କିଏ ହେବ ଆଇପିଏଲ୍ ବିଜେତା?
ହଗ୍ଙ୍କ ପସନ୍ଦ ମୁମ୍ବାଇ, ବାଙ୍ଗାଲୋର
ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀ ଯୋଗୁଁ ଟ୍ବେଣ୍ଟି-୨୦ ବିଶ୍ବକପ୍ ବାତିଲ ପରେ ଏବେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ଆୟୋଜନ ପାଇଁ ଲାଗିପଡ଼ିଛି। ତେବେ ଏଥର ଏହି ଲୋଭନୀୟ ଟ୍ବେଣ୍ଟି-୨୦ ଲିଗ୍କୁ ଭାରତରେ ନୁହେଁ ୟୁଏଇରେ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶୁକ୍ରବାର ସୂଚନା ଦେଇଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ଆସନ୍ତା ସପ୍ତାହରେ ପରିଚାଳନା ପରିଷଦ ବୈଠକରେ ନିଆଯିବ। ହେଲେ ୟୁଏଇରେ ଆଇପିଏଲ୍ ହେଲେ କିଏ ବିଜେତା ହେବ ତାକୁ ନେଇ ଆକଳନ ଆରମ୍ଭ ହୋଇଗଲାଣି। ଏକ୍ଷେତ୍ରରେ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ୍ ହଗ୍ ପ୍ରଥମ ପାଦ ବଢ଼ାଇଛନ୍ତି। ଏନେଇ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିଜେତା ହେବାର ବିଶ୍ବାସ ପ୍ରକଟ କରିଛନ୍ତି ହଗ୍। କେବଳ ସେତିକି ନୁହେଁ ଆଇପିଏଲ୍ର ଏହି ତ୍ରୟୋଦଶ ସଂସ୍କରଣରେ ମଧ୍ୟ ଭାରତୀୟ ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହେବେ ବୋଲି ହଗ୍ ଆକଳନ କରିଛନ୍ତି। ବିଜେତା ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପସନ୍ଦ କରିଥିବା ସଂପର୍କରେ ସେ ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହଗ୍ଙ୍କ ମତରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଇତିହାସରେ ସର୍ବାଧିକ ୪ ଥର ବିଜେତା। ଏହି ଦଳରେ ଆରମ୍ଭରୁ ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ଦକ୍ଷ ଅଲ୍ରାଉଣ୍ଡର ରହିଥିଲା ବେଳେ ଉଭୟ ନୂଆ ବଲ୍ ଓ ଡେଥ୍ ଓଭର ବୋଲିଂ ଆକ୍ରମଣ ପାଇଁ ଯଶ୍ପ୍ରୀତ୍ ବୁମ୍ରା ଏବଂ ଲସିଥ ମାଲିଙ୍ଗାଙ୍କ ରୂପରେ ଦୁଇ ଘାତକ ବୋଲର ରହିଛନ୍ତି। ଏସବୁକୁ ନେଇ ମୁମ୍ବାଇ ଦଳ ଖୁବ୍ ସନ୍ତୁଳିତ। ବିଶେଷକରି ସେହି ଦଳରେ ଥିବା ହାର୍ଦିକ୍ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ସେ ଆହତ ଯୋଗୁଁ ଲମ୍ବା ସମୟର ବିରତି ପରେ କ୍ରିକେଟ୍କୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି। ପୁଣି ଆଇପିଏଲ୍ ବେଳକୁ ସେ ହୁଏତ ସନ୍ତାନର ଜନକ ହୋଇଯାଇଥିବେ। ମୁଁ ଭାବୁଛି ଏହା ମଧ୍ୟ ତାଙ୍କ ପାଇଁ ଶକ୍ତିବର୍ଦ୍ଧକ ହେବ। ଯାହା ଫଳରେ ପାଣ୍ଡ୍ୟା ମଧ୍ୟ ୟୁଏଇରେ ଆଇପିଏଲ୍ର ଶ୍ରେଷ୍ଠ ଖେଳାଳି ହୋଇପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି ହଗ୍।
ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଆର୍ସିବି ଦଳକୁ ସେ କାହିଁକି ଦ୍ବିତୀୟ ତଥା ଅନ୍ୟତମ ପସନ୍ଦର ବିଜେତା ଭାବେ ରଖିଛନ୍ତି ବର୍ଣ୍ଣନା କରିଛନ୍ତି। ଏହି ଦଳ ସବୁବେଳେ କେବଳ କାଗଜକଲମରେ ଶକ୍ତିଶାଳୀ ରହିଆସିଛି। ହେଲେ ଏଥର ତା’ ପାଇଁ ବଡ଼ ସୁଯୋଗ ରହିବ। ଅଷ୍ଟ୍ରେଲୀୟ ତାରକା ଆରୋନ୍ ଫିଞ୍ଚ୍ଙ୍କୁ ଚଳିତ ବର୍ଷ ଦଳରେ ସାମିଲ କରିଥିବାରୁ ଏହାର ଓପ୍ନିଂ ବ୍ୟାଟିଂ ଶକ୍ତି ବୃଦ୍ଧିପାଇବ। ବିଶେଷକରି ପାୱାର ପ୍ଲେ ଓଭର ଗୁଡ଼ିକରେ ସେ ଆଧିପତ୍ୟ ଜମାଇ ଦ୍ରୁତ ରନ୍ କାଢ଼ିବାରେ ସମର୍ଥ ହୋଇପାରିବେ।
ପୁଣି ଏହା ମଧ୍ୟକ୍ରମରେ ଅଧିନାୟକ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ଉପରୁ ଚାପ ହ୍ରାସ କରିଦେବ। ଡେଲ୍ ଷ୍ଟେନ୍ ଏବଂ କେନ୍ ରିଚାର୍ଡସନ୍ଙ୍କୁ ନେଇ ଏହାର ବୋଲିଂ ଆମ୍ରମଣ ଶାଣିତ ରହିବ। ବିଶେଷକରି ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ଆର୍ସିବି ଏକ ସନ୍ତୁଳିତ ଦଳ ଭାବେ ଉଭାହେବ। ଉନ୍ନତ ରଣକୌଶଳ ନେଇ ଦଳ ପ୍ରତିଯୋଗିତାକୁ ଓହ୍ଲାଇବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି ହଗ୍। ସେଥିପାଇଁ ଆର୍ସିବିକୁ ତାଙ୍କ ବିଜେତା ତାଲିକାରେ ରଖିଛନ୍ତି।