ବଦଳି ବାତିଲ, କ୍ୟାପିଟାଲ ଥାନାରେ ରହିଲେ ଗିରିଜା

ଭୁବନେଶ୍ବର: ଗତରାତିରେ ବଦଳି ଆଦେଶ ବାହାରି ଥିଲା, କିନ୍ତୁ ୨୪ ଘଣ୍ଟା ନ ପୂରୁଣୁ ଆଜି ତାହା ବାତିଲ ହୋଇଗଲା। ତେଣୁ କ୍ୟାପିଟାଲ୍‌ ଥାନାରେ ପୂର୍ବବତ ରହିଲେ ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର୍‌ ଭାବେ କରାଯାଇଥିବା ତାଙ୍କର ବଦଳି ଆଦେଶକୁ ଆଜି ଅତିରିକ୍ତ ପୁଲିସ୍‌ କମିସନର ବାତିଲ କରିଛନ୍ତି। ତେବେ ଘଟଣାକୁ ନେଇ ସରଗରମ ଚର୍ଚ୍ଚା ହେଉଛି। କ’ଣ ଏମିତି ହେଲା ଯେ ନିଜ ଆଦେଶକୁ ଅତିରିକ୍ତ କମିସନର୍‌ ନିଜେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ ବୋଲି ନାନା ଆଲୋଚନା ହେଉଛି।

ଅନ୍ୟପକ୍ଷରେ ବଦଳି ଆଦେଶ ବାତିଲ ହେବା ପରେ ଇନ୍‌ସ୍ପେକ୍ଟର ଗିରିଜା ଚକ୍ରବର୍ତ୍ତୀ ଚର୍ଚ୍ଚାକୁ ଆସିଛନ୍ତି। ମଞ୍ଚେଶ୍ବର, ମହିଳା, ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ଥାନା ଆଦିର ଇନ୍‌ସ୍ପେକ୍ଟରଙ୍କ ଭଳି ଗିରିଜାଙ୍କର ବଦଳି ହୋଇନଥିଲେ, କଥାର ଗୁରୁତ୍ବ ନଥାନ୍ତା। କିନ୍ତୁ ତାଙ୍କୁ ବଦଳି କରିବା ପରେ ପୁଣି ବଦଳି ଆଦେଶକୁ ପରିବର୍ତ୍ତନ କରିବା ପଛରେ କି କାରଣ ରହିଛି, ତାହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଏଣୁ ଉପର ମୁଣ୍ଡରେ କେଉଁ ଅଧିକାରୀଙ୍କ ହାତ ତାଙ୍କ ମୁଣ୍ଡରେ ରହିଛି ବୋଲି ଚର୍ଚ୍ଚା ହେଉଛି। ଅନେକ ସମୟରେ କୋର୍ଟଙ୍କ ଆଦେଶକୁ ମାନିବାକୁ ବାଧ୍ୟ ହୋଇ କର୍ତ୍ତୃପକ୍ଷ ନିଜ ଆଦେଶକୁ ବାତିଲ କରିଥାନ୍ତି। କିନ୍ତୁ ଗିରିଜାଙ୍କ କ୍ଷେତ୍ରରେ ସେଭଳି କିଛି କାରଣ ନଥାଇ ନିଜ ଆଦେଶକୁ କାହିଁକି ବାତିଲ୍‌ କରିବାକୁ ଅତିରିକ୍ତ କମିସନର୍‌ ବାଧ୍ୟ ହେଲେ ବୋଲି ପ୍ରଶ୍ନ ଉଠିଛି।ଉଲ୍ଲେଖଯୋଗ୍ୟ ଯେ ଗିରିଜାଙ୍କ ସ୍ଥାନରେ କ୍ୟାପିଟାଲ ଥାନାକୁ ଯାଇଥିବା ଭରତ ସାହୁଙ୍କ ଆଦେଶ ମଧ୍ୟ ବାତିଲ ହୋଇଛି। ତାଙ୍କୁ ଏବେ ଲକ୍ଷ୍ମୀସାଗର ଥାନାକୁ ପଠା ଯାଇଛି। ପୂର୍ବରୁ ଭରତ ସାହୁ ଲକ୍ଷ୍ମୀସାଗର ଥାନାରେ କାମ କରୁଥିଲେ। ଏବେ ପୁଣି ଥରେ ତାଙ୍କୁ ସେହି ଥାନାର ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର