କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ରୋଗୀ: ୧୧ ଗାଁ ସିଲ୍‌, ୪୮ଘଣ୍ଟା ସଟ୍‌ଡାଉନ୍‌

ପରିବାରର ୧୫ ସଦସ୍ୟଙ୍କ ନମୁନା ସ˚ଗ୍ରହ

କେନ୍ଦ୍ରାପଡ଼ା/ଆଳି: ରାଜ୍ୟର ୪୦ତମ କରୋନା ରୋଗୀ କେନ୍ଦ୍ରାପଡ଼ାରୁ ଚିହ୍ନଟ ହେବାପରେ ପୂରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି। ଦୁବାଇ ଫେରନ୍ତା ଏହି ଯୁବକଙ୍କ ଘର ଆଳି ବ୍ଲକ୍‌ ଅ˚ଚଳରେ ହୋଇଥିବାବେଳେ ଗତକାଲି ତାଙ୍କ ନମୁନା ପଜିଟିଭ୍‌ ଆସିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯିବାପରେ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ସ˚ପୃକ୍ତ ଯୁବକଙ୍କୁ ତାଙ୍କ ଘରୁ ଆମ୍ବୁଲାନ୍ସରେ ଅଣାଯାଇ କଟକସ୍ଥିତ ଅଶ୍ବିନୀ କୋଭିଡ୍‌-୧୯ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସ˚ପୃକ୍ତ ଯୁବକଙ୍କ ପରିବାର ସଦସ୍ୟଙ୍କ ନମୁନା ସ˚ଗ୍ରହ କରାଯିବା ସହ ଆକ୍ରାନ୍ତଙ୍କ ଗାଁ ସମେତ ୩ କିଲୋମିଟର‌୍‌ ଭିତରେ ଥିବା ମୋଟ୍‌ ୧୧ଟି ରାଜସ୍ବ ଗାଁ, ୨ଟି ପଡ଼ା ଗାଁ ଏବ˚ ବ୍ୟାବସାୟିିକ ପେଣ୍ଠସ୍ଥଳୀ ନିଆଳିହାଟ ଓ ଆଳି ନୂଆବଜାର ଅ˚ଚଳକୁ ସିଲ୍‌ କରାଯାଇଛି। ଏ ସବୁ ଅ˚ଚଳଗୁଡ଼ିକୁ ଆସନ୍ତା ୪୮ଘଣ୍ଟା ସଟଡାଉନ୍‌ ଘୋଷଣା କରାଯିବା ସହ ଘରୁ କେହି ପଦାକୁ ନ ବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଆକ୍ରାନ୍ତ ଯବକଙ୍କ ଗାଁକୁ ସ˚କ୍ରମଣମୁକ୍ତ କରିବା ପାଇଁ ସାନିଟାଇଜେସନ୍‌ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ସ୍କ୍ରିନି˚ ଚାଲିଛି।

ଉଲ୍ଲେଖଯୋଗ୍ୟ, ଦୁବାଇ ଫେରନ୍ତା ଏହି ଯୁବକ ଗତ ୨୪ ତାରିଖରେ ଘରେ ପହଞ୍ଚିଥିଲେ। କିନ୍ତୁ ଦୁବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରେ ଥିବା ତାଙ୍କ ସ˚ପର୍କୀୟଙ୍କ ଘରେ ସେ ଦୁଇ ଦିନ ରହିଥିବା କୁହାଯାଉଛି। ଏହାପରେ ଘରୋଇ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବରରେ ବି ଗୋଟିଏ ଦିନ ସ˚ପର୍କୀୟଙ୍କ ଘରେ ରହିବା ପରେ କାର‌୍‌ ରିଜର୍ଭ କରି ଗାଁକୁ ଆସିଥିଲେ। ୨୪ତାରିଖ ଅପରାହ୍ନରେ ଆଳି ବଜାରରେ ପହଞ୍ଚିବା ପରେ ପ୍ରଥମେ ଥାନାକୁ ଯାଇଥିଲେ। ଥାନାରେ ସେ ବିଦେଶରୁ ଆସିଥିବା ଜଣାଇବା ପରେ ଦୁଇଟି ଦୋକାନକୁ ଯାଇ ଔଷଧ କିଣିଥିଲେ। ଏହାପରେ ନିଆଳି ହାଟରୁ କିଛି ଜିନିଷ କିଣି ସ˚ଧ୍ୟାରେ ଗାଁରେ ପହଞ୍ଚି ଥିଲେ। ଘରେ ବାପା, ମା’, ଭଉଣୀ, ପତ୍ନୀ ଓ ଶ୍ବଶୁର ଅଛନ୍ତି। ତେବେ ଗାଁ ଲୋକ ତାଙ୍କୁ ଦେଖିବା ପରେ ଅଲଗା