ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିଲା : ପ୍ରଥମ ଦିନ ମାତ୍ର ଜଣେ ଚାଷୀଙ୍କ ଧାନ କ୍ରୟ

ପ୍ରଥମରୁ ଦେଖାଦେଲା ଟୋକନ୍‌ ସମସ୍ୟା

ଧାନ ଥିବା ଚାଷୀଙ୍କୁ ଟୋକନ୍‌ ମିଳିନି
ଟୋକନ୍‌ ପାଇଥିବା ଚାଷୀଙ୍କ ଧାନ ନାହିଁ
ଖାଦ୍ୟନୀତି ପ୍ରତିବାଦରେ କଳାବ୍ୟାଜ୍‌ ପିନ୍ଧିଲେ

ସମ୍ବଲପୁର : ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଗୁରୁବାର ସମ୍ବଲପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲିଛି। ତେବେ ଯାହା ଆଶଙ୍କା କରାଯାଉଥିଲା ତାହାହିଁ ହୋଇଛି। ଆରମ୍ଭରୁ ଦେଖା ଦେଇଛି ବିଭ୍ରାଟ। ଗୋଟିଏ ପଟରେ ରାଜ୍ୟ ସରକାରଙ୍କ ଖାଦ୍ୟ ନୀତି ପ୍ରତିବାଦରେ କେତେକ ସ୍ଥାନରେ ଚାଷୀ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବା ସହ ଧାନ ବିକ୍ରି କରିନଥିବା ଖବର ମିଳିଛି। ଅନ୍ୟ କେତେକ ସ୍ଥାନରେ ଦେଖାଦେଇଛି ଟୋକନ୍‌ ସମସ୍ୟା। ଯେଉଁ ଚାଷୀମାନେ ଧାନ ଅମଳ କରିସାରିଲେଣି ସେମାନଙ୍କୁ ଟୋକନ୍‌ ମିଳିନାହିଁ। ଅନ୍ୟପକ୍ଷରେ ଟୋକନ୍‌ ପାଇଥିବା କେତେକ ଚାଷୀଙ୍କ ଧାନ ଅମଳ ସରିନି। ତେଣୁ ଧାନ ଥିଲେ ଟୋକନ୍‌ ନାହିଁ ଓ ଟୋକନ୍‌ ଥିଲେ ଧାନ ନାହିଁ ସମସ୍ୟା ମୂଳରୁ ପରିଲକ୍ଷିତ ହୋଇଛି। ଏଭଳି ସମସ୍ୟା ମଧ୍ୟରେ ଆଜି ଜିଲ୍ଲାରେ ମାତ୍ର ଜଣେ ଚାଷୀଙ୍କ ୧୬୬ ବସ୍ତା ଧାନ ଚାରପାଲି ୟାର୍ଡରେ ସଂଗ୍ରହ ହୋଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପରମାଣପୁର ମଣ୍ଡି ଉଦ୍‌ଘାଟନ ସହିତ ଧାନ ସଂଗ୍ରହ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ମୁଖ୍ୟ ସିଏସ୍‌ଓ ସୁବୋଧ ମଲ୍ଲିକ ଏବଂ ଡିଆରସିଏସ ଲିଙ୍ଗରାଜ ନାୟକ ଉପସ୍ଥିତ ଥିଲେ। ଡିଆର୍‌ସିଏସ୍‌ ଲିଙ୍ଗରାଜ ନାଏକଙ୍କ ସୂଚନା ଅନୁସାରେ, ପ୍ରଥମ ଦିନରେ କର୍ଡୋଲା, ଠେମରା, ଘେନୁପାଲି, ଶାସନ, ବାହାମ, ପରମାଣପୁର, ଚାରପାଲିର ପ୍ରାୟ ୫୦ ଚାଷୀଙ୍କ ଟୋକନରେ ଆଜି ଧାନ ବିକ୍ରିର ତାରିଖ ରହିଥିଲା। ଏଥିରୁ ପରମାଣପୁର, ତବଲା ଏବଂ ଚାରପାଲି ମଣ୍ଡିକୁ ଚାଷୀ ଧାନ ନେଇ ଆସିଥିଲେ। ଚାରପାଲିରେ କେବଳ ଜଣେ ଚାଷୀଙ୍କ ୧୬୬ ପ୍ୟାକେଟ୍‌ ଧାନ ସଂଗ୍ରହ ହୋଇଥିଲା। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ତରଫରୁ ଚାଷୀମାନେ କଳା ବ୍ୟାଜ୍‌ ପିନ୍ଧି ତବଲା, ପରମାଣପୁର, ଚାରପାଲି, ଚାଉଁରପୁର ଓ କଣ୍ଟାପାଲି ମଣ୍ଡିରେ ଧାରଣା ଦେଇଥିଲେ। କେନ୍ଦ୍ର ସରକାରଙ୍କ କୃଷିନୀତି ଓ ରାଜ୍ୟ ସରକାରଙ୍କ ଖାଦ୍ୟ ନୀତିକୁ ବିରୋଧ କରିଥିଲେ।

ଚାଷୀଙ୍କ ଅନୁସାରେ, ଚଳିତ ବର୍ଷ ଯେଭଳି ଫସଲ ହୋଇଛି ଏକର ପିଛା ଜଳସେଚିତ ଅଞ୍ଚଳରେ ଅନ୍ୟୁନ ୨୩ କ୍ବିଣ୍ଟାଲ ଧାନ ସଂଗ୍ରହ ହେବା ଉଚିତ ଥିଲା। ମୁଖ୍ୟ କୃଷି ଅଧିକାରୀ ମଧ୍ୟ ଫସଲ କଟା ରିପୋର୍ଟ ଆଧାରରେ ଏହି ପ୍ରସ୍ତାବ ଦେଇଥିଲେ। ଡିଏଲ୍‌ପିସିରେ ଏ ସଂକ୍ରାନ୍ତରେ ଆଲୋଚନା ବି ହୋଇଥିଲା। ତୃଣମୂଳ ସ୍ତରର ସ୍ଥିତି ନଦେଖି ଭୁବନେଶ୍ବରରେ ଥାଇ ରାଜ୍ୟ ସରକାର ନିଜ ମର୍ଜିରେ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଯଥାକ୍ରମେ ୧୯ ଓ ୧୩ କ୍ବିଣ୍ଟାଲ ଧାର୍ଯ୍ୟ କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ କହିଛନ୍ତି। ସଙ୍ଗଠନର କର୍ମକର୍ତ୍ତା କହିଛନ୍ତି, ପୂର୍ବରୁ ଚାଷୀ ଧାନ ବିକ୍ରି ପାଇଁ ଆନ୍ଦୋଳନ କରିଛି। ମାତ୍ର ପ୍ରଥମ ଥର ପାଇଁ ଖାଦ୍ୟ ନୀତିକୁ ବିରୋଧ କରି ଧାନ ବିକ୍ରି କରୁ ନାହିଁ। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ବିଭ୍ରାଟ ଦେଖାଦେଇଛି। ଧାନ ଅମଳ କରିନଥିବା ଚାଷୀଙ୍କ ପାଖକୁ ଟୋକନ୍‌ ଆସିଛି, କିନ୍ତୁ ଯାହାର ଧାନ ଅମଳ ହୋଇ ଗଦା ହୋଇଛି ତା’ ପାଖରେ ଟୋକନ୍‌ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନସଂଗ୍ରହ ବ୍ୟବସ୍ଥା ଯେଭଳି ଭୁବନେଶ୍ବର କୈନ୍ଦ୍ରିକ ହେଲାଣି, ଏଣିକି ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ହେବ ନାହିଁ ବରଂ ଚାଷୀ ସିଧା ରାସ୍ତାରେ ଛିଡ଼ା ହେବ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର