ ଗ୍ରାଣ୍ଡ୍‌ହୋମ୍‌, ଜିମ୍ମି ନିସାମ, ମିଚେଲ୍‌ ସାଣ୍ଟନର୍‌, କାଏଲ୍ ଜାମିସନ୍, ସ୍କଟ୍‌ କଗ୍‌ଲିନ୍‌/ହାମିସ୍ ବେନେଟ୍‌, ଟିମ୍ ସାଉଦି।

ସମ୍ବନ୍ଧିତ ଖବର