ନିଆଳି ସହଦେବ ବାଳିକା ବିଦ୍ୟାଳୟରେ ହୋଇଥିବା ସ˚ଗରୋଧ କେନ୍ଦ୍ରରେ ରହିବାକୁ କହିଥିଲେ। ମାତ୍ର ସେ ନ ଶୁଣିବାରୁ ଗାଁ ଲୋକ ରାତିରେ ଏ ସ˚କ୍ରାନ୍ତରେ ତହସିଲଦାର ଓ ସରପଞ୍ଚଙ୍କୁ ଜଣାଇଥିଲେ। ପରଦିନ ଅର୍ଥାଦ୍‌ ୨୫ ତାରିଖ ସକାଳୁ ତହସିଲଦାର ଓ ସରପଞ୍ଚ ତାଙ୍କ ଘରେ ପହଞ୍ଚି ଯୁବକଙ୍କୁ ସ˚ଗରୋଧ କେନ୍ଦ୍ରରେ ରହିବାକୁ କହିଥିଲେ। ମାତ୍ର ସେ ଘରେ ରହିବାକୁ ଜିଦ୍‌ କରିବାରୁ ବାହାରେ କାହା ସହିତ ମିଳାମିଶା ନ କରି ଘରେ କ୍ବାରାଣ୍ଟିନ୍‌ରେ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇ ଚାଲି ଯାଇଥିଲେ। ଏଭଳି ସ୍ଥିତିରେ କିନ୍ତୁ ସେ ବାହାରେ ବୁଲାବୁଲି କରିଥିବା ଏବ˚ ସ˚ପର୍କୀୟଙ୍କ ଘରକୁ ଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଗତ ୪ ତାରିଖରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାଡ଼ିରେ ଅଣାଯାଇ କେନ୍ଦ୍ରାପଡ଼ାସ୍ଥିତ ଜଇପୁରା ପ୍ରାଥମିକ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ତାଙ୍କ ନମୁନା ସ˚ଗ୍ରହ କରାଯାଇ ଭୁବନେଶ୍ବର ପଠାଯାଇଥିଲା। ଗତକାଲି ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ସ୍ବାସ୍ଥ୍ୟ ବିଭାଗ ଏ ସ˚ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲା। ପ୍ରଶାସନ ପକ୍ଷରୁ ରାତିରେ ହିଁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ସହ ତାଙ୍କ ସହ ମିଳାମିଶା କରିଥିବା ବାପା, ମା’, ବିବାହିତା ଭଉଣୀଙ୍କ ସମେତ ବଡ଼ବାପା, ଦାଦା ଆଦି ୧୫ଜଣ ପରିବାର ସଦସ୍ୟଙ୍କ ନମୁନା ସ˚ଗ୍ରହ କରାଯାଇଛି। ସେମାନଙ୍କୁ ଘରେ ସ˚ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି। ସଟ୍‌ଡାଉନ୍‌ରେ ୧୧ଗାଁ; ଚାଲିଛି ସ୍କ୍ରିନି˚ ଦୁବାଇ ଫେରନ୍ତା ୩୨ ବର୍ଷୀୟ ଯୁବକଙ୍କର କରୋନା ପଜିଟିଭ ବାହାରିବା ପରେ ଆଜି ପ୍ରଶାସନ ପକ୍ଷରୁ ୧୧ଟି ଗାଁକୁ ସଟଡାଉନ୍‌ କରି ଦିଆଯାଇଛି। ଆକ୍ରାନ୍ତଙ୍କ ଗାଁ ସମେତ ଏହି ୧୧ଟି ଗାଁକୁ ବାହାର ଲୋକଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଆକ୍ରାନ୍ତଙ୍କ ଗାଁକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ପୂରା ଗାଁକୁ ସାନିଟାଇଜ୍‌ କରିବାକୁ ନିର୍ଦେଶ ଦେବା ସହ ଲୋକମାନଙ୍କର ସ୍ବାସ୍ଥ୍ୟବସ୍ଥା ଯା˚ଚ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବିଶେଷକରି, ସଟଡାଉନ୍‌ ଘୋଷିତ ନିଆଳି ପ˚ଚାୟତର ରାଧାନଗର, ବଳଭଦ୍ରପୁର ଶାସନ, ଗୋପୀନାଥପୁର, ଗୋପାଳରାୟପୁର, ଛୋଟନାଥପୁର, ନିଆଳ, ଗୌଡ଼ପାଟଣା, ଶିଳାସ୍ତମ୍ଭ, ମେଣ୍ତପୁର ପ˚ଚାୟତର ଗୋପ, କଣ୍ଟିପୁର, ତୁଳସୀ ଗ୍ରାମଗୁଡ଼ିକରେ ଲୋକମାନଙ୍କୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଘର ପଦାକୁ ନା ବାହାରିବାକୁ କୁହାଯାଇଛି। ସେହିପରି ୧୧ଟି ଗାଁ ପାଇଁ ୧୨ଟି ଡାକ୍ତରୀ ଟିମ୍‌ ନିୟୋଜିତ କରାଯାଇଛି। ଏହି ଟିମ୍‌ ବର୍ତ୍ତମାନ ଲୋକମାନଙ୍କ ସ୍ବାସ୍ଥ୍ୟବସ୍ଥା ଯା˚ଚ କରୁଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଦୃଢ଼ ପଦକ୍ଷେପ ନେଇନଥିବାରୁ ସମ୍ପୃକ୍ତ ଅଂଚଳରେ ଅସନ୍ତୋଷ ଦେଖାଯାଇଛି। ଆଜି ଏ ସ˚କ୍ରାନ୍ତରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିୟମ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ କାହିଁକି ପ˚ଚାୟତ ସ˚ଗରୋଧ କେନ୍ଦ୍ରରେ ରଖାଗଲା ନାହିଁ ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି। ସ˚ପୃକ୍ତ ଯୁବକ ଘରେ ରହିବା ଦିନଠୁ ଗାଁ ଲୋକେ କିନ୍ତୁ ତାଙ୍କଠୁ ଦୂରେଇ ରହୁଥିବା ଜଣାପଡ଼ିଛି।

ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରାପଡ଼ା ଆକ୍ରାନ୍ତ
କଟକ: କଟକ ସିଡିଏ ସେକ୍ଟର-୬ସ୍ଥିତ ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ରାପଡାର କରୋନା ଆକ୍ରାନ୍ତ। ଫଳରେ, ଏହି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଅଶ୍ୱିନୀ କୋଭିଡ଼- ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥା ଭଲ ରହିଛି ଓ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ଅଲଗା କ୍ୟାବିନରେ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨ଜଣ କ୍ୟାପିଟାଲ ହସ୍ପିଟାଲ ଓ ୨୦ ଜଣ ଅଶ୍ୱିନୀର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନେ କିମ୍ସରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ରହିଥିବାବେଳେ, ଭଦ୍ରକର ୩, କଟକ, ଯାଜପୁର, ପୁରୀ, କେନ୍ଦ୍ରାପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ରୋଗୀ ରହିଛନ୍ତି। କଟକର ଅଶ୍ବିନୀ କୋଭିଡ ହସ୍ପିଟାଲରେ ୧୫୦ ଶଯ୍ୟା ଓ ୩୫ ଆଇସିୟୁ ବ୍ୟବସ୍ଥା ରହିଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଓ ପାରାମେଡିକାଲ ଷ୍ଟାଫ ଚିକିତ୍ସା ବ୍ୟବସ୍ଥାରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର