୨୨ରେ ଫିକ୍କି ମହିଳା ସଂଗଠନ ପକ୍ଷରୁ ଇ-କମର୍ସ ସଂପର୍କିତ ୱେବିନାର୍

ଭୁବନେଶ୍ୱର : କରୋନା ମହାମାରୀ ଦ୍ୱାରା ଆମ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ସାରା ବିଶ୍ୱରେ ଅନେକ ଲୋକ ନିଜର କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଯଦି ଏହି ପ୍ରବାସୀ ଓ ବେରୋଜଗାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଲେ କିପରି ହୁଅନ୍ତା ? କିପରି ହୁଅନ୍ତା ଯଦି ଆମେ ଏହି ଶ୍ରମଶକ୍ତିକୁ ଆହୁରି ଦକ୍ଷ ଓ କୁଶଳୀ କରିପାରନ୍ତେ?

ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ  ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଗ୍ରାମ ତରଙ୍ଗ ସହଯୋଗିତାରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ପରାମର୍ଶ ଦେବା ପାଇଁ ଏକ ୱେବିନାର୍ ସିରିଜ ଆରମ୍ଭ କରାଯାଇଛି । ଏସବୁ ୱେବିନାରରେ ଶିଳ୍ପଜଗତର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିବା ସହ ପରାମର୍ଶ ଦେବେ । ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି।

ଏହି କ୍ରମରେ ଦ୍ବିତୀୟ ୱେବିନାର୍ ଆସନ୍ତାକାଲି ଅର୍ଥାତ ୨୨ ଜୁନ ୨୦୨୦, ସୋମବାର ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥରର ବିଷୟ ରହିଛି ‘ଇ-କମର୍ସ’ । ମେଡିକା ବଜାରର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ଅନୀଲ ମହାନ୍ତି ଏହି ୱେବିନାରରେ ଯୋଗ ଦେଇ ଇ-କମର୍ସର ବିଭିନ୍ନ କ୍ଷେତ୍ର ଓ କ୍ୟାରିୟର ସମ୍ଭାବନା ଉପରେ ଆଲୋଚନା କରିବେ । ଗ୍ରାମ ତରଙ୍ଗର ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜରେ ଏହାର ଲାଇଭ୍ ଷ୍ଟ୍ରିମିଂହେବ।  ଏହି ୟୁଟ୍ୟୁବ୍ ଲିଙ୍କ ମାଧ୍ୟମରେ ୱେବିନାର ସହ ସଂଯୁକ୍ତ ହୋଇ ହେବ। https://www.youtube.com/channel/UCTCyIQ0v_0LuwVMcHngdeVw

ଏହା ମାଧ୍ୟମରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ବିଭିନ୍ନ ଜରୁରୀ କଥା ଜାଣିବାକୁ ଛାତ୍ରଛାତ୍ରୀମାନଙ୍କୁ ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି କ୍ଷେତ୍ର ଉପରେ କ୍ୟାରିୟର ସଚେତନତା ସୃଷ୍ଟି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଫିକ୍କି ମହିଳା ସଂଗଠନ ସହାୟକ ହୋଇପାରିବ ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ୨୨ ଜୁନ ୨୦୨୦, ସୋମବାର ଦିନ ୧୧ଟାରେ ୟୁଟ୍ୟୁବରେ ଗ୍ରାମ ତରଙ୍ଗ ପେଜ ଖୋଲିବାକୁ ଭୁଲନ୍ତୁ ନାହିଁ ।

ସମ୍ବନ୍ଧିତ ଖବର