ରହସ୍ୟ ଉପରୁ ପରଦା ହଟିଲା : ବଜ୍ରକାପ୍ତା ସ୍ବାବ୍ ନେଗେଟିଭ୍

ଭୁବନେଶ୍ବର : ବଜ୍ରକାପ୍ତାରୁ କରୋନା ଭୂତାଣୁ ସଂକ୍ରମିତ ହେଉଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏ ନେଇ ଠୋସ୍ ତଥ୍ୟ କେହି ରଖିନଥିଲେ। ଦ୍ବନ୍ଦ୍ବ ଜାରି ରହିଥିବା ବେଳେ ଆଠଗଡ଼ ବନ ବିଭାଗ ଗତକାଲି ଧରିପଡ଼ିଥିବା ବଜ୍ରକାପ୍ତାର ସ୍ବାବ୍ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା। ବଜ୍ରକାପ୍ତାର ସ୍ବାବ୍ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ରିପୋର୍ଟ ନେଗେଟିଭ୍ ଆସିଛି। କରୋନା ଭୂତାଣୁ ବଜ୍ରକାପ୍ତା ନିକଟରେ ନାହିଁ। ଫଳରେ ବଜ୍ରକାପ୍ତା ଜରିଆରେ କରୋନା ସଂକ୍ରମଣ ନେଇ ଯେଉଁ ଚର୍ଚ୍ଚା ଜାରି ରହିଥିଲା, ସେଥିରେ ବିଶେଷ କିଛି ଭିତ୍ତି ନାହିଁ ବୋଲି କୁହାଯାଇପାରେ।

ଆଠଗଡ଼ରୁ ଧରାପଡ଼ିଥିବା ବଜ୍ରକାପ୍ତା ଏଇଥିପାଇଁ ଅଧିକ ଗୁରୁତ୍ବ ବହନ କରୁଥିଲା ଯେ ଏହା ବଡମ୍ବା ବ୍ଲକ୍‌ ମହୁଲିଆ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମ୍‌ସି)ରୁ ଧରାପଡ଼ିଥିଲା।

ସେଠାରେ ସଙ୍ଗରୋଧରେ ରହୁଥିବା ପ୍ରବାସୀ ବଜ୍ରକାପ୍ତା ଦେଖି ସରପଞ୍ଚଙ୍କୁ ସୂଚନା ଦେଇଥିଲେ ଓ ପରେ ବନ ବିଭାଗ ଏହାକୁ ଉଦ୍ଧାର କରିଥିଲା। ଯେହେତୁ ବଜ୍ରକାପ୍ତା ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିଲା, କାଳେ ଏହାର ସଂସ୍ପର୍ଶରେ ଲୋକେ ଅଧିକ ବିପଦ ଘେରକୁ ଚାଲିଆସିବେ, ସେ ନେଇ ତାର କରୋନା ପରୀକ୍ଷା ପାଇଁ ଡିଏଫ୍‌ଓ ସସ୍ମିତା ଲେଙ୍କା ସ୍ବାବ୍ ଓୟୁଏଟିକୁ ପଠାଇଥିଲେ।

ହେଲେ ପାଖାପାଖି ୪ବର୍ଷ ବୟସ୍କ (ପାଖାପାଖି ୭କେଜି ଓଜନ) ଏହି ବଜ୍ରକାପ୍ତା କିଭଳି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟକୁ ଆସିଲା, ତାହା ଉପରୁ ରହସ୍ୟ ଉନ୍ମୋଚନ ହୋଇନାହିଁ। ଅତି ବିରଳ ପ୍ରଜାତିର ଏହି ପ୍ରାଣୀ ଧୀରେ ଧୀରେ ଶିକାରୀଙ୍କ ଦୌରାତ୍ମ୍ୟରୁ ଅସୁରକ୍ଷିତ ହୋଇପଡୁଥିବା ନେଇ ‘ସମ୍ବାଦ’ରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇ ଆସୁଛି। ଏହି ବଂଶ ଲୋପ ପାଇଯାଇପାରେ େବାଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବଜ୍ରକାପ୍ତାର ସୁରକ୍ଷା ପାଇଁ ଯେଭଳି ଦୃଷ୍ଟି ଦେବା କଥା ତାହା ଦେଉନାହାନ୍ତି। ଖୋଲାଖୋଲି ଭାବେ ବଜ୍ରକାପ୍ତା ଚୋରା ଚାଲାଣ ଜାରି ରହିଛି। କେବଳ ଆଠଗଡ଼ ନୁହେଁ, ରେଢାଖୋଲ ଅଞ୍ଚଳର ଏଭଳି ଘଟଣାରେ ମଧ୍ୟ ତନାଘନା ଚାଲିଛି।

ସମ୍ବନ୍ଧିତ ଖବର