ରାସ୍ତାକଡ଼ ପାଲଟିଛି ସର୍ଭିସ୍‌ ସେଣ୍ଟର

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଲାଗି ରହିଛି ବରମୁଣ୍ଡା ତ୍ରିନାଥ ମନ୍ଦିର ପୋଖରୀ। ଜଳ ନିଷ୍କାସନର ବାଟ ନଥିବାରୁ ଏ ପୋଖରୀ ଏକ ଅଭିଶପ୍ତ ଜଳାଶୟ ପାଲଟିଛି। ପୋଖରୀ ସଫା ହେବାର ମାସେ ନପୂରୁଣୁ ପାଣି ପୁଣି ଗୋଳିଆ ହୋଇ ମଇଳାର ଆସ୍ତରଣ ଜମିଯାଉଛି। ତଥାପି ନିକଟରେ ଏହି ପୋଖରୀ ଚତୁଃପାର୍ଶ୍ବ ସ‌ୌନ୍ଦର୍ଯ୍ୟୀକରଣ କରାଯାଇଛି। କିଛି ଦିନ ହେଲା ଏଠାରେ ଗାଧୁଆ ପାଧୁଆ ପାଇଁ ଭିଡ଼ ଜମୁଛି। ମାତ୍ର ତତ୍‌ସଂଲଗ୍ନ ମୁଖ୍ୟ ରାସ୍ତାରେ ଖୋଲାଯାଇଛି ଏକ ସର୍ଭିସ୍‌ ସେଣ୍ଟର। ବସ୍ ଓ ଲୋକେ ଯାତାୟାତ କରୁଥିବା ଏହି ପୋଖରୀ କଡ଼କୁ ଲାଗି ଚାଲିଥିବା ସର୍ଭିସ ସେଣ୍ଟର ଅଡ଼ୁଆ ପାଲଟିଛି। ଏଠାରେ ଗାଡ଼ି ଧୁଆ ଯାଉଥିବା ବ‌େଳେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଏହି ଧୁଆ ପାଣି ପଡ଼ୁଛି। ଏନେଇ ଅନେକଥର କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ବିନା ଦ୍ବିଧାରେ ଏଠାରେ ଗାଡ଼ି ଧୁଆ ଚାଲୁଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଓଭରବ୍ରିଜ୍‌ ତଳେ ବାମ ପାର୍ଶ୍ବରେ ଖଣ୍ଡଗିରି ଆଡ଼କୁ ଯିବା ବାଟରେ ପଡ଼େ ଏହି ପୋଖରୀ। ମାତ୍ର ତାକୁ ଲାଗିଥିବା ସର୍ଭିସ ସେଣ୍ଟର ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ବାଟଟି ଗ୍ରାମବାସୀ ଓ ଅନ୍ୟ ଯାତ୍ରୀମାନଙ୍କର ଯାତାୟାତ ବାଟ। ସର୍ଭିସ୍‌ ରୋଡ୍‌ ଭାବେ ଏହା ଅନେକଙ୍କ ପାଇଁ କାମରେ ଆସୁଥିଲେ ହେଁ ଏଠାରେ କେଉଁ ବାହୁବଳୀଙ୍କ ଛତ୍ରଛାୟାରେ ଏପରି କେନ୍ଦ୍ର ଖୋଲାଗଲା ସେନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଅନ୍ତତଃ ପ୍ରଶାସନ ଏହାକୁ ଅଣଦେଖା ନକରୁ ବୋଲି ସ୍ଥାନୀୟ ବାସିନ୍ଦା ଜ୍ୟୋତିର୍ମୟ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର