ଦ୍ବିତୀୟ ପାଳିରେ ଅନ୍ୟମାନେ କ୍ଲାନ୍ତ ହେଲାପ‌ରେ ମୁଁ ଗର୍ଜିଥାଏ: ସାମି

ନୂଆଦିଲ୍ଲୀ: ଟେଷ୍ଟ୍‌ କ୍ରିକେଟ୍‌ରେ ମୋତେ ଦ୍ବିତୀୟ ପାଳିରେ ହିଁ ଅଧିକ ସଫଳତା ମିଳିଥାଏ। ଯେତେବେଳେ ଅନ୍ୟ ସାଥୀ ବୋଲରମାନେ କ୍ଲାନ୍ତ ବା ଥକି ପଡ଼ିଥାନ୍ତି, ସେତେବେଳେ ମୁଁ ଆଗକୁ ବଢ଼ିଥାଏ। ଅର୍ଥାତ୍‌ ମୋର ବୋଲିଂ ଗର୍ଜନ ଦେଖିବାକୁ ମି‌ଳେ। ଯାହାକି ମୋତେ ଦ୍ବିତୀୟ ପାଳିର ସଫଳ ବୋଲର ଭାବେ ପରିଗଣିତ କରେ ବୋଲି କହିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି। ତିନିଦିନ ଧରି ପଡ଼ିଆରେ ବିତାଇବା ପରେ ଅନେକ କ୍ଲାନ୍ତ ହୋଇପଡ଼ିଥାନ୍ତି। ମୁଁ ଠିକ୍‌ ସେହି ସମୟକୁ ଅପେକ୍ଷା କରିଥାଏ। ମୋର ଖେଳ ଆରମ୍ଭ କରିଦିଏ। ଯେପରି ପେଟ୍ରୋଲ ଇଞ୍ଜିନ୍‌ ତୁଳନାରେ ପିକଅପ୍‌ ନେବା ପାଇଁ ଡିଜେଲ ଇଞ୍ଜିନ୍‌ କିଛି ସମୟ ନେଇଥାଏ, ଠିକ୍‌ ସେହିପରି ମୋର ଇଞ୍ଜିନ୍‌ ପ୍ରଥମ ପାଳି ତୁଳନାରେ ଦ୍ବିତୀୟ ପାଳି‌ରେ ପିକଅପ୍‌ ନେଇଥାଏ ବୋଲି ସାମି କହିଛନ୍ତି।

କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ ତଥା ୫ ଦିନିଆ ଟେଷ୍ଟ୍‌ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ହିଁ ସାମି ଅଧିକ ସଫଳତା ପାଇଛନ୍ତି। ତାଙ୍କର ମୋଟ ୧୮୦ ଟେ‌ଷ୍ଟ ୱିକେଟ୍‌ ମଧ୍ୟରୁ ୯୨ ପ୍ରଥମ ପାଳିରୁ ଆସିଥିଲା ବେ‌ଳେ ୮୮ ଦ୍ବିତୀୟ ପାଳିରୁ ଆସିଛି। ହେଲେ ପ୍ରଥମ ପାଳିରେ ତାଙ୍କ ହାରାହାରି ୩୨.୫୦ ଥିଲା ବେଳେ ଦ୍ବିତୀୟ ପାଳିର ହାରାହାରି ୨୧.୯୮ ରହିଛି। ମୁଁ ଦ୍ବିତୀୟ ପାଳିକୁ ଖୁବ୍‌ ଉତ୍ସାହର ସହ ଖେଳିଥାଏ। ଯାହାର ଉଦାହରଣ ନିକଟରେ ଆମେ ବିଶାଖାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ମୋତେ ୫ ୱିକେଟ୍‌ ସଫଳତା ମିଳିଥିଲା। ସେହି ମ୍ୟାଚ୍‌ ବେଳେ ପିଚ୍‌ ମୃତପ୍ରାୟ ଥିଲା ଏବଂ କୌଣସି ବାଉନ୍‌ସ ମିଳୁନଥିଲା। ହେଲେ ମୋ ବୋଲିଂ ଶିଖର ଛୁଇଁଥିଲା ବୋଲି ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋର ଏକ ଟକ୍‌ ସୋ’ କ୍ରିକେଟ୍‌ବାଜୀରେ ଭାରତର ପୂର୍ବତନ ୱିକେଟ୍‌ରକ୍ଷକ ଦୀପ୍ ଦାସଗୁପ୍ତାଙ୍କୁ କହିଛନ୍ତି ଏହି ୨୯ ବର୍ଷ ବୟସ୍କ ସାମି। ସେହିପରି ଦକ୍ଷିଣ ଆଫ୍ରିକାର ୨୦୧୭-୧୮ ଗସ୍ତ ବେଳେ ମୋର ମୋଟ ୧୫ ୱିକେଟ୍‌ ମଧ୍ୟରୁ ୧୨ କେବଳ ଦ୍ବିତୀୟ ପାଳିରେ ମିଳିଥିଲା।

ସମ୍ବନ୍ଧିତ ଖବର