ନକଲି ଜାମିନ୍‌ ଆଦେଶପତ୍ରରେ କାରସାଦି : ଜେଲ୍‌ରୁ ୨ କଏଦୀଙ୍କୁ ନେଇ ପଳାଇଲେ

୧୫ ଦିନ ପରେ ଜଣାପଡ଼ିଲା, ବିଚାରପତିଙ୍କ ହସ୍ତାକ୍ଷର, କୋର୍ଟ ଷ୍ଟାମ୍ପ ଅବିକଳ

ବରଗଡ଼ : ବରଗଡ଼ରେ ନକଲି ଜାମିନ୍‌ ଆଦେଶପତ୍ର ଦେଖାଇ ୨ଜଣ କଏଦୀଙ୍କୁ ଜେଲ୍‌ରୁ ନେଇଯିବା ଭଳି ଅଭାବନୀୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। କୋର୍ଟରୁ ଜେଲ୍‌ କର୍ତୃପକ୍ଷଙ୍କ ପାଖକୁ ପରବର୍ତ୍ତୀ ଆଦେଶ ଆସିବା ପରେ ୧୫ଦିନ ପରେ ଘଟଣା ଜଣାପଡ଼ିଛି। ଆଉ ଘଟଣା ଜଣାପଡ଼ିବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ହୋସ୍‌ ଉଡ଼ିଯାଇଛି। ଫେରାର୍‌ କଏଦୀ ଦୁଇଜଣ ହେଲେ ଛତିଶଗଡ଼ ହସନ୍ଦ ଥାନା ଅନ୍ତର୍ଗତ ମରଘାଟିର ସାହିଲ ଓରଫ୍‌ ଉତ୍ତର ଖୁଟେ ଏବଂ ସୁପେଲା ଥାନା ଅନ୍ତର୍ଗତ ରାମନଗରର ପ୍ରଦୀପ ଠାକୁର। ଉଭୟ ଗତବର୍ଷ ଜୁଲାଇ ୬ ତାରିଖ ଗୋଟିଏ ଅପହରଣ ମାମଲାରେ ଗିରଫ ହୋଇଥିଲେ। ଛତିଶଗଡ଼ର ଚନ୍ଦ୍ରହାସିନୀ ଅଂଚଳରେ ବିବାହ ପ୍ରସ୍ତାବ ଦେବା ବାହାନାରେ ଜଣେ ବ୍ୟବସାୟୀଙ୍କୁ ଦୁହେଁ ଅପହରଣ କରି ନେଇଥିଲେ। ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ଜୁଲାଇ ୬ ତାରିଖରେ ହିଁ ଉଭୟଙ୍କୁ ବରଗଡ଼ କାରାଗାରକୁ ଅଣାଯାଇଥିଲା। ଗତ ୩ ତାରିଖ ଦୁଇ ଜଣ ଅଚିହ୍ନା ବ୍ୟକ୍ତି ଜେଲ୍‌କୁ ଆସିଥିଲେ। ଜେଲର୍‌ ନୀଳିମା କୁଲ୍ଲୁଙ୍କୁ ଅଦାଲତର ଜାମିନ ଆଦେଶପତ୍ର ଦେଖାଇଥିଲେ। ଏଥିରେ ସବୁ କିଛି ଠିକ୍‌ଠାକ୍‌ ଲାଗିଥିଲା। ତେଣୁ ବେଲ୍‌ ବଣ୍ଡ ହସ୍ତାକ୍ଷର କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଜେଲ୍‌ କର୍ତୃପକ୍ଷ ଛାଡ଼ି ଦେଇଥିଲେ। ତେବେ ଗତ ୧୭ ତାରିଖ ଦିନ ଏ ଦୁଇ କଏଦୀ କୋର୍ଟରେ ହାଜର ହୋଇନଥିବାରୁ ଜେଲ୍‌ କର୍ତୃପକ୍ଷଙ୍କୁ ନୋଟିସ୍‌ ଆସିଥିଲା। ପୂର୍ବରୁ ଜାମିନ୍‌ ପାଇସାରିଥିଲେ ହେଁ ଉଭୟ ଅଭିଯୁକ୍ତଙ୍କ ପାଇଁ ପୁଣି କାହିଁକି ନୋଟିସ୍‌ ଆସିଲା ବୋଲି ତନାଘନା ହୋଇଥିଲା। କୋର୍ଟରୁ ବୁଝିଲା ବେଳକୁ ଜାମିନ ଆଦେଶପତ୍ର ଜାଲ୍‌ ବୋଲି ଜଣାପଡ଼ିଥିଲା। ଏଥିରେ ବିଚାରପତିଙ୍କ ଦସ୍ତଖତ ଓ ଷ୍ଟାମ୍ପ ଅବିକଳ ଥିଲା। କିନ୍ତୁ ସଂପୃକ୍ତ ବିଚାରପତି ବରଗଡ଼ ଅଦାଲତରେ ଗତ ୨ ତାରିଖରୁ ଅନୁପସ୍ଥିତ ଥିଲେ। ଏହାର ସୁଯୋଗ ନେଇ ଏହି କାରନାମା ହୋଇଥିବା ଜଣାପଡ଼ିଛି।

ବରଗଡ଼ ଜେଲ୍‌ରେ ସିସିଟିଭି କ୍ୟାମେରା ଲାଗିଛି। କିନ୍ତୁ ସିସିଟିଭି ହିଁ ଫେରାର୍‌ କଏଦୀ ଏବଂ ତାଙ୍କୁ ନେବାକୁ ଆସିଥିବା ଅଜଣା ଲୋକଙ୍କୁ ଠାବ କରିବାରେ ଧୋକା ଦେଇଛି। ‌କାରଣ ଉକ୍ତ ସିସିଟିଭି ହାର୍ଡଡିସ୍କରେ ୧୦ ଦିନର ଫୁଟେଜ୍‌ କଏଦ ହୋଇପାରିବ। ଅର୍ଥ‌ାତ ୬ ତାରିଖ ପୂର୍ବର କୌଣସି ଫୁଟେଜ୍‌ ହାର୍ଡଡିସ୍କରୁ ଆପେଆପେ ଉଡ଼ି ଯାଇଛି। ଫଳରେ ଅଭିଯୁକ୍ତମାନଙ୍କୁ ଧରିବା ଏବେ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